ମାଲକାନଗିରି, ୨୯।୭ (ଆପ୍ର ): ମାଓବାଦୀଙ୍କ ସହିଦ ସପ୍ତାହର ଦ୍ବିତୀୟ ଦିନରେ ଆଇଇଡି ବୋମା ବିସ୍ଫୋରଣ ସହ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ବୋମା ବିସ୍ଫୋରଣରେ ଦୁଇ ଜଣ ଜବାନ ଆହତ ହୋଇଛନ୍ତି। ଘଟଣା ପରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ପୋଲିସ ଗୁଳିରେ ଅନେକ ମାଓବାଦୀ ଆହତ ହୋଇଥିବା ଜଣାପଡିଛି।
ସହିଦ ସପ୍ତାହ ପାଇଁ ୪ ରାଜ୍ୟ ପକ୍ଷରୁ ସୀମାକୁ ସିଲ କରାଯିବା ସହ ହାଇଆଲର୍ଟ ଜାରି କରାଯାଇଛି। ଯବାନଙ୍କ ପକ୍ଷରୁ ତଳାସୀ ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ଛତିଶଗଡର ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣ ଯୋଗୁଁ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହା ପରେ ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳି ବିନିମୟରେ ଅନେକ ମାଓବାଦୀ ମୃତାହତ ହୋଇଥିବା ଜଣା ପଡିଥିବା ବେଳେ ଯବାନ ମାନେ ଫେରିବା ପରେ ସମ୍ପୂର୍ଣ ତଥ୍ୟ ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।