ନୂଆଦିଲ୍ଲୀ,୩୦/୦୭: ଶକ୍ତିଶାଳୀ ଭୂକମ୍ପ ପରେ ଏବେ ସୁନାମୀ ଆତଙ୍କ । ଋଷରେ ଭୂକମ୍ପ ପରେ ଏବେ ସୁନାମୀ ସତର୍କତା ଜାରି କରାଯାଇଛି । ସମୁଦ୍ରରୁ ବଡ଼ ବଡ଼ ଜୁଆର ସ୍ଥଳଭାଗକୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ରହିଥିବାରୁ ଭୟଙ୍କର ସୁନାମୀର ଆଶଙ୍କା କରାଯାଉଛି। ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ଅନୁଯାୟୀ, ୮.୭ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ପ୍ରଶାନ୍ତ ମହାସାରରେ ଆସିଥିଲା । ଯାହା ପରେ ଜାପାନ ଓ ଆମେରିକାର ଏଜେନ୍ସି ଗୁଡ଼ିକ ସୁନାମୀ ଆଲର୍ଟ ଜାରି କରିଛନ୍ତି। ସମୁଦ୍ର ସ୍ଥଳଭାଗକୁ ପ୍ରାୟ ୪ ମିଟର ପର୍ଯ୍ୟନ୍ତ ଜୁଆର ମାଡି ଆସିଥିଲା । ରୁଷିଆର କୁରିଲ୍ ଦ୍ୱୀପପୁଞ୍ଜର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଜାପାନର ଉତ୍ତର ଦ୍ୱୀପ ହୋକାଇଡୋରେ ସୁନାମୀ ମାଡ଼ ହୋଇଛି। ଜାପାନର ପୂର୍ବ ଉପକୂଳର ଅଧିକାଂଶ ଅଞ୍ଚଳରେ ନିରାପତ୍ତା ପାଇଁ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯାଇଛି ।
ରୁଷିଆ ସହିତ ଜାପାନ ଏବଂ ଆମେରିକାର କାଲିଫର୍ଣ୍ଣିଆ ଉପକୂଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି। କୁହାଯାଉଛି ଯେ ସମୁଦ୍ରରେ ୩ରୁ ୪ ଫୁଟ ଉଚ୍ଚ ଜୁଆର ଉଠିପାରେ। ଏହାଦ୍ୱାରା ଅନେକ ଅଞ୍ଚଳରେ ବିପର୍ଯ୍ୟୟ ହୋଇପାରେ। l ତେବେ ସୁନାମୀ ଭଳି ଆସୁଥିବା ଜୁଆରର ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ଭୂମିକମ୍ପ ପରେ ସତର୍କ ହୋଇଛି ଆମେରିକାରେ ଥିବା ଭାରତୀୟ କନସୁଲେଟ୍ । ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ କାଲିଫର୍ନିଆ ଏବଂ ହାୱାଇର ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ରହୁଥିବା ଭାରତୀୟମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି। ଭାରତୀୟ କନସୁଲେଟ୍ ଜେନେରାଲ କହିଛନ୍ତି ଯେ, ଆମେ ରୁଷର କାମଚଟକା ଉପଦ୍ୱୀପରେ ସମ୍ଭାବ୍ୟ ସୁନାମୀର ବିପଦ ଉପରେ ନଜର ରଖୁଛୁ। ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଭୂମିକମ୍ପ ଏବଂ ସୁନାମୀର ବିପଦକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।