ନୂଆଦିଲ୍ଲୀ : ତାମିଲନାଡୁରେ ଅଭିନେତା ବିଜୟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଛନ୍ତି। ପ୍ରଥମ ଥର ସିଏମ୍ ହୋଇଥିବା ବିଜୟଙ୍କ ମନ୍ତ୍ରିମଣ୍ଡଳରେ ମୋଟ ୯ ଜଣ ମନ୍ତ୍ରୀ ଅଛନ୍ତି। କିନ୍ତୁ ଏହି କ୍ୟାବିନେଟର ସବୁଠୁ ବଡ଼ ବିଶେଶତ୍ୱ ଯେ, ଏକମାତ୍ର ମହିଳା ମନ୍ତ୍ରୀ ଏସ କୀର୍ତ୍ତନା। ପାଖାପାଖି ୨୯ ବର୍ଷୀୟା କୀର୍ତ୍ତନା ,ହିନ୍ଦୀ ସମେତ ପାଞ୍ଚଟି ଭାଷା କହିବାରେ ତାଙ୍କର ଦକ୍ଷତା ଅଛି। ଶପଥ ଗ୍ରହଣ କରିବା ପରେ କୀର୍ତ୍ତନା କହିଛନ୍ତି , ନୂଆ ସରକାର ଗଭର୍ଣ୍ଣେଲ ମାମଲାରେ ଏକ ଉଦାହରଣ ପ୍ରଦାନ କରିବେ। ସେ କହିଛନ୍ତି ଏହା ଖୁବ୍ ଅବିଶ୍ୱସନୀୟ , କାରଣ କୌଣସି ଅନ୍ୟ ପ୍ରଦେଶକୁ ଏହିପରି କ୍ୟାବିନେଟ ମିଳି ନାହିଁ। ଏହା ପୂର୍ବରୁ ଆମକୁ ମଧ୍ୟ କିଏ ଏହିପରି ସୁଯୋଗ ଦେଇ ନାହାନ୍ତି ଏବେ ଆମେ ଦୁନିଆକୁ ଦେଖାଇ ଦେବୁ ସରକାର କେଉଁ ଭଳି ଚଲା ଯାଏ।

କିଏ ଏହି ଏସ୍. କୀର୍ତ୍ତନା ?

କୀର୍ତ୍ତନା ହେଉଛନ୍ତି ବିଜୟଙ୍କ ପାର୍ଟି TVK ଟିକେଟରେ ତାମିଲନାଡୁର ଶିବକାଶୀରୁ ନିର୍ବାଚିତ ହୋଇଥିବା ନୂତନ ବିଧାୟିକା। ଶିବକାଶୀକୁ ' ଭାରତର ବାଣ ସହର' କୁହାଯାଏ। ସେ ଏହି ଆସନରୁ ଜିତିଥିବା ପ୍ରଥମ ମହିଳା ବିଧାୟିକା ମଧ୍ୟ। ସେ ସେଠାରେ ଗତ ସାତ ଦଶନ୍ଧି ଧରି ଚାଲି ଆସୁ ଥିବା ପୁରୁଷ ସାମ୍ରାଜ୍ୟକୁ ଭାଙ୍ଗିଛନ୍ତି। କୀର୍ତ୍ତନା କଂଗ୍ରେସ ପ୍ରାର୍ଥୀ ଅଶୋକନ ଜିଙ୍କୁ ୧୧,୬୯୭ ଭୋଟରେ ପରାସ୍ତ କରିଛନ୍ତି। କୀର୍ତ୍ତନାଙ୍କ ଜନ୍ମ ୧୯୯୬ ମସିହାରେ ବିରୁଧୁନଗରରେ ହୋଇ ଥିଲା। ସେ ତାମିଲ ମାଧ୍ୟମ ସରକାରୀ ସ୍କୁଲରୁ ପାଠ ପଢ଼ିଛନ୍ତି। ପରେ ସେ ଗଣିତରେ ବିଏସସି ଏବଂ ୨୦୧୯ରେ ପୁଡୁଚେରୀ ୟୁନିଭର୍ସିଟିରୁ Statisticsରେ ଏମଏସସି କରିଛନ୍ତି।

ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ କୀର୍ତ୍ତନା ଜଣେ ପଲିଟିକାଲ୍ କନସଲଟାଣ୍ଟ ଏବଂ ଡିଜିଟାଲ୍ କ୍ୟାମ୍ପେନ ଷ୍ଟ୍ରାଟେଜିଷ୍ଟ ଭାବେ କାମ କରି ସାରିଛନ୍ତି। ସେ I-PAC ଭଳି ସଂସ୍ଥା ସହ ମିଶି କାମ କରିଛନ୍ତି। ସେ ପୂର୍ବରୁ ଏମ.କେ ଷ୍ଟାଲିନ, ମମତା ବାନାର୍ଜୀ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ନିର୍ବାଚନୀ କ୍ୟାମ୍ପେନ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରିଛନ୍ତି। କୀର୍ତ୍ତନାଙ୍କର ହିନ୍ଦୀ ଭାଷା ଉପରେ ଜବରଦସ୍ତ ଦକ୍ଷତା ରହିଛି। ତାମିଲନାଡୁ ଭଳି ଏକ ଅଣ-ହିନ୍ଦୀ ଭାଷୀ ରାଜ୍ୟରେ ଏହା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ସେ ତାମିଲ, ତେଲୁଗୁ, ଇଂରାଜୀ ଏବଂ କନ୍ନଡ଼ ମଧ୍ୟ ଜାଣନ୍ତି। ତାଙ୍କ କହିବାନୁସାରେ, ସମଗ୍ର ଭାରତରେ ବିଜୟଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ସେ ହିନ୍ଦୀ ଭାଷାକୁ ବାଛିଛନ୍ତି।

ନିଜ ନିର୍ବାଚନ ପ୍ରଚାର ସମୟରେ କୀର୍ତ୍ତନା ଶିବକାଶୀର ଗ୍ରାଉଣ୍ଡ ରିପୋର୍ଟ ଉପରେ ଧ୍ୟାନ ଦେଇଥିଲେ। ସେ ସେଠାର ବାଣ ଶିଳ୍ପରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା, ବୀମା, ମହିଳାଙ୍କ ପାଇଁ ସମାନ ଦରମା ଏବଂ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : ଶପଥ ଗ୍ରହଣ ବେଳେ ରାହୁଲ ଗାନ୍ଧିଙ୍କୁ ବିଜୟ କହିଲେ ‘ମାଇଁ ବ୍ରଦର’, ଏକାଠି ନେଲେ ସେଲଫି