ନୂଆଦିଲ୍ଲୀ,୦୨/୧୧ : ପଶ୍ଚିମବଙ୍ଗରେ ଟିଏମସି ଦଳର ଦୁଇ ବିଧାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ। ଉଭୟଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ ହୋଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଆକ୍ରମଣର ଶିକାର ହୋଇଥିବା ଦୁଇଜଣ ହେଲେ ମିନଖା ବିଧାୟିକ ଉଷାରାଣୀ ମଣ୍ଡଳ ଓ ସନ୍ଦେଶଖାଲି ବିଧାୟକ ସୁକୁମାର ମହତା ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ବିଧାୟିକା ଉଷାରାଣୀ ମଣ୍ଡଳଙ୍କ ଉପରେ ଗୁରୁବାର ଆକ୍ରମଣ ହୋଇଥିଲା। ସେ କାଳୀପୂଜା ପେଣ୍ଡାଲରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ପ୍ରାୟ ଶହେରୁ ଅଧିକ ଲୋକ ତାଙ୍କୁ ଘେରି ଯାଇଥିଲେ।ଏନେଇ ବିଧାୟିକା ମଣ୍ଡଳ କହିଛନ୍ତି, ତାଙ୍କ ଗାଡ଼ିକୁ ଲୋକେ ଘେରି ଯାଇଥିବା ବେଳେ ତାଙ୍କୁ ଭିତରୁ ଟାଣି ବାହାର କରିଦେଇଥିଲେ। ଏହାପରେ ସେମାନେ ତାଙ୍କୁ ମାରପିଟ କରିଥିଲେ। ଏହି ସମୟରେ ଫାଙ୍କା ଗୁଳିଚାଳନା ବି ହୋଇଥିବା ସେ କହିଛନ୍ତି। ପାର୍ଟିରୁ ନିଲମ୍ବିତ ହୋଇଥିବା ଜଣେ ନେତା ଏପରି କରି ଥାଇପାରନ୍ତି ବୋଲି କହିଛନ୍ତି ମଣ୍ଡଳ ।ଏହାବାଦ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ଜଣେ ବିଧାୟକ ସୁକୁମାର ମହତା କହିଛନ୍ତି, ମୁଁ କାଳୀପୂଜା ପେଣ୍ଡାଲ ଉଦଘାଟନ କରିବା ପରେ ଘରକୁ ଫେରୁଥିଲି। କିଛି ବଦମାସ ମୋ’ ଗାଡ଼ି ଉପରେ ଅତର୍କିତ ଆକ୍ରମଣ କରିଥିଲେ। ମୋ ସହ ଥିବା ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ବି ଆକ୍ରମଣ ହେବାରୁ ଜଣେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପୁଲିସ୍ ଉଭୟ ମାମଲାର ଯାଞ୍ଚ ଆରମ୍ଭ କରି କିଛି ଲୋକଙ୍କୁ ଗିରଫ କରିଛି।