ନୂଆଦିଲ୍ଲୀ ୦୪/୦୪: ଲୋକସଭାରେ ୱାକଫ ସଂଶୋଧନ ବିଲ୍‌କୁ  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ  ସମର୍ଥନ କରିବା ପରେ ତାକୁ ନେଇ ଦଳରେ ବିବାଦ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଦଳର ଦୁଇଜଣ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି । ସେମାନେ ହେଲେ ମହମ୍ମଦ କାସିମ ଅନସାରୀ ଓ ମହମ୍ମଦ ନୱାଜ ମଲିକ ।  ସେମାନେ ନିଜ ନିଜର ଇସ୍ତଫାପତ୍ର ନୀତୀଶଙ୍କ  ନିକଟକୁ ପଠାଇ ଦେଇଛନ୍ତି । 

ଅନ୍‌ସାରୀ ତାଙ୍କ  ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜେଡିୟୁ ଧର୍ମନିରପେକ୍ଷ ବିଚାରଧାରା ଓ ଭୋଟକୁ ସୁରକ୍ଷିତ ରଖେ ବୋଲି ତାଙ୍କ ଭଳି ଲକ୍ଷ ଲକ୍ଷ ମୁସଲିମ୍‌  ବିଶ୍ୱାସ କରିଆସୁଛନ୍ତି । କିନ୍ତୁ ୱାକଫ ବିଲ୍‌  ସପକ୍ଷରେ ଜେଡିୟୁ ଭୋଟ ଦେଇ ସେମାନଙ୍କ  ବିଶ୍ୱାସ ଭାଙ୍ଗି ଦେଇଛି । ଏହା ତାଙ୍କୁ ମଧ୍ୟ ଗଭୀର  ଅଘାତ ଦେଇଛି । ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ  ଲଲନ ସିଂହ ଲୋକସଭାରେ ବିଲ୍‌କୁ ଯେଭଳି ଦୃଢ଼  ସମର୍ଥନ କଲେ ତାହା ତାଙ୍କୁ ମର୍ମାହତ କରିଛି ।  

ୱାକଫ ବିଲ ଭାରତୀୟ ମୁସଲିମଙ୍କ ବିରୋଧୀ ।  ତେଣୁ ଏହାକୁ ସେ ଗ୍ରହଣ କରିପାରିବେ ନାହିଁ ।  ଅନେକ ଦିନ ଧରି ସେ ଦଳରେ ରହିଥିଲେ।  ହେଲେ ଦଳର ଏଭଳି ଆଭିମୁଖ୍ୟ ତାଙ୍କୁ ଆଘାତ  ଦେଇଥିବାରୁ ସେ ଦଳର ପ୍ରାଥମିକ ସଦସ୍ୟତା ଓ  ଅନ୍ୟ ସବୁ ପଦ ପଦବିରୁ ଇସ୍ତଫା ଦେଉଛନ୍ତି ।  ସେହିଭଳି ମଲିକ ହେଉଛନ୍ତି ଜେଡିୟୁ ସଂଖ୍ୟାଲଘୁ  ସାମ୍ମୁଖ୍ୟର ରାଜ୍ୟ ସମ୍ପାଦକ । ସେ ନିୀତୀଶଙ୍କୁ  ପଠାଇଥିବା ଇସ୍ତଫାପତ୍ରରେ ଲେଖିଛନ୍ତି ଯେ  ୱାକଫ ବିଲ୍‌ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର  ଉଲ୍ଲଂଘନ କରୁଛି । ବିଲ୍‌ ମାଧ୍ୟମରେ ମୁସଲିମଙ୍କୁ  ଅପମାନିତ କରାଯାଉଛି । ଆପଣ କିମ୍ବା ଆପଣଙ୍କ  ଦଳ ଏକଥା ଉଠାଉନାହିଁ ବୋଲି ସେ ଲେଖିଛନ୍ତି ।