ଆସିକା/କାମାକ୍ଷାନଗର,୧୪/୦୫: ରାଜ୍ୟରେ ଦୁଇ ପୃଥକ ପୃଥକ ଦୁର୍ଘଟଣା। କୋଟିନଡା ଥାନା ଅନ୍ତର୍ଗତ ଭେଟନଈରେ ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ। ସେପଟେ କାମାକ୍ଷାନଗର ଥାନା ଅଞ୍ଚଳ ବାଲିସାହି ନିକଟରେ କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ପାଉଁଶ ବୋଝେଇ ଟ୍ରକ। ଚାଲିଗଲା ଡ୍ରାଇଭରଙ୍କ ଜୀବନ। ରାଉରକେଲାରେ ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି। ଉମରକୋଟରେ କାର୍‌ ଓଲଟି ଜଣଙ୍କର ମୃତ୍ୟୁ ହୋଇଛି ।  

ସୂଚନାନୁଯାୟୀ, କୋଟିନଡା ଥାନା ଅନ୍ତର୍ଗତ ଭେଟନଈ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ଲୋକ ଏକ ଡାଲା ଅଟୋରେ ସାନଖୋଲି ଗ୍ରାମକୁ ଯଜ୍ଞ ଦେଖିବାକୁ ଯାଇଥିଲେ । ଯଜ୍ଞ ଦେଖି ଫେରୁଥିବା ସମୟରେ ରାତିରେ ଭାରସାମ୍ୟ ହରାଇ ଅଟୋଟି ବଡଖୋଲି ଓ ଭେଟନଈ ମଝି ରାସ୍ତାରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଆହତଙ୍କୁ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଚଳାଇଛି । ଆହତମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମୃତକ ଦୁଇ ଜଣ ଭେଟନଈ ଗ୍ରାମର ୨୫ ବର୍ଷୀୟା ଗାୟତ୍ରୀ ଗୌଡ଼ ଓ ୫୦ ବର୍ଷୀୟା ସରୋଜିନୀ ସାହୁ ବୋଲି ଜଣାପଡ଼ିଛି।

କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ପାଉଁଶ ବୋଝେଇ ଟ୍ରକଡ୍ରାଇଭର ମୃତ

କାମାକ୍ଷାନଗର : ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର ଥାନା ଅଞ୍ଚଳ ବାଲିସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟାୟାର ଫାଟି ରାସ୍ତାରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକକୁ ଏକ ପାଉଁଶ ବୋଝେଇ ଟ୍ରକ୍ ପଛରୁ ଧକ୍କା ଦେଇଛି। ଫଳରେ ଘଟଣା ସ୍ଥଳରେ ପାଉଁଶ ବୋଝେଇ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। 

ସୂଚନା ଅନୁସାରେ, କାମାକ୍ଷାନଗର ପଟୁ ଯାଜପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକର ଟାୟାର ଫାଟିବାରୁ ଟ୍ରକ ଡ୍ରାଇଭର ଜାତୀୟ ରାଜପଥ ଉପରେ ଗାଡିକୁ ଅଟକାଇ ଛିଡା କରାଇଥିଲେ। ସେହି ସମୟରେ ଏକ ପାଉଁଶ ବୋଝେଇ ଟ୍ରକ ଦ୍ରୁତ ଗତିରେ ଯାଇ ପଛରୁ ପିଟି ହୋଇଥିଲା। ପଛ ଟ୍ରକର ସ୍ପିଡ଼ ଏତେ ଅଧିକ ଥିଲା ଯେ କ୍ୟାବିନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ଚାପି ହୋଇ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ କଟର ଓ କ୍ରେନ ସାହାଯ୍ୟରେ ଟ୍ରକକୁ ଅଲଗା କରି ମୃତ ଡ୍ରାଇଭରଙ୍କ ଶରୀରକୁ ବାହାରକୁ କରିଛନ୍ତି। ମୃତ ଡ୍ରାଇଭରଙ୍କ ପରିଚୟ ଜଣାପଡି ନାହିଁ।

 


ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

ରାଉରକେଲା: ୧୪୩ ନମ୍ବର ଜାତୀୟ ରାଜପଥର ପାନପୋଷର ଟିସିଆଇ ଛକ ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ ।

ସୂଚନା ମୁତାବକ, କୁଆଁରମୁଣ୍ଡା ଅଞ୍ଚଳର ଜଣେ ମହିଳା ସଂପର୍କୀୟଙ୍କ ସହ ସ୍କୁଟିରେ ରାଉରକେଲା ଆସୁଥିଲେ। ଟିସିଆଇ ନିକଟରେ ଏକ ଅଜଣା ଗାଡ଼ି ସ୍କୁଟିକୁ ପଛକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

କାର୍ ଓଲଟି ଜଣେ ମୃତ

ଉମରକୋଟ : କାର୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲ ପଦର ପଞ୍ଚାୟତ ମିଟୁ ଗୁଡା ଗ୍ରାମର ସୁରେଶ ଗୈାଡ (୨୨) ଓ ଆହତ ଜଣକ ହେଲେ ବିନୋଦ କୁମାର ଗୈାଡ (୨୩) । ସୌଭାଗ୍ୟବଶତଃ ଗାଡ଼ିରେ ଥିବା ଚିଙ୍କି ଗୌଡ (୫)ଙ୍କର କୌଣସି କ୍ଷତି ହୋଇନାହିଁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ବୁଧବାର ସକାଳେ ସୁରେଶ, ବିନୋଦ ଓ ଚିଙ୍କି ଏହି ତିନି ଜଣ କାର୍‌ରେ ବୁଲିବାକୁ ଯାଇଥିଲେ । ଘରକୁ ଫେରୁଥିବା ସମୟରେ ଭାମିନି ଯିବା ରାସ୍ତାର ଅଧିକାରୀ ଗୁଡା ଗ୍ରାମ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା । କାର୍‌ର ଅବସ୍ଥାକୁ ଦେଖିଲେ ଲାଗୁଛି ଯେପରି କାର୍‌ଟି ଦୁଇରୁ ତିନି ଥର ଓଲଟି ପଡ଼ିଛି । ଏହା ଦେଖି ସ୍ଥାନୀୟ ଲୋକେ ଗୁରୁତରଙ୍କୁ କାର୍‌ ମଧ୍ୟରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ସୁରେଶଙ୍କୁ ମୃତ ଘୋଷଣା କରିଥିଲେ।