ରାୟଗଡ଼ା,୨।୩ (ଆପ୍ର)- ରାୟଗଡା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ହାଇସ୍କୁଲରେ ଚାଲିଥିବା ମ୍ୟାଟ୍ରିକ ପରୀକ୍ଷାରେ ପିଲାଙ୍କୁ କପି ଯୋଗାଇବା ଅଭିଯୋଗରେ ତିନି ଜଣ ଶିକ୍ଷକ ନାମରେ ମାମଲା ରୁଜୁ ହୋଇଛି। ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇଛି। ଯାହାକି ଜିଲ୍ଲାରେ ହଟଚମଟ ସୃଷ୍ଟି କରିଛି।
କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ବେଳେ ବାହାର ସ୍କୁଲର ଆସି ଫାଟକ ବାହାରେ ଡ୍ୟୁଟି କରିବା ପରିବର୍ତ୍ତେ କପି ଦେଉଥିବା ଅଭିଯୋଗରେ ଧରିଛି ଫ୍ଲାଇଁ ସ୍କ୍ୱାଡ। ରାୟଗଡ଼ା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ଓ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଫ୍ଳାଇଂ ସ୍କ୍ୱାଡ ଯାଞ୍ଚ ପାଇଁ କୈଳାସପୁର ସରକାରୀ ହାଇସ୍କୁଲ ଯାଇଥିଲେ। ସେଠାରେ ବାହାର ସ୍କୁଲର ଦୁଇ ଜଣ ଶିକ୍ଷକ ପରୀକ୍ଷା ଦାୟିତ୍ବରେ ଥିବା ଅନ୍ୟ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରୁଥିବା ଏବଂ ପିଲାଙ୍କୁ ଉତ୍ତର ଦେଉଥିବା ଜାଣିବାକୁ ପାଇଥିଲେ। ଏହାପରେ ଉକ୍ତ ତିନି ଜଣ ଶିକ୍ଷକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଏଥିସହ ଜିଲ୍ଲାପାଳ ଆଶୁତୋଷ କୂଲକର୍ଣୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ଜିଲ୍ଲା ଶିକ୍ଷାଧିକାରୀ। ଏଥିସହ ବୋର୍ଡ ଅଫିସକୁ ମଧ୍ୟ ଜଣାଯାଇଥିଲା। ଜିଲ୍ଲାପାଳ ଓ ବୋର୍ଡ଼ ନିର୍ଦ୍ଦେଶ ମିଳିବା ପରେ ରାୟଗଡା ଜିଲ୍ଲା ଚାନ୍ଦିଲି ଥାନାରେ ତିନି ଜଣ ନାମରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଏହାପରେ ପୁଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି।