ଭୁବନେଶ୍ୱର, ୩୦/୦୪ : ଦେଖିବାକୁ ଫିକା ସବୁଜ ରଙ୍ଗର। ସମ୍ପୂର୍ଣ୍ଣ ରେଡିୟମ୍ ଭଳି । ଗୋଡ଼ ବି ତାର ଭଳି ଲମ୍ବା । ପିଠିରେ ରହିଛି ନାଲି, କଳା ଓ ଧଳାର ଛୋଟ ଛୋଟ ଚିତ୍ର । ଟିକେ ଭଲ ଭାବେ ଦେଖିଲେ, ହାପି ଫେସ୍ (ଖୁସି ମୁହଁ) ଭଳି ଲାଗିବ। ଏହା ଏକ ପ୍ରକାର ବିରଳ ବୁଢିଆଣୀ, ଯାହା ହାୱାଇ ଦୀପପୁଞ୍ଜରେ ଦେଖିବାକୁ ମିଳନ୍ତି । ତେବେ ଭାରତରେ ଏହି ବୁଢ଼ିଆଣୀକୁ ଠାବ କରାଯାଇଛି । ହିମାଳୟ ପାଦଦେଶରେ ଥିବା କେଦାରନାଥ ଅଭୟାରଣ୍ୟ ଅଞ୍ଚଳରୁ ଏହି ଗୋଟିଏ ପ୍ରଜାତିର ୩୨ଟି ବୁଢ଼ିଆଣୀ ଚିହ୍ନଟ କରାଯାଇଛି । ଖୁସିର କଥା ଏହି ବୁଢିଆଣୀଙ୍କୁ ଠାବ କରିଛନ୍ତି ଦୁଇଜଣ ଓଡ଼ିଆ ଗବେଷକ । ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟର ବୈଜ୍ଞାନିକ ଦେବୀ ପ୍ରିୟଦର୍ଶିନୀ ଓ ଯୁବ ଗବେଷକ ଆଶୀର୍ବାଦ ତ୍ରିପାଠୀ ସେମାନଙ୍କୁ ଠାବ କରି ଓଡ଼ିଶା ଆଣିଛନ୍ତି ।
୨୦୨୩ରୁ ଦେବୀ ପ୍ରିୟଦର୍ଶିନୀ ଓ ଆଶୀର୍ବାଦ ତ୍ରିପାଠୀ କେଦାରନାଥ ଅଭୟାରଣ୍ୟ ଯାଇଥିଲେ । କୌଣସି ଏକ ପ୍ରକଳ୍ପରେ କାମ କରୁ କୁରୁ ସେମାନେ ବୁଢ଼ିଆଣୀ ପାଇଥିଲେ । ପରେ ବୁଢ଼ିଆଣୀ ଉପରେ ଗବେଷଣା କରିଥିଲେ । ପ୍ରଥମେ ଜଣାପଡ଼ିଲା ଯେ ଏହି ବୁଢିଆଣୀ ହେଉଛି ହାୱାଇନ୍ ହାପିଫେସ୍ ପ୍ରଜାତିର(ଥେରିଡିଅନ ଗ୍ରାଲେଟର) । ଯେହେତୁ ପିଠିରେ ହାପି ଫେସ୍ ଭଳି ଚିତ୍ର ଅଛି, ସେଥିପାଇଁ ଏହାର ଏପରି ନାମକରଣ ହୋଇଛି । ଯେଉଁ ୩୨ଟି ବୁଢ଼ିଆଣୀ ମିଳିଥିଲେ, ସେଗୁଡ଼ିକ ଗୋଟିଏ ପ୍ରଜାତିର ହୋଇଥିଲେ ମଧ୍ୟ ଦେଖିବାକୁ ଭିନ୍ନ । ଏମାନେ ନିଜର ରଙ୍ଗ ଓ ପ୍ରକୃତି ବଦଳାଇ ପାରୁଥିବାରୁ ଶିକାରୀ ହାତରୁ ସହଜରେ ଖସିପାରନ୍ତି । ଚଢେଇ, ବେଙ୍ଗ ଓ ଅନ୍ୟ ଶିକାରୀ ଏହି ବୁଢ଼ିଆଣୀଙ୍କୁ ସହଜରେ ଜାଣିପାରନ୍ତି ନାହିଁ । ଏମାନେ ବିଷାକ୍ତ ନୁହନ୍ତି । ଅନ୍ୟ ଜାଗାରେ ବଞ୍ଚିବେ କି ନାହିଁ, ତା’ଉପରେ ଅଧିକ ଗବେଷଣା ଚାଲିଛି । ପ୍ରାୟ ୨ବର୍ଷ ଧରି ନିରୀକ୍ଷଣ ପରେ ଏହାର ନାମ ଦିଆଯାଇଛି ‘ହିମାଲୟାନ ହାପିଫେସ୍’ ।
ଗୋପାଳପୁର ସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆରେ ଏହାର ପଞ୍ଜୀକରଣ କରାଯାଇଛି । ଏହି ବିରଳ ବୁଢିଆଣୀ ଓଡ଼ିଶାରେ ବଞ୍ଚିଲେ ଏମାନଙ୍କ ବଂଶ ବିସ୍ତାର ବାଟ ଫିଟିବ । ଏହାକୁ ଲାଇଫ୍ ସାଇନ୍ସ ଶିକ୍ଷା ପାଇଁ ବ୍ୟବହାର କରାଯାଇପାରିବ । ନନ୍ଦନକାନନ କିମ୍ବା ଅନ୍ୟ କୌଣସି ସଂଗ୍ରହାଳୟରେ ଏହାକୁ ରଖାଯିବ । ତା’ପୂର୍ବରୁ ଅଧିକ ଗବେଷଣା ଚାଲିଛି ବୋଲି ଆଶୀର୍ବାଦ କହିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ବହୁଚର୍ଚ୍ଚିତ ବାଲେଶ୍ୱର ସେକ୍ସ ସ୍କାଣ୍ଡାଲ : ଆଜି ଅଦାଲତରେ ପକ୍ଷ ରଖିବେ ମୁଖ୍ୟ ସାକ୍ଷୀ, ମାମଲାରେ ଛନ୍ଦି ହୋଇଥିଲେ ୨ IAS