ନୂଆଦିଲ୍ଲୀ, ୧୦।୬: ମଧ୍ୟ-ପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଏକ ବଡ଼ ଧରଣର ଭୂ-ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । କତାର୍ ପରେ ଏବେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ନିଜର ସୁରକ୍ଷା ପାଇଁ ଇରାନ ସହିତ ଏକ ଗୁପ୍ତ ଚୁକ୍ତି କରିଥିବା ନେଇ ଦାବି ହୋଇଛି । ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତି ଅଧୀନରେ UAE ତେହେରାନକୁ ୩ ବିଲିୟନ ଡଲାର ପଠାଇଛି । ଏହାର ବଦଳରେ ଇରାନ ଚାଲୁ ରହିଥିବା ମହାଯୁଦ୍ଧ ସମୟରେ UAE ର ପ୍ରମୁଖ ସହର ଦୁବାଇ କିମ୍ବା ଆବୁଧାବି ଉପରେ କୌଣସି ପ୍ରକାରର ସାମରିକ ଆକ୍ରମଣ କରିବ ନାହିଁ । ତେବେ ଅନ୍ୟପଟେ ଇରାନ ଏହି ଚୁକ୍ତିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି । ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ କହିବାନୁସାରେ, ଏଭଳି କୌଣସି ଡିଲ୍ ହୋଇନାହିଁ କିମ୍ବା ତେହେରାନକୁ ଏଭଳି କୌଣସି ଅର୍ଥ ମିଳିନାହିଁ ।

ବିମାନରେ ପଠାଗଲା ୩ ବିଲିୟନ ଡଲାରର ସମ୍ପତ୍ତି !

ଇସ୍ରାଏଲର ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବେ ଏକ ସ୍ୱତନ୍ତ୍ର ବିମାନ ଯୋଗେ UAE ରୁ ତେହେରାନକୁ ୩ ବିଲିୟନ ଡଲାରର ସମ୍ପତ୍ତି ସ୍ଥାନାନ୍ତର କରାଯାଇଛି । ତେବେ ଏହି ସମ୍ପତ୍ତି ମଧ୍ୟରେ କେତେ ପରିମାଣର ନଗଦ ଟଙ୍କା ଥିଲା ଏବଂ କେତେ ପରିମାଣର ସାମଗ୍ରୀ ଥିଲା, ସେ ନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯାଇ ନାହିଁ । ରିପୋର୍ଟରେ ଦାବି କରାଯାଇଛି ଯେ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଆଗାମୀ ବିପଦକୁ ଏଡ଼ାଇବା ଉଦ୍ଦେଶ୍ୟରେ ଏହି ଅର୍ଥ ପଠାଯାଇଛି ।

UAE ଉପରେ ହୋଇଥିଲା ୨ ହଜାରରୁ ଅଧିକ ଆକ୍ରମଣ:

UAE ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସରକାରୀ ତଥ୍ୟ ଅନୁଯାୟୀ, ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ପ୍ରକ୍ସି ୱାର୍ ଯୋଗୁଁ UAE ବହୁତ ବଡ଼ ମୂଲ୍ୟ ଦେଇଛି । ଯୁଦ୍ଧ ସମୟରେ UAE ଉପରେ ଭୟଙ୍କର ଆକ୍ରମଣ ହୋଇଥିଲା । ୨,୨୬୫ ରୁ ଅଧିକ ଆତ୍ମଘାତୀ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଥିଲା । ପ୍ରାୟ ୫୫୧ ଟି ଶକ୍ତିଶାଳୀ ବ୍ୟାଲିଷ୍ଟିକ ମିସାଇଲ୍ ମାଧ୍ୟମରେ UAE କୁ ଟାର୍ଗେଟ୍ କରାଯାଇଥିଲା । ଆବୁଧାବି ଏବଂ ଦୁବାଇ ଭଳି ବ୍ୟବସାୟିକ ପେଣ୍ଠସ୍ଥଳ ଉପରେ ୨୯ ଟି କ୍ରୁଜ୍ ମିସାଇଲ୍ ମାଡ଼ ହୋଇଥିଲା । ଇରାନର ଏହି ବାରମ୍ବାର ଆକ୍ରମଣ ଯୋଗୁଁ UAE ର ୧୩ ଜଣ ନିରୀହ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଇରାନର ଅଭିଯୋଗ ଥିଲା ଯେ UAE, ଇସ୍ରାଏଲ୍ ସହିତ ଗୁପ୍ତ ବୁଝାମଣା କରିଛି ଏବଂ ସେଥିପାଇଁ ତାକୁ ଟାର୍ଗେଟ୍ କରାଯାଉଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ, ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ବା 'ସେକେଣ୍ଡ ୱେଭ୍'ରେ ଇରାନ UAE ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ବର୍ତ୍ତମାନ ଇରାନ କେବଳ କୁଏତ, ବହରିନ ଏବଂ ଜୋର୍ଡାନରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ନିଜର ଶିକାର ବନାଉଛି ।

 

UAE ପୂର୍ବରୁ କତାର୍ ମଧ୍ୟ କରିଥିଲା ସମାନ ଡିଲ୍:

ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ କତାର୍ ମଧ୍ୟ ଆମେରିକା-ଇରାନ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ଇରାନ ସହିତ ଏକ ବଡ଼ ଚୁକ୍ତି କରିସାରିଛି । ଚୁକ୍ତି ଅନୁଯାୟୀ, କତାର୍ ମାଟିରେ ଥିବା କୌଣସି ଆମେରିକୀୟ ବା ନିଜସ୍ୱ ଘାଟି ଉପରେ ଆକ୍ରମଣ ନକରିବାକୁ ଇରାନ ପ୍ରତିଶ୍ରୁତି ଦେଇଥିଲା । ଏହାର ବଦଳରେ କତାର୍, ଇରାନର ଫ୍ରିଜ୍ ଅର୍ଥାତ୍ ବ୍ଲକ୍ ହୋଇ ରହିଥିବା ୬ ବିଲିୟନ ଡଲାରର ସମ୍ପତ୍ତିକୁ ଅନ୍-ଫ୍ରିଜ୍ କରିବାକୁ ସହମତି ପ୍ରକାଶ କରିଥିଲା । ବର୍ତ୍ତମାନ କତାର୍, ଆମେରିକା ଏବଂ ଇରାନ ମଧ୍ୟରେ ମଧ୍ୟସ୍ଥି ସାଜି ଯୁଦ୍ଧ ରୋକିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ଇରାନ ପାଇଁ ୧୨ ବିଲିୟନ ଡଲାରର ପାଣ୍ଠି ଯୋଗାଡ଼ରେ କତାର୍ !

ରିପୋର୍ଟ ଅନୁଯାୟୀ, କତାର୍ କେବଳ ମଧ୍ୟସ୍ଥି କରୁନାହିଁ ବରଂ ଇରାନକୁ ଆର୍ଥିକ ସଙ୍କଟରୁ ବଞ୍ଚାଇବା ପାଇଁ ପରଦା ପଛରେ ବଡ଼ ପ୍ରୟାସ କରୁଛି । କତାର୍ ଚାହୁଁଛି ଯେ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ହେବା ମାତ୍ରେ ଇରାନକୁ ତୁରନ୍ତ ୧୨ ବିଲିୟନ ଡଲାରର ସହାୟତା ରାଶି ମିଳୁ, ଯାହାଦ୍ୱାରା ଯୁଦ୍ଧରେ ବିଧ୍ୱସ୍ତ ହୋଇଥିବା ଇରାନ ନିଜ ଦେଶରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିପାରିବ । କତାର୍ ଅନ୍ତର୍ଜାତୀୟ ସ୍ତରରେ ଇରାନର ପକ୍ଷ ରଖି କ୍ରମାଗତ ଭାବେ ଓକିଲାତି କରୁଛି ।

ଆହୁରି ପଢ଼ନ୍ତୁ... Pakistan spying India: ଆକାଶରୁ ଭାରତ ଉପରେ ପାକିସ୍ତାନର ଗୁପ୍ତ ନଜର, ଚୀନ ସହାୟତାରେ ରଚିଲା ବଡ଼ ଷଡ଼ଯନ୍ତ୍ର; ମାଡ଼ି ଆସୁଛି ବଡ଼ ବିପଦ !