ପୁରୀ,୦୪/୦୨: ବଳିଆପଣ୍ଡା ଓ  ସମୁଦ୍ର କୂଳ ଥାନା ଅଞ୍ଚଳରେ ଦାଦାବଟି ମାଗି ଆକ୍ରମଣ ଓ ଲୁଟ୍‌ ହୋଇଛି । ୨  ଜଣ ବ୍ୟବସାୟୀଙ୍କ ମଧ୍ୟରେ ଲାଗିଥିବା ବିବାଦକୁ କେନ୍ଦ୍ର କରି ଆକ୍ରମଣ ଓ ପ୍ରତିଆକ୍ରମଣ ଘଟିଥିବା ବେଳେ ଉଭୟ  ପକ୍ଷରୁ ଦାଦାବଟି ମାଗି ଆକ୍ରମଣ ଓ  ଲୁଟ୍‌ ଅଭିଯୋଗ ହୋଇଛି । ୨ ଥାନା  ପୁଲିସ ମାମଲା ରୁଜୁ କରି ୩ ଜଣଙ୍କୁ  ଗିରଫ କରିଛି । ସମୁଦ୍ର କୂଳ ଥାନା ପୁଲିସ ଗିରଫ କରିଥିବା ଜଣେ ଅଭିଯୁକ୍ତ  ହେଲା ବଳିଆପଣ୍ଡା ଥାନା ଅଧୀନ  ବିଜୟ ନଗର ଧୋବାଖାଲର ଲଳିତ  ମୋହନ ସାହୁ (୨୩) । ବଳିଆପଣ୍ଡା  ଥାନା ପୁଲିସ ଗିରଫ କରିଥିବା ୨ ଜଣ ଅଭିଯୁକ୍ତ ହେଲେ ଏହି ଥାନା  ଅଧୀନ ଜନମଙ୍ଗଳ ସମିତି ଲେନ୍‌ର  ଭରତ ସ୍ୱାଇଁ ଓରଫ ଡୁଗୁ(୨୫) ଓ  ଶିବଶକ୍ତି ସାହିର ବିକ୍ରମ କୁମାର  ପ୍ରଧାନ ଓରଫ ଗେଟୁ(୨୮) । ଅଭିଯୁକ୍ତ ଲଳିତ ମାଡ଼ରେ ଅନ୍ୟ ୨ ଅଭିଯୁକ୍ତଙ୍କ ସାଙ୍ଗ ଶିବଶକ୍ତି ସାହିର ଜଗନ୍ନାଥ  ପ୍ରଧାନ(୨୪) ଗୁରୁତର ଆହତ ହୋଇ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  ହୋଇଛି । 

ଖବର ଅନୁସାରେ ଜଗନ୍ନାଥ  ବଳିଆପଣ୍ଡା ପାର୍କ ଛକ ଠାରେ ଏକ ଚିକେନ୍‌ ଦୋକାନ କରିଛି । ଏପରିକି  ବିଭିନ୍ନ ହୋଟେଲ୍‌କୁ ଚିକେନ୍‌ ବିକ୍ରି କରିଥାଏ । ଜଗନ୍ନାଥର ମା’ ସାରଥୀ  ପ୍ରଧାନ ଏତଲା ଦେଇଛନ୍ତି ଯେ,  ଲଳିତ ତାଙ୍କ କୁକୁଡ଼ା ଦୋକାନକୁ  ଆସି ବାରମ୍ବାର ୫୦ ହଜାର ଟଙ୍କା ବଟି ମାଗୁଥିଲା । ଜଗନ୍ନାଥ ଗତ ୧ ତାରିଖ  ରାତିରେ ଚିକେନ୍‌ ଯୋଗାଇଥିବା ହୋଟେଲ୍‌ମାନଙ୍କରୁ କଲେକ୍ସନ୍‌ ସାରି  ଫେରୁଥିବା ବେଳେ ସ୍ୱର୍ଗଦ୍ୱାର ନିକଟରେ ଲଳିତ ଓ ତା’ ସାଙ୍ଗମାନେ ଅଟକାଇ ତାକୁ ନିସ୍ତୁକ ମାଡ଼ ମାରି ଗୋଡ଼ରେ ଗାଡ଼ି ଚଢ଼ାଇ ଦେବା ସହ ପକେଟରୁ ୩୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ । ଜଗନ୍ନାଥକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ଅଭିଯୋଗ କରିଛନ୍ତି ସାରଥୀ । ଏହି ମାମଲାରେ ଲଳିତ ଗିରଫ ହୋଇଥିବା ବେଳେ ତା’ ସାଙ୍ଗମାନେ ଫେରାର୍‌ ରହିଛନ୍ତି । 

ସେହିପରି ଲଳିତ ଅଭିଯୋଗ  କରିଛି, ସେ ଲାଇଟ୍‌ ହାଉସ୍‌ ପାଖରେ ଚା’ ଦୋକାନ କରିଛି । ଗତ ୧ ତାରିଖ  ରାତି ୭ଟାରେ ଜଗନ୍ନାଥ, ତା’ ୩  ଜଣ ସାଙ୍ଗ ଆସି ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ । ନ ହେଲେ ଦୋକାନ ଜାଳି ଦେବେ ବୋଲି ଧମକ ଦେଇଥିଲେ । ରାତି ସାଢ଼େ ୧୦ଟାରେ  ଲଳିତ ଅନ୍ୟ ଏକ ଦୋକାନରୁ କଲେକ୍ସନ୍‌ ସାରି ଫେରୁଥିବା ବେଳେ ଜଗନ୍ନାଥ ଓ ତା’ ସାଙ୍ଗମାନେ ସଙ୍ଘବଦ୍ଧ  ଭାବେ ମାରଣାସ୍ତ୍ରରେ ଆକ୍ରମଣ କରି  ୫ ହଜାର ୫ ଶହ ଟଙ୍କା, ସୁନା ଚେନ୍‌  ଛଡ଼ାଇ ନେଇଥିଲେ । ଏହାପରେ  ଲଳିତର ଚା’ ଦୋକାନକୁ ସେମାନେ  ଜାଳି ଦେଇଥିବା ମଧ୍ୟ ସେ ଅଭିଯୋଗ  କରିଛି । ବଳିଆପଣ୍ଡା ଥାନା ପୁଲିସ ରୁଜୁ କରିଥିବା ମାମଲାରେ ୨ ଜଣଙ୍କୁ ଗିରଫ  କରି ପୋଡ଼ି ଯାଇଥିବା ଦୋକାନର ଅଂଶବିଶେଷ ଜବତ କରିଛି । ଉଭୟ ମାମଲାରେ ଏକାଧିକ ଅଭିଯୁକ୍ତ ଫେରାର୍‌ ଥିବା ବେଳେ ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଦୁଇ ଥାନା  ପୁଲିସ ପକ୍ଷରୁ ସୂଚନା ମିଳିଛି ।