ଖଜୁରୀପଡ଼ା,୬/୩ : ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଘାଇ ନିକଟସ୍ଥ ମୁସକିଲ ଛକରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଖଜୁରୀପଡ଼ା ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଚରଣ ବେହେରା ଫୁଲବାଣୀ ଡିଭିଜନ କାର୍ଯ୍ୟାଳୟରେ କାର୍ଯ୍ୟ ସାରି ବାଇକ୍ ଯୋଗେ ଖଜୁରୀପଡ଼ା ଫେରୁଥିବାବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ବନ୍ଧ ସାହିର କାମଦେବ ବେହେରା ଓ ଫଗୁ ବେହେରାଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଉଭୟ ବାଇକରେ ଥିବା ୩ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଦମକଳବାହିନୀ ଉଦ୍ଧାର କରି ଖଜୁରୀପଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କାମଦେବଙ୍କ ମୃତ୍ୟୁ ହୋଇଛି। ଖଜୁରୀପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକ୍ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ସୂତ୍ରରୁ ପ୍ରକାଶ ।