ନୂଆଦିଲ୍ଲୀ, ୯।୬: ମଧ୍ୟ-ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଯଦି ଇସ୍ରାଏଲ୍ ଇରାନ ବିରୋଧରେ ପୁଣି ଥରେ ବଡ଼ ଧରଣର ସାମରିକ ଆକ୍ରମଣ ଆରମ୍ଭ କରେ, ତେବେ ସେ ବିଶ୍ୱ ସମୁଦାୟରେ ସମ୍ପୂର୍ଣ୍ଣ ଏକାପଡ଼ି ଯାଇପାରେ । ଆମେରିକୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସତର୍କ କରାଇ କହିଛନ୍ତି, "ବିବି, ସାବଧାନ ରୁହ । ଯଦି ଏଭଳି ପରିସ୍ଥିତି ଲାଗିରହେ, ତେବେ ଖୁବ୍ ଶୀଘ୍ର ତୁମେ ସାରା ବିଶ୍ୱରେ ଏକା ହୋଇଯିବ ।" କହିରଖୁ କି ବିବି ନେତନ୍ୟାହୁଙ୍କ ଡାକନାମ । ଟ୍ରମ୍ପ ଆଶଙ୍କା ପ୍ରକଟ କରିଛନ୍ତି ଯେ ଯଦି ଏହି ଯୁଦ୍ଧ ଆହୁରି ବଢ଼େ, ତେବେ ଇରାନ ସହିତ ଚାଲିଥିବା ଶାନ୍ତି ବୁଝାମଣାର ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଯିବ ଏବଂ ଆମେରିକା ମଧ୍ୟ ନ ଚାହିଁଲେ ବି ଏହି ସଂଘର୍ଷ ଭିତରକୁ ଟାଣି ହୋଇଯିବ।
ଇରାନ ସହ ଚୁକ୍ତି କରିବାକୁ ଚାହୁଁଛନ୍ତି ଟ୍ରମ୍ପ:
ଆମେରିକୀୟ ଏବଂ ଇସ୍ରାଏଲ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ରାଷ୍ଟ୍ରପତି ଟ୍ରମ୍ପ ବର୍ତ୍ତମାନ ଇରାନ ସହିତ ଏକ କୂଟନୈତିକ ବୁଝାମଣା କରିବାକୁ ଚେଷ୍ଟା କରୁଛନ୍ତି । ସେ ନେତନ୍ୟାହୁଙ୍କୁ ବୁଝାଇଛନ୍ତି ଯେ ବର୍ତ୍ତମାନ ଆଲୋଚନା ମାଧ୍ୟମରେ ସୁଫଳ ମିଳିପାରିବ, ତେଣୁ ଇସ୍ରାଏଲ ପକ୍ଷରୁ ଆଉ କୌଣସି ବଡ଼ ଆକ୍ରମଣ କରାଯିବା ଉଚିତ ନୁହେଁ । ଟ୍ରମ୍ପ ଏକ ଜଟିଳ ପରିସ୍ଥିତିରେ ଅଛନ୍ତି; ସେ ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରୁଥିଲେ ମଧ୍ୟ, ଏହି କ୍ରମାଗତ ଆକ୍ରମଣ ଏକ ବଡ଼ ଆଞ୍ଚଳିକ ମହାଯୁଦ୍ଧର ରୂପ ନେଉ ବୋଲି ସେ ଆଦୌ ଚାହୁଁନାହାନ୍ତି ।
କାହିଁକି ବଢ଼ିଲା ଉତ୍ତେଜନା ?
ନିକଟରେ ଇସ୍ରାଏଲ୍ ପକ୍ଷରୁ ଲେବାନନର ରାଜଧାନୀ ବେରୁତରେ ଥିବା ହିଜବୁଲ୍ଲାର ଗଡ଼ ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଇରାନ ସିଧାସଳଖ ଇସ୍ରାଏଲ ଉପରେ ଶହ ଶହ ମିସାଇଲ୍ ମାଡ଼ କରିଥିଲା । ଏହା ପରେ ସମଗ୍ର ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧର କଳାବାଦଲ ଘୋଟି ଯାଇଛି । ଇସ୍ରାଏଲ୍ ଇରାନର କିଛି ନିର୍ଦ୍ଦିଷ୍ଟ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା ଏବଂ ଜବାବରେ ଇରାନ ମଧ୍ୟ ପୁଣି ମିସାଇଲ ମାଡ଼ କରିଥିଲା । ଏହି ସଂଘର୍ଷରେ ଆମେରିକା ସେନା ସିଧାସଳଖ ଭାଗ ନେଇ ନଥିଲେ ବି ଇସ୍ରାଏଲ୍ ଆଡ଼କୁ ଆସୁଥିବା ଇରାନର ମିସାଇଲଗୁଡ଼ିକୁ ଆକାଶରେ ଧ୍ୱଂସ କରିବାରେ ସାହାଯ୍ୟ କରିଥିଲା ।
ଦ୍ୱିତୀୟ ଥର ଫୋନରେ ହେଲା ଆଲୋଚନା: ଯୁଦ୍ଧ ବିରତି ପାଇଁ ସହମତି ?
ପରିସ୍ଥିତି ଅଧିକ ଗମ୍ଭୀର ହେବା ପରେ ଟ୍ରମ୍ପ ପୁଣି ଥରେ ନେତନ୍ୟାହୁଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ବଡ଼ ଆକ୍ରମଣ ନ କରିବାକୁ ଅନୁରୋଧ କରିଥିଲେ । ସୂଚନା ଅନୁଯାୟୀ, ନେତନ୍ୟାହୁ ଏହି ସର୍ତ୍ତରେ ରାଜି ହୋଇଛନ୍ତି ଯେ ଯଦି ଇରାନ ଆଗକୁ କୌଣସି ଆକ୍ରମଣ ନକରେ, ତେବେ ଇସ୍ରାଏଲ୍ ମଧ୍ୟ କୌଣସି ବଡ଼ ପଦକ୍ଷେପ ନେବ ନାହିଁ ।
ଆମେ ଇରାନର ପରମାଣୁ ବିପଦକୁ ଟାଳି ଦେଇଛୁ: ନେତନ୍ୟାହୁ
ଏହି ସମସ୍ତ ବିବାଦ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ, ଇସ୍ରାଏଲ୍ ସଫଳତାର ସହ ଇରାନର ସମ୍ଭାବ୍ୟ ପରମାଣୁ ବିପଦକୁ ରୋକିବାରେ ସକ୍ଷମ ହୋଇଛି । ଗତ ଏକ ବର୍ଷ ମଧ୍ୟରେ ସେମାନେ ଇରାନ ଏବଂ ହିଜବୁଲ୍ଲାକୁ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଇଛନ୍ତି । ଇସ୍ରାଏଲ୍ ଉପରେ ହେବାକୁ ଥିବା ହିଜବୁଲ୍ଲାର ଏକ ବଡ଼ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଛି । ସଙ୍ଗଠନର ମୁଖ୍ୟ ହସନ ନସରଲ୍ଲାହକୁ ନିପାତ କରାଯିବା ସହ ତାଙ୍କର ଅନେକ ଗୁପ୍ତ ଆଡ୍ଡାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦିଆଯାଇଛି । ବର୍ତ୍ତମାନ ସାରା ବିଶ୍ୱର ନଜର ଆମେରିକା ଏବଂ ଇସ୍ରାଏଲର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି । ଟ୍ରମ୍ପଙ୍କ ଏହି ଚେତାବନୀ ପରେ ମଧ୍ୟ-ପ୍ରାଚ୍ୟରେ ଶାନ୍ତି ଫେରିବ ନା ଯୁଦ୍ଧ ଆହୁରି ଭୟଙ୍କର ରୂପ ନେବ, ତାହା ସମୟ ହିଁ କହିବ ।
ଆହୁରି ପଢ଼ନ୍ତୁ... H-1B: ଟ୍ରମ୍ପଙ୍କୁ ଝଟ୍କା, ଭାରତୀୟଙ୍କୁ ଅଶ୍ୱସ୍ତି ; H-1B ଭିସା ଉପରେ ୧ ଲକ୍ଷ ଡଲାର ଫି ଆଦାୟ ନିଷ୍ପତ୍ତିକୁ ରଦ୍ଦ କଲେ ୟଏସ୍ କୋର୍ଟ