ଭୁବନେଶ୍ୱର, ୧୯/୦୫ (ଅମନ ଆୟୁଷ୍ମାନ ଦାସ) : ମାଟ୍ରିକ ମାଟି ମାଡ଼ିନଥିଲେ । ଦଶମକୁ ଯିବା ପୂର୍ବରୁ ପାଠପଢ଼ା ଛାଡ଼ି ଦେଇଥିଲେ । ବିବାହ ପରେ ଘରସଂସାର ଓ ପରେ ଛୋଟମୋଟ ଚାକିରି କରିଥିଲେ । ହେଲେ ସେଠାରେ ତାଙ୍କୁ ଟାହିଟାପରା ଶୁଣିବାକୁ ମିଳୁଥିଲେ । କିଏ କହୁଥିଲା ଗଜମୁର୍ଖ ଆଉ କିଏ କହୁଥିଲା ଅପାଠୁଆ । ଏସବୁ ଶୁଣିବାକୁ ଭଲ ଲାଗୁନଥିଲା । ଆଖିରୁ ଲୁହ ଝରିଆସୁଥିଲା । ହେଲେ ମନରେ ଥିଲା ଦୃଢ଼ ବିଶ୍ୱାସ । କେମିତି ପଢ଼ିବେ ସେଇ ଚିନ୍ତା କରୁଥିଲା । ଆଜି ସେମାନଙ୍କ ଇଚ୍ଛା ପୂରଣ ହୋଇଛି । ପାଠ ପଢିଛନ୍ତି, ପରିଶ୍ରମ କରି ୨ ଗୃହିଣୀ ଚଳିତବର୍ଷ ମାଟ୍ରିକ ପାସ୍ କରିଛନ୍ତି । ସେମାନେ ହେଲେ ସାଲିଆସାହିର ରେବତୀ ନାୟକ(୩୪) ଓ ସୋନାଲି ପ୍ରଧାନ(୩୩) ।
ରେବତୀ ହେଉଛନ୍ତି ଜଣେ ଆଦିବାସୀ ମହିଳା । ବିବାହ ପରେ ସେ ଏକ ଘରୋଇ ହସ୍ପିଟାଲରେ ଅସ୍ଥାୟୀ ଭାବେ ଚାକିରି ପାଇ କାମ କରୁଥିଲେ । ମାସକୁ ଯାହା ଦରମା ଆସୁଥିଲା, ସେଥିରେ ନିଜ ଝିଅକୁ ବି ପାଠ ପଢ଼ାଉଥିଲେ । କାମ ଠିକଠାକ ଥିଲା । ହେଲେ ଅନ୍ୟ କର୍ମଚାରୀଙ୍କ କଟୁ କଥା ତାଙ୍କୁ ଭାଙ୍ଗିଦେଉଥିଲା । ଅଧିକ ପାଠ ପଢିବାକୁ ସେ ଅଣ୍ଟା ଭିଡ଼ିଥିଲେ । ସୋନାଲି ମଧ୍ୟ ମଧ୍ୟବିତ୍ତ ପରିବାରର ବୋହୁ । ସେ ଆଇଆରସି ଭିଲେଜ ସେକ୍ଟର-୬ ସରକାରୀ ୟୁପି ସ୍କୁଲ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ଅଟନ୍ତି । ସେ ମଧ୍ୟ ଅଧିକ ପାଠ ପଢ଼ି ମାଟ୍ରିକ୍ ପାସ୍ କରିବାକୁ ଇଚ୍ଛା ରଖିଥିଲେ । ରେବତୀଙ୍କ ଭଳି ତାଙ୍କୁ ମଧ୍ୟ ପରିବାରରେ ଟାହିଟାପରା କରାଯାଉଥିଲା । ତେବେ ଉଭୟଙ୍କ ପଢିବାରୁ ଇଚ୍ଛା ଦେଖି ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ରତ୍ନମଂଜରୀ ଦାଶ ଓଡ଼ିଶା ଶିକ୍ଷା ସର୍ବେକ୍ଷଣରେ ସେମାନଙ୍କୁ ଚିହ୍ନଟ କରିଥିଲେ । ମାଟ୍ରିକ ପଢିବାକୁ ପ୍ରେରଣା ଯୋଗାଇଥିଲେ । ଶ୍ରୀମତି ଦାଶଙ୍କ ପରାମର୍ଶରେ ସୋନାଲି ଓ ପାର୍ବତୀ ୟୁନିଟ-୧ ବଏଜ୍ ହାଇସ୍କୁଲରେ ଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ(ଏସଆଇଓଏସ୍) ଜରିଆରେ ନାମ ଲେଖାଇଥିଲେ । ବହି ଆଣି ପାଠ ପଢ଼ିଥିଲେ । ଆଉ ବାଜିମାତ ବି କଲେ । ସୋନାଲି ଜଣେ ସ୍ୱେଚ୍ଛାସେବୀ ହୋଇଥିବାରୁ ଏହି ସଫଳତା ଚାରିଆଡେ ବ୍ୟାପିଗଲା । ସ୍କୁଲ, ସ୍ଥାନୀୟ ଅଞ୍ଚଳବାସୀ, ପରିବାରଲୋକେ ଉଭୟଙ୍କୁ ପ୍ରଶଂସା କରିଥିଲେ । ଆଉ ସେମାନଙ୍କୁ କେହି ଅପାଠୁଆ କହିବେନି । ସୋନାଲି ଓ ରେବତୀ କହିଛନ୍ତି, ଆମେ ମାଟ୍ରିକ ପାସ୍ କଲା ପରେ ମନରେ ଉତ୍ସାହ ଆସିଛି । ଆହୁରି ପାଠ ପଢ଼ିବୁ । ଆଗକୁ କମ୍ପ୍ୟୁଟର କରି ଯୁକ୍ତଦୁଇରେ ନାମ ଲେଖିବୁ ବୋଲି କହିଛନ୍ତି । ଏଥିପାଇଁ ସେମାନେ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ଦାଶଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଗୋଟିଏ ଘରେ ମା’ ପାସ୍ ଓ ଝିଅ ବି ପାସ୍
ସାଲିଆସାହିର ରେବତୀ ନାୟକ ମାଟ୍ରିକ ପାସ୍ କରିଛନ୍ତି । ଆଉ ଖୁସିର ବିଷୟ ତାଙ୍କ ଝିଅ ସ୍ୱୟଂଶ୍ରୀ ଦିଗଲ ବି ଏଥରକ ମାଟ୍ରିକ ପରୀକ୍ଷାରେ ସଫଳ ହୋଇଛନ୍ତି । ସ୍ୱୟଂଶ୍ରୀ ଆଇଆରସି ଭିଲେଜ ସ୍କୁଲରେ ପଢ଼ୁଥିଲେ ।
ଏହି ଖବରଟିକୁ ପଢନ୍ତୁ- illegal parking : ଖଣ୍ଡଗିରି ପଛ ରାସ୍ତାରେ ବେଆଇନ୍ ପାର୍କିଂ, ପିସିଆର୍ ନେଉଛି ବସ୍ ପିଛା ୧୦୦, ବଟି ଆଦାୟ କରୁଛି ଲୋକାଲ ଦାଦା