ନୂଆଦିଲ୍ଲୀ,୩୧/୦୮: ଆସନ୍ତା ନଭେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବେ ନାହିଁ । ନୋବେଲ ପୁରସ୍କାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟ୍ରମ୍ପଙ୍କର ହୋଇଥିବା ଝଗଡା ଏବଂ ଟାରିଫ୍‌କୁ ନେଇ ଦୁଇଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ଯୋଗୁ ସେ ଭାରତ ଆସିବାକୁ ନା କରିଛନ୍ତି ବୋଲି ନ୍ୟୁୟର୍କ ଟାଇମ୍ସ ଦାବି କରିଛି । 

ଭାରତ ଉପରେ ଲାଗିଛି ୫୦% ଟାରିଫ୍- ନ୍ୟୁୟର୍କ ଟାଇମ୍ସ କହିଛି କି, ଜୁନ୍ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟେଲିଫୋନ୍‌ରେ ଆଲୋଚନା ହୋଇଥିଲା । କଥାବାର୍ତ୍ତା ବେଳେ ପାକିସ୍ତାନ ଭଳି ଭାରତ ନୋବେଲ ପୁରସ୍କାର ଲାଗି ତାଙ୍କ ନାମ ସୁପାରିସ କରୁ ବୋଲି ଟ୍ରମ୍ପ ଦାବି କରିଥିଲେ । ହେଲେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଅସନ୍ତୋଷ ପ୍ରକାଶ କରିଥିଲେ । ମୋଦି ଟ୍ରମ୍ପଙ୍କୁ ସିଧାସଳଖ ଶୁଣାଇଥିଲେ ଯେ ମେ' ମାସରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧବିରତିରେ ଆମେରିକା କିମ୍ବା ଟ୍ରମ୍ପଙ୍କର କୌଣସି ଭୂମିକା ନାହିଁ । ଆଲୋଚନା ବେଳେ ଟ୍ରମ୍ପ କହିଥିଲେ କି କ୍ୱାଡ୍ ବୈଠକରେ ଯୋଗଦେବାକୁ ସେ ଭାରତ ଆସିବେ । କିନ୍ତୁ ପ୍ରକୃତରେ ଭାରତ ଆସିବାକୁ ତାଙ୍କର କୌଣସି ଆଗ୍ରହ ନଥିଲା । ନ୍ୟୁୟର୍କ ଟାଇମ୍ସ ଆହୁରି ମଧ୍ୟ କହିଛି ଯେ, ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇବା ଲାଗି ଅଭିଯାନ ଚଳାଇଛନ୍ତି । କିନ୍ତୁ ମୋଦି ତାଙ୍କୁ ମନୋନୀତ କରିବାକୁ ମନା କରିଦେବା ପରେ ଏହି ଅଭିଯାନ ଫିକା ପଡ଼ିଯାଇଛି । ପାକିସ୍ତାନ ଅବଶ୍ୟ ତାଙ୍କୁ ମନୋନୀତ କରିଛି । କିନ୍ତୁ ଭାରତ ମନା କରିବା ଟ୍ରମ୍ପଙ୍କ ଦାବିକୁ ଦୁର୍ବଳ କରିଦେଇଛି । ଏହା ପରେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି । 

ଆମେରିକା ଟାରିଫର ପ୍ରଭାବ ଭାରତର ଅର୍ଥନୀତି ଉପରେ ପଡ଼ିବାର ସମ୍ଭାବନା ରହିଛି । ଭାରତରୁ ଆମେରିକାକୁ ପଠାଯାଉଥିବା ସାମଗ୍ରୀର ବାର୍ଷିକ କାରବାର ପ୍ରାୟ ୮୫ ବିଲିୟନ ଡଲାର ରହିଛି । ଏହା ଉପରେ ୫୦ ପ୍ରତିଶତ ଟାରିଫ ଲାଗୁ କରାଯିବା ଫଳରେ ତାର ପ୍ରଭାବ ଭାରତୀୟ କମ୍ପାନିଙ୍କ ଉପରେ ପଡ଼ିବ । ସେମାନଙ୍କର କୋଟି କୋଟି ଟଙ୍କାର କ୍ଷତି ଘଟିବ । ଟ୍ରମ୍ପ୍ ଯଦି ଭାରତ ନ ଆସିବେ ତେବେ ଚଳିତବର୍ଷ ହେବାକୁ ଥିବା କ୍ୱାଡ୍ ଶିଖର ସମ୍ମିଳନୀ କେବଳ ବନ୍ଦ ହୋଇଯିବ ନାହିଁ ବରଂ ଏହାର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ । କ୍ୱାଡ୍‌ରେ ଭାରତ ଓ ଆମେରିକା ବ୍ୟତୀତ ଅଷ୍ଟ୍ରେଲିଆ ଓ ଜାପାନ ଭଳି ଦେଶ ସାମିଲ ଅଛନ୍ତି । 

୨୦୦୭ରେ ଏହାର ଗଠନ ହୋଇଥିଲେ ମଧ୍ୟ ୨୦୧୭ରୁ ଏହା ସକ୍ରିୟ ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବୃଦ୍ଧି ପାଉଥିବା ଚୀନ୍‌ର ଦବଦବାକୁ ରୋକିବା । କିନ୍ତୁ ଟ୍ରମ୍ପଙ୍କ ଟାରିଫ ଏହାକୁ ଗଭୀର ଆଘାତ ପହଞ୍ଚାଇଛି । ତେଣୁ ବର୍ତ୍ତମାନର ସ୍ଥିତିକୁ ଦେଖି ଲାଗୁଛି ଯେ କ୍ୱାଡର ଭବିଷ୍ୟତ ସଙ୍କଟରେ ପଡିଛି ଏବଂ ଏହାର ଅନ୍ତ ଘଟିବାର ଆଶଙ୍କା ରହିଛି ବୋଲି ନ୍ୟୁୟର୍କ ଟାଇମ୍ସ ଉଲ୍ଲେଖ କରିଛି ।