ବୌଦ୍ଧ-୨୭/୫(ଆପ୍ର): ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅର୍ନ୍ତଗତ ବାରପୁଡା ଛକଠାରେ ସନ୍ଧ୍ୟାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ବାପ ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ଟିକରପଡା ପଂଚାୟତର ଚରିଆପାଲି ଗ୍ରାମର ଗଜେନ୍ଦ୍ର ମଲିକ (୩୨) ଓ ତାଙ୍କ ପତ୍ନୀ ଓ ଛୋଟ ଛୋଟ ୩ ଝିଅକୁ ନେଇ ମଙ୍ଗଳବାର ଦିନ ଶଳା ବାହାଘର ସାରି ଜିଲେଜୁ ଗ୍ରାମରୁ ନିଜ ଘରକୁ ବାଇକ ଯୋଗେ ଫେରୁଥିଲେ। ଏହି ସମୟରେ ବାରପୁଡା ଛକରେ ବିପରିତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଗଜେନ୍ଦ୍ର ଓ ତାଙ୍କ ୬ ବର୍ଷର ଝିଅ ଲିପସାର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ପୁଷ୍ପାଂଜଳି ଓ ଆଉ ଦୁଇ ଝିଅ ଗୁରୁତର ଆହତ ହୋଇପଡିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନସ ଯୋଗେ ସମସ୍ତଙ୍କୁ ବୌଦ୍ଧ ମେଡିକାଲକୁ ଅଣାଯାଇଥିଲା । ଗୁରୁତର ପତ୍ନୀ ଓ ଦୁଇ ଝିଅ ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମେଡିକାଲରେ ବୌଦ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟଣା ଥିବା ଅନ୍ୟ ବାଇକର ପତା ମିଳିପାରିନଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ସୁଚନା ଦେଇଛନ୍ତି । ମୃତ ବାପା ଝିଅର ଶବକୁ ମଧ୍ୟ ମେଡିକାଲରେ ରଖାଯାଇଛି ।