ଭୁବନେଶ୍ବର, ୨୭/୦୫: ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନରେ ନିର୍ମାଣାଧୀନ ଟନେଲ୍‌ ମାଟି ଭୁଶୁଡ଼ିବା ଘଟଣାରେ ସ୍ପଷ୍ଟୀକରଣ ରଖିଛି ରେଳ ବିଭାଗ । ଉକ୍ତ ସ୍ଥାନରେ ଲଗାଣ ବର୍ଷା ଯୋଗୁ ହାଲୁକା ମାଟି ଧସି ଏଭଳି ଅଘଟଣ ଘଟିଛି । ଏଥିରେ କୌଣସି କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇନାହିଁ କିମ୍ବା ଯନ୍ତ୍ରପାତି ନଷ୍ଟ ହୋଇନାହିଁ । ଏହି ଦୁର୍ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯିବା ସହ କାର୍ଯ୍ୟ ଚାଲୁ ରହିଥିବା ନେଇ ରେଳ ବିଭାଗ ନିଜର ସ୍ପଷ୍ଟୀକରଣ ରଖିଛି।  

ସୂଚନା ଅନୁଯାୟୀ,  ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ୪ଟି ଟନେଲ୍‌ କାମ ଚାଲୁ ରହିଛି । ୪ନଂ. ଟନେଲ୍‌ଟି ରାଜ୍ୟର ଦୀର୍ଘତମ ଟନେଲ୍। ଏହାର ଦୈର୍ଘ୍ୟ ୪ କିମିରୁ ଅଧିକ ହେବ। ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ସୋମବାର ଅପରାହ୍ନରେ ଆଡେଣୀଗଡ଼ ନିକଟ କଖାରୁଫାଳଠାରେ ଟନେଲ ଉପର ପାର୍ଶ୍ୱରୁ ହଠାତ୍‌ ମାଟି ଭୁଶୁଡ଼ି ପଡ଼ିଥିଲା । ଏହାଦ୍ୱାରା ପ୍ରାୟ  ୩୦ ଫୁଟ୍‌ର ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି। ସମସ୍ତ ଶ୍ରମିକ ଓ କର୍ମଚାରୀ ସୁରକ୍ଷିତ ଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଖବର ପାଇ ରେଳ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। 

ଟନେଲ୍‌ କାମ ଏକ ଘରୋଇ ଠିକା ସଂସ୍ଥା କରୁଛି । ଦୁର୍ଘଟଣା ପରେ ଠିକା ସଂସ୍ଥାର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି । ଟନେଲ୍‌ ନିର୍ମାଣ ପୂର୍ବରୁ ମାଟିର ମାନ ଠିକ୍‌ ଭାବେ ଯାଞ୍ଚ କରାଯାଇଛି କି ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ । ଆଗକୁ ବର୍ଷା ଋତୁ ଥିବାବେଳେ ଏଭଳି ଅଧିକ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରୁ ନାହିଁ। ରେଳପଥ କାର୍ଯ୍ୟ ଶୀଘ୍ର ଶେଷ ହେବ ବୋଲି ଯେଉଁ ଆଶା କରାଯାଉଥିଲା ବର୍ତ୍ତମାନ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। 

ପ୍ରକାଶ ଥାଉକି, ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ ସୋନପୁରଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଶେଷ ହୋଇଛି । ପୁରୁଣାକଟକ ପର୍ଯ୍ୟନ୍ତ ରେଳ ଇଞ୍ଜିନ ମଧ୍ୟ ଗଡ଼ି ସାରିଛି। ଏବେ ପୁରୁଣାକଟକଠାରୁ ବାଣୀଗୋଚ୍ଛା ପର୍ଯ୍ୟନ୍ତ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।