ଗୁଣୁପୁର/ଗୁଡାରି ୧୬/୩ ( ଆପ୍ର ): ଦୁର୍ଗମ ଅଞ୍ଚଳରେ ଆଜି ବି ସ୍ବାଧିନତାର ସ୍ବାଦ ଚାଖିନାହାଁନ୍ତି ରାୟଗଡା ଜିଲ୍ଲାର ଅନେକ ଗ୍ରାମ। ଏପରି ଅନେକ ଗ୍ରାମ ରହିଛି ଯେଉଁଠି ପ୍ରଶାସନର ପାଦ ପଡିନି। କିନ୍ତୁ ଆଜି ଏକ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲିପ୍ ଆଜି ଗୁଡାରି ବ୍ଲକରେ ଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ।
ଏହାପରେ ଦୁଇ ଯୁବ ଆଇଏଏସ୍ ଗୁଡାରି ବ୍ଲକର ମଧୁବନ ପଞ୍ଚାୟତର ଦୁର୍ଗମ ଅଞ୍ଚଳ କର୍ଲାଗୁଡି, ରେଙ୍ଗଲପଦର କେପିଟିରେ ଥିବା ତିନୋଟି ଗ୍ରାମକୁ ୫ କିମି ପାହାଡ ଚଢି ପହଞ୍ଚିଥିଲେ। ଜଙ୍ଗଲ ମଧ୍ୟରେ ପଥୁରିଆ ପାଦଚଲା ରାସ୍ତାରେ ବୋହି ଯାଉଥିବା ଝରଣାରେ ଜିଲ୍ଲାପାଳ ମୁହଁ ଧୋଇଥିଲେ । ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ।
ଜିଲ୍ଲା ଗଠନ ହେବା ଠାରୁ ଏହି ଦୁର୍ଗମ ଅଞ୍ଚଳରେ ପ୍ରଥମ ଥର ପ୍ରଶାସନିକ ଅଧିକାରିଙ୍କ ପାଦ ପଡିଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ରାସ୍ତା ଘାଟର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ସାମିଲ କରିବା ପାଇଁ ବିଭାଗୀୟ ଅଧିକାରିଙ୍କୁ ନିର୍ଦେଶ ଦେଇଥିଲେ। ରାସ୍ତା ନଥିବାରୁ ଗ୍ରାମରେ ବିଦ୍ୟୁତ୍ ପହଞ୍ଚି ପାରିନି। ସୋଲାର ଲାଇଟ୍ ମାଧ୍ୟମରେ ବିଦ୍ୟୁତ୍ ସେବା ଗ୍ରାମବାସୀ ପାଉଥିବା ଜାଣିବାକୁ ପାଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନା କଣ ପହଞ୍ଚିଛି ପଚାରି ବୁଝିଥିଲେ। ସ୍ବାଧିନତାର ଦୀର୍ଘ ବର୍ଷପରେ ବି ସେମାନଙ୍କ ପାଖରେ ଆଧାରକାର୍ଡ, ରେସନ କାର୍ଡ ନଥିବା ଜାଣିବାକୁ ପାଇଥିଲେ। ବିଦ୍ୟୁତ୍ ସେବା ଶିକ୍ଷା ,ସ୍ବାସ୍ଥ୍ୟ ଭଳି ମୈାଳିକ ସୁବିଧା ମିଳି ନାହିଁ। ଏପରିକି ଅଙ୍ଗନବାଡି, ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ କରିବା ପାଇଁ ଜିଲ୍ଲାପାଳ କହିଥିଲେ।
ଦୁର୍ଗମ ଗ୍ରାମାଞ୍ଚଳରେ ମୈାଳିକ ସୁବିଧା ପହଞ୍ଚି ନଥିବାରୁ ଜିଲ୍ଲାପାଳ ସମସ୍ତ ପ୍ରଶାସନ ଅଧିକାରିଙ୍କୁ ତାଗିଦ କରିଥିଲେ। ଆଧାରକାର୍ଡ ନଥିବାରୁ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି ଗ୍ରାମବାସୀ। ଏମାନଙ୍କ ପାଇଁ ସରକାରଙ୍କ ସମସ୍ତ ଯୋଜନା ଉପହାସ ପାଲଟିଥିବା ବେଳେ ଆବାସ ଘର ସ୍ବପ୍ନ ପାଲଟିଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ତାଗିତ୍ କରିବା ସହ କ୍ୟାମ୍ପ କରି ଲୋକଙ୍କ ସେବା ଯୋଗାଇବା ପାଇଁ କହିଥିଲେ।
ତିନୋଟି ଗ୍ରାମାଞ୍ଚଳରେ ପ୍ରଶାସନ ର ପାଦ ପଡିନଥିବା ବେଳେ ଦୁଇ ଯୁବ ଆଇଏଏସ୍ ଙ୍କ ସହ ସମସ୍ତ ବିଭାଗର ପ୍ରଶାସନିକ ଅଧିକାରିଙ୍କୁ ଦେଖି ଗ୍ରାମବାସି ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ସେତିକି ଆନନ୍ଦିତ ହୋଇଥିଲେ। ଯୁବ ଆଇଏଏସ୍ ରାୟଗଡା ଜିଲ୍ଲାପାଳ ଓ ଗୁଣୁପୁର ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଡାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଚିସ୍ମିତା ବେହେରା, ଗୁଡାରି ତହସିଲଦାର ଆଡାଲା ସ୍ନେହଲତା, ଗୁଡାରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ମଧୁବନ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଗସ୍ତ କରିଥିଲେ ।