କଟକ ୦୯/୧୦: “ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ ପରେ ଜୀ-ସାର୍ଥକ ପକ୍ଷରୁ ତିଆରି ହୋଇଛି ଏହାର  ସିକ୍ୱେଲ “ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା  ୨. ୦’ । ଅକ୍ଟୋବର ୧୩ ତାରିଖ ସନ୍ଧ୍ୟା  ୬.୩୦ରେ ଦର୍ଶକ ଏ ଫିଲ୍ମ ଜୀ-ସାର୍ଥକରେ ଦେଖିବାକୁ ପାଇବେ । ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ଅନନ୍ୟା ଦାସ ।  

ଫିଲ୍ମର କଥାବସ୍ତୁ ଏମିତି - ରାହୁଲ  ନାମକ ଯୁବକର ମହାକାଶ ବିଜ୍ଞାନ  ଉପରେ ଢେର ରୁଚି ରହିଛି ।  ସେ ଏତେ ଜ୍ଞାନୀ ଯେ  ସବୁବେଳେ କିଛି ନା  କିଛି ନୂଆ ଆବିଷ୍କାର  କରୁଥାଏ ।  ତାଙ୍କର ଏହି  ଗୁଣକୁ  ଅନ୍ୟ  ଗ୍ରହରେ  ଥିବା  ଏଲିଏନ୍‌  ଜାଣିପାରି ଖୁବ  ଇର୍ଷାରେ ରହୁଥାନ୍ତି ।  ଏଲିଏନ୍‌ ରାହୁଲଙ୍କ  ଭବିଷ୍ୟତ ଦେଖିପାରି ଜାଣନ୍ତି  ଯେ ଭବିଷ୍ୟତରେ ଏଲିଏନ୍‌  ସଭ୍ୟତା ପାଇଁ ରାହୁଲ  ବିପଦ ହୋଇପାରନ୍ତି ।  ତାଙ୍କୁ ମାରିବାର ଯୋଜନା  କରନ୍ତି ଏଲିଏନ୍‌ ।  ରାହୁଲକୁ ମାରିବା  ପାଇଁ ଜଣେ ଝିଅ  ରୂପରେ ଏଲିଏନ୍‌  ପୃଥିବୀକୁ ଆସି  ବିଫଳ ହୋଇଥାଏ ।  ରାହୁଲ ବୁଦ୍ଧି ପ୍ରୟୋଗ  କରି ସବୁବେଳେ  ବର୍ତ୍ତି ଯାଉଥାନ୍ତି । ରାହୁଲକୁ ମାରିବାକୁ  ଆସିଥିବା ଏଲିଏନ୍‌  ବର୍ତ୍ତମାନ ରାହୁଲଙ୍କ  ରକ୍ଷାକର୍ତ୍ତା ଭାବରେ ଠିଆ ହୁଏ ।  ଶେଷ ପରିଣତି କ’ଣ ହେବ? ଏ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର କ୍ଲାଇମାକ୍ସରେ । 

ଫିଲ୍ମର  ନିର୍ଦ୍ଦେଶନା ଦେଇଛନ୍ତି ସଂଜୟ ନାୟକ । ପ୍ରଯୋଜକ  ଦେବପ୍ରିୟ ସେନା ନାୟକ । ଗୀତ ରଚନା କରିଛନ୍ତି  ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ବିରଜା  ପ୍ରସାଦ ସର, କଣ୍ଠଦାନ କରିଛନ୍ତି ସତ୍ୟଜିତ୍‌,  ଅନ୍ତରା ଚକ୍ରବର୍ତ୍ତୀ, ଜିତେନ୍ଦ୍ର ସୁତାର । ଫିଲ୍ମଟି  ଦର୍ଶକଙ୍କ ଦ୍ୱାରା ଗ୍ରହଣୀୟ ହେବ ବୋଲି  ଆଶା କରିଛନ୍ତି ଚିଫ୍‌ ଚ୍ୟାନେଲ ଅଫିସର୍‌  ପ୍ରତୀକ ସିଲ୍‌।