ଭୁବନେଶ୍ୱର ୦୯/୦୭ : ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ଉତାପନକୁ ନେଇ ସମଗ୍ର ପୃଥିବୀରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଏ ବିଷୟରେ ତାତ୍ୱିକ ଆଲୋଚନା ତଥା ମତାମତର ଆଦାନ ପ୍ରଦାନ ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ୱାରା ଜୁଲାଇ ୧୦ ଓ ୧୧ ତାରିଖରେ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରାଯାଉଛି। 

ଭାରତର ପ୍ରସିଦ୍ଧ ବୈଜ୍ଞାନିକ, ଗବେଷକ, ନୀତି ପ୍ରଣେତା ଓ ଜଳବାୟୁ ବିଶେଷଜ୍ଞଙ୍କ ସମେତ ପୃଥିବୀର ୮ ଟି ଦେଶର ରାଷ୍ଟ୍ରଦୂତ ମାନେ ଏହି ସମ୍ମିଳନୀରେ ଯୋଗ ଦେବେ । ଏଥିରେ ଜଳବାୟୁ ପରିବର୍ତନ ଓ ବିଶ୍ୱ ଉତାପନ ବିଷୟରେ ଗଭୀର ଆଲୋଚନା ସହ ଏହାକୁ କିପରି ପ୍ରତିହତ କରାଯାଇପାରିବ ସେ ବିଷୟରେ ବିଚାରବିମର୍ଶ କରାଯିବ । 

ସୋଆ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ପରିବେଶ ବିଜ୍ଞାନ, ବିଶ୍ୱର ବିଭିନ୍ନ ଅଂଚଳରେ ଉତାପ ବୃଦ୍ଧି, ବିପର୍ଯ୍ୟସ୍ତ ପାଣିପାଗ ଓ ଏହି ପ୍ରଚ୍ଛଦପଟ୍ଟରେ ପୋଷଣୀୟ ବିକାଶ ବିଷୟରେ ଆଲୋଚନା କରାଯିବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରକାଶ କରିଛନ୍ତି । 

ପ୍ରଫେସର ନନ୍ଦ କହିଛନ୍ତି ଯେ ୟୁରୋପ ଓ ଦକ୍ଷିଣ ଆମେରିକାର ୭ଟି ଦେଶର ରାଷ୍ଟ୍ରଦୂତ ବା ପ୍ରତିନିଧି ଓ ସିଚେଲସର ରାଷ୍ଟ୍ରଦୂତ ଏହି ସମ୍ମିଳନୀରେ ଯୋଗ ଦେଇ ଆଲୋଚ୍ୟ ବିଷୟ ଉପରେ ସେମାନଙ୍କ ଦେଶର ଅନୁଭୂତି ତଥା ଦୃଷ୍ଟିକୋଣକୁ ନେଇ ମତ ରଖିବେ । ଜଳବାୟୁ ପରିବର୍ତନର ଗୁରୁତ୍ୱ ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଭବିଷ୍ୟତରେ କିପରି ଏହି ପରିସ୍ଥିତିର ମୁକାବିଲା କରାଯାଇପାରିବ ସେ ବିଷୟରେ ଏକ ଉଲ୍ଲେଖନୀୟ ମାଇଲ ଖୁଂଟ ହୋଇପାରିବ ବୋଲି ସେ କହିଛନ୍ତି ।

ଏହି ସମ୍ମିଳନୀରେ ଯୋଗ ଦେଉଥିବା ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ପ୍ରତିନିଧିମାନେ ହେଲେ ଉରୁଗୁୟେର ରାଷ୍ଟ୍ରଦୂତ ଶ୍ରୀ ଆଲବର୍ଟୋ ଗୁଆନି, ପେରୁର ରାଷ୍ଟ୍ରଦୂତ ଶ୍ରୀ ଜାଭିୟର ପଲିନିଚ, ଏକୁଏଡରର ରାଷ୍ଟ୍ରଦୂତ ଶ୍ରୀ ଫର୍ଣ୍ଣାଣ୍ଡୋ  ବୁଚେଲି, ଗୁଏଟେମାଲାର ରାଷ୍ଟ୍ରଦୂତ ଶ୍ରୀ ଓମାର କାଷ୍ଟାନେଡା ସୋଲାରେସ, ସ୍ପେନ୍‌ର ରାଷ୍ଟ୍ରଦୂତ ଶ୍ରୀ ଜୁଆନ୍‌ ଆଂଟୋନିଓ ପୁଜୋଲ, ସିଚେଲସର ହାଇକମିସନର ଶ୍ରୀମତି ଲାଲାଟିଆନା ଆକୋଚେ ଓ ଗାୟାନା ହାଇକମିଶନଙ୍କ ପ୍ରତିନିଧି ଶ୍ରୀ କେଶଭ ତେୱାରୀ ।

ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନ ରହିବ । ଏଥି ନିମନ୍ତେ ମନୋନୀତ ପ୍ରସଙ୍ଗଗୁଡ଼ିକ ମଧ୍‌୍ରରେ ରହିଛି ‘ବିଜ୍ଞାନ ଓ ଜଳବାୟୁ ପରିବର୍ତନ-ଭାରତୀୟ ଦୃଷ୍ଟପଟ’,‘ଖାଦ୍ୟ ସୁରକ୍ଷା ଉପରେ ଜଳବାୟୁ ପରିବର୍ତନର ପ୍ରଭାବ’, ‘ଜଳବାୟୁ ପରିବର୍ତନ ପ୍ରଚ୍ଛଦପଟରେ ଶକ୍ତି ଓ ଜଳ ଉପଲବ୍ଧତା’ ଓ ‘ସହରାଂଚଳ ଭିତିଭୂମି ଉପରେ ଏହାର ପ୍ରଭାବ’ । 

ଯେଉଁ ବିଶିଷ୍ଟ ବୈଜ୍ଞାନିକ,ଗବେଷକ ଓ ନୀତି ପ୍ରଣେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ପାଣିପାଗ ବିଭାଗର ଡାଇରେକ୍ଟର ଜେନେରାଲ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର, ଆଇଆଇଟି ବମ୍ବେର ପ୍ରଫେସର ସୁବିମଲ ଘୋଷ, ଇସ୍ରୋ ସ୍ପେସ୍‌ ଆପ୍ଲିକେସନ୍‌ ସେଂଟରର ଆଟମସଫେରିକ୍‌ ଡିଭିଜନର ମୁଖ୍ୟ ଡକ୍ଟର ରଣଧୀର ସିଂହ, ଭାରତୀୟ ପାଣିପାଗ ବିଭାଗ, ପୁଣେର ଡକ୍ଟର, ଓ.ପି. ଶ୍ରୀଜିତ୍‌, ଭାରତୀୟ ପାଣିପାଗ ବିଭାଗ, ନୂଆଦିଲ୍ଲୀର ଡକ୍ଟର ଅଖିଳ ଶ୍ରୀବାସ୍ତବ, ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ସେଂଟର ଫର୍‌ ଓସିନ୍‌ ଇନ୍‌ଫରମେସନ୍‌ ସର୍ଭିସେସ୍‌ର ଗ୍ରୁପ୍‌ ଡାଇରେକ୍ଟର ଡକ୍ଟର ଅନୀଶ କିଶୋର, ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ ମେଟିଓରୋଲଜି, ପୁନେର ଡକ୍ଟର ଅନୁପମ୍‌ ହାଜରା, ଆଇଆଇଟି ଖଡ଼ଗପୁରର ପ୍ରଫେସର ପ୍ରସାଦ ଭାସ୍କରନ୍‌, ସୋଆର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର (ଡ.) ଉମାଚରଣ ମହାନ୍ତି, ସୋଆ ପରିଚାଳିତ ସେଂଟର ଫର୍‌ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚରର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ଆଇସିଏଆର- ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ୱାଟର ମ୍ୟାନେଜମେଂଟର ନିର୍ଦ୍ଦେଶକ ଡକ୍ଟର ଏ. ଷଡ଼ଙ୍ଗୀ, ସି-ଡାକ, ପୁଣେର ଡକ୍ଟର ପଲାଶ ସିହ୍ନା, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଚନ୍ଦ୍ରଶେଖର ନାରାୟଣ ଭେଣ୍ଡେ ଏବଂ ସୋଆ ପରିଚାଳିତ ସେଂଟର ଫର ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ । 

ଏହି ସମ୍ମିଳନୀ ଶେଷରେ ଆଲୋଚ୍ୟ ବିଷୟଗୁଡ଼ିକ ଉପରେ ଆସିଥିବା ମତାମତ ଓ ସୁପାରିଶଗୁଡ଼ିକ ଆଲୋଚନା କରାଯିବ । ଏହି ଅଧିବେଶନକୁ ସୋଆ କୁଳପତି ପ୍ରଫେସର ନନ୍ଦ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ ରଞ୍ଜନ ମଲ୍ଳିକ ପରିଚାଳନା କରିବେ ।