ନୂଆଦିଲ୍ଲୀ,୮।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୀର୍ଘ ଦିନର ଯୁଦ୍ଧ ପରେ ନିକଟରେ ଅସ୍ତ୍ରବିରତି ହୋଇଛି। ଅସ୍ତ୍ରବିରତି ପରେ, ତୁର୍କୀ ଏବେ ଇସ୍ରାଏଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତୁର୍କୀ ଶୁକ୍ରବାର ଘୋଷଣା କରିଛି ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ତାଙ୍କ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଗଣହତ୍ୟା ଅଭିଯୋଗରେ ଗିରଫ ପରୱାନା ଜାରି କରିଛି।
ଇସ୍ତାନବୁଲ ପବ୍ଲିକ ପ୍ରସିକ୍ୟୁଟର ଅଫିସରୁ ଏକ ବିବୃତ୍ତି ଅନୁଯାୟୀ, ମୋଟ ୩୭ ଜଣ ସନ୍ଦିଗ୍ଧଙ୍କ ବିରୁଦ୍ଧରେ ଗଣହତ୍ୟା ଅଭିଯୋଗରେ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଛି। ଏହି ତାଲିକାରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍, ଜାତୀୟ ସୁରକ୍ଷା ମନ୍ତ୍ରୀ ଇତାମାର ବେନ୍ ଗଭିର ଏବଂ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇୟାଲ୍ ଜମିର ଅଛନ୍ତି। ସମ୍ପୂର୍ଣ୍ଣ ତାଲିକା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ।
ତୁର୍କୀ ଏହି ଅଧିକାରୀଙ୍କ ଉପରେ ଗାଜାରେ ବ୍ୟବସ୍ଥିତ ରୂପରେ କରାଯାଇଥିବା ଗଣହତ୍ୟା ଓ ମାନବିକତା ବିରୋଧରେ ଅପରାଧ ବୋଲି ଅଭିଯୋଗ କରିଛନ୍ତି।‘ତୁର୍କୀ-ପାଲେଷ୍ଟାଇନ୍ ଫ୍ରେଣ୍ଡସିପ୍ ହସ୍ପିଟାଲ୍’ ବିଷୟରେ ମଧ୍ୟ ଉଲ୍ଲେଖ କରିଛି, ଯାହାକୁ ତୁର୍କୀ ଗାଜା ଷ୍ଟ୍ରିପରେ ନିର୍ମାଣ କରିଥିଲା ଏବଂ ମାର୍ଚ୍ଚ ମାସରେ ଇସ୍ରାଏଲ୍ ତା ଉପରେ ବୋମା ପକାଇ ନଷ୍ଟ କରିଦେଇଥିଲା। ତୁର୍କୀ ଗତ ବର୍ଷ ଦକ୍ଷିଣ ଆଫ୍ରିକାର ସେହି ପ୍ରସଙ୍ଗରେ ଭାଗ ନେଇଥିଲା, ଯେଉଁଥିରେ ଇସ୍ରାଏଲ ଉପରେ ଇଣ୍ଟରନ୍ୟାସନାଲ କୋର୍ଟ ବା ଆଇସିଜେରେ ଗଣହତ୍ୟାର ଅଭିଯୋଗ ଲଗାଯାଇଥିଲା। ତୁର୍କୀ ପକ୍ଷରୁ ଗିରଫ ଓ୍ବାରେଣ୍ଟ ଜାରି ପରେ ଏବେ ବୈଦେଶିକ ମନ୍ତ୍ରୀ ଗିଦୋନ ସାରଙ୍କ ବୟାନ ସାମନାକୁ ଆସିଛି। ସେ ଏକ୍ସରେ କହିଛନ୍ତି, ଇସ୍ରାଏଲର ଏକଛତ୍ରବାଦୀ ତଥା ରାଷ୍ଟ୍ରପତି ରେସେପ ତୈୟେପ ଏର୍ଦୋଗାନଙ୍କ ଏହା ହେଉଛି ପବ୍ଲିସିଟି ଷ୍ଟଣ୍ଟ,ଯାହାକୁ ଆମେ ଖଣ୍ କରୁଛୁ। ଏର୍ଦୋଗନଙ୍କ ତୁର୍କୀରେ ନ୍ୟାୟପାଳିକା ଏବେ କେବଳ ଅସ୍ତ୍ର ପାଲଟିଛି। ରାଜନୈତିକ ବିରୋଧିଙ୍କୁ ଚୁପ୍ କରିବା ଓ ସାମ୍ବାଦିକ, ବିଚାରପତି ଓ ମେୟରଙ୍କୁ ଗିରଫ କରିବାକୁ ଏହାର ବ୍ୟବହାର କରାଯାଉଛି। ଏହା ଭିତରେ ତୁର୍କୀର ଏହି ପଦକ୍ଷେପକୁ ହମାସ ସ୍ବାଗତ କରିଛି।