ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଉଚ୍ଚତମ ଶିଖର ମାଉଣ୍ଟ ଏଭରେଷ୍ଟରେ ଚଳିତ ସିଜନରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ୨୦ ମେ’ରେ ଗୋଟିଏ ହିଁ ଦିନରେ ୨୭୪ ଜଣ ପର୍ବତାରୋହୀ ଏଭରେଷ୍ଟର ଶିଖରରେ ପହଞ୍ଚି ରଚିଛନ୍ତି ଇତିହାସ। ସଫଳତା ପୂର୍ବକ ଚଢି ଫେରିବା ବେଳେ ଦୁଇ ଭାରତୀୟ ପର୍ବତାରୋହୀ ଅରୁଣ କୁମାର ତିୱାରୀ ଓ ସନ୍ଦୀପ ଆରଙ୍କର ମୃତ୍ୟୁ ହୋଇଛି। ନେପାଳର ଅଧିକାରୀଙ୍କ ଅନୁସାରେ , ଦୁହେଁ ଏଭରେଷ୍ଟର ଶିଖରରେ ପହଞ୍ଚିବା ପରେ ଓହ୍ଲାଉ ଥିବା ବେଳେ ଖୁବ୍ କ୍ଲାନ୍ତ ଅନୁଭବ କରୁଥିଲେ। ଶେରପା ଗାଇଡମାନେ ଅନେକ ଚେଷ୍ଟା କରି ସେମାନଙ୍କୁ ବଞ୍ଚାଇ ପାରି ନଥିଲେ।
ଆଜତକରେ ପ୍ରକାଶିତ ସୂଚନା ଆଧାରରେ , ସଫଳତା ପୂର୍ବକ ଚଢିବା ପରେ ଓହ୍ଲାଇବା ବେଳେ କ୍ଲାନ୍ତ ଓ ଉଚ୍ଚତା କାରଣରୁ ଦୁଇ ଭାରତୀୟ ପର୍ବତାରୋହୀ ଖୁବ୍ ଅସୁସ୍ଥ ଅନୁଭବ କରିଥିଲେ। ସନ୍ଦୀପ ଆର ବୁଧବାର ଶିଖରରେ ପହଞ୍ଚି ଥିଲେ, ଅରୁଣ ତିୱାରୀ ଗୁରୁବାର ସନ୍ଧ୍ୟା ପ୍ରାୟ ୫.୩୦ରେ ଶିଖରରେ ପହଞ୍ଚି ଥିଲେ। ଫେରିବା ବେଳେ ବାଲକନି ଅଞ୍ଚଳ ଓ ହିଲେରୀ ଷ୍ଟେପ୍ ନିକଟରେ ଦୁହିଁଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଗଲା।
ଚଳିତ ସିଜନରେ ଏଭରେଷ୍ଟରେ ଏବେସୁଦ୍ଧା ମୋଟ ୫ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ତିନି ଜଣ ନେପାଳୀ ପର୍ବତାରୋହୀଙ୍କର ପୂର୍ବରୁ ମୃତ୍ୟୁ ହୋଇଥିଲା। ୨୦ ମେ’ରେ ନେପାଳ ପଟରୁ ୨୭୪ ଜଣ ପର୍ବତାରୋହୀ ୮,୮୪୮.୮୬ ମିଟର ଉଚ୍ଚତା ବିଶିଷ୍ଟ ଏଭରେଷ୍ଟ ଶିଖରରେ ଏକାଠି ପାଦ ରଖିଥିଲେ । ଏହା ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଏକ ଦିବସୀୟ ରେକର୍ଡ।
ଏଥିରେ ପୁଣେର ତିନି ଜଣ ପର୍ବତାରୋହୀ ମଧ୍ୟ ସାମିଲ ଥିଲେ, ଯିଏକି ସଫଳତାପୂର୍ବକ ଶିଖରରେ ତ୍ରିରଙ୍ଗା ଉଡ଼ାଇ ଥିଲେ। ପାଗ ପରିଷ୍କାର ରହିବା କାରଣରୁ ଚଳିଚ ବର୍ଷ ବହୁ ସଂଖ୍ୟାରେ ପର୍ବତାରୋହୀ ଏକାଠି ଶିଖରରେ ପହଞ୍ଚିବାରେ ସଫଳ ରହିଥିଲେ। ନେପାଳ ସରକାର ଏହି ସିଜନରେ ମୋଟ ୫୦୨ ଜଣ ପର୍ବତାରୋହୀଙ୍କୁ ପରମିଟ୍ ଜାରି କରି ଥିଲେ।
୨୦ ମେ’ରେ ଗୋଟିଏ ଦିନରେ ୨୭୪ ଜଣ ପର୍ବତାରୋହୀ ଏଭରେଷ୍ଟର ଶିଖରରେ ପହଞ୍ଚି ଇତିହାସ ରଚି ଥିଲେ। ଏହି ସଂଖ୍ୟା ୨୦୧୯ର ରେକର୍ଡ ( ୨୨୩ ଜଣ ପର୍ବତାରୋହୀ ଗୋଟିଏ ଦିନରେ) କୁ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପିତ କରିଛନ୍ତି। ପ୍ରତିବର୍ଷ ଶହ ଶହ ଲୋକ ଏଭରେଷ୍ଟ ଚଢିବାକୁ ଆସନ୍ତି। ନେପାଳ ପାଇଁ ଏହା ବଡ଼ ପର୍ଯ୍ୟଟନ ଓ ଆର୍ଥିକ ସ୍ରୋତ। କିନ୍ତୁ ସଂଖ୍ୟା ବୃଦ୍ଧି ଯୋଗୁଁ ଟ୍ରାଫିକ ଜାମ୍, ଥକାପଣ ଓ ଅକ୍ସିଜେନର ହ୍ରାସ ଭଳି ସମସ୍ୟା ମଧ୍ୟ ବଢିବାରେ ଲାଗିଛି।
ବିଶେଷଜ୍ଞଙ୍କ କହିବାନୁସାରେ , ଗୋଟିଏ ଦିନରେ ଏତେ ସଂଖ୍ୟାରେ ଲୋକଙ୍କ ଚଢିବା ସମସ୍ୟାକୁ ଆହୁରି ବଢାଉଛି। ସଫଳତାର ସହ ଚଢିବା ପରେ ଓହ୍ଲାଇବା ଆହୁରି ବିପଜ୍ଜନକ ହୋଇଥାଏ , କାରଣ ଏହି ସମୟରେ କ୍ଲାନ୍ତ ଓ ଥକାପଣ ଖୁବ୍ ଜୋରରେ ହୋଇଥାଏ ଏବଂ ପାଗ ହଠାତ୍ ବଦଳି ଯାଇ ପାରେ।
ଉଲ୍ଲେଖନୀୟ ଯେ, ନେପାଳ ସରକାର ପ୍ରତିବର୍ଷ ଶହ ଶହ ପରମିଟ୍ ଜାରି କରନ୍ତି। ପ୍ରତ୍ୟେକ ପରମିଟ୍ ର ମୂଲ୍ୟ ପ୍ରାୟ ୧୫ ହଜାର ଡଲାର। ଏଭରେଷ୍ଟ ଅଭିଯାନ ନେପାଳର ଅର୍ଥବ୍ୟବସ୍ଥା ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ, କିନ୍ତୁ ସୁରକ୍ଷା ଓ ପରିବେଶ ସଂରକ୍ଷଣ ଚିନ୍ତାର ବିଷୟ ପାଲଟିଛି।
ଆହୁରି ମଧ୍ୟ ପଢନ୍ତୁ :ଗିରଫ NTA ଏକ୍ସପର୍ଟ କରିଥିଲେ ନିଟ୍ ପେପରର ଅନୁବାଦ , ମିଳିଯାଇ ଥିଲା ଫାଇନାଲ ପ୍ରଶ୍ନର ଆକ୍ସେସ୍