କଟକ ୦୯/୧୦: “ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ ପରେ ଜୀ-ସାର୍ଥକ ପକ୍ଷରୁ ତିଆରି ହୋଇଛି ଏହାର ସିକ୍ୱେଲ “ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା ୨. ୦’ । ଅକ୍ଟୋବର ୧୩ ତାରିଖ ସନ୍ଧ୍ୟା ୬.୩୦ରେ ଦର୍ଶକ ଏ ଫିଲ୍ମ ଜୀ-ସାର୍ଥକରେ ଦେଖିବାକୁ ପାଇବେ । ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ଅନନ୍ୟା ଦାସ ।
ଫିଲ୍ମର କଥାବସ୍ତୁ ଏମିତି - ରାହୁଲ ନାମକ ଯୁବକର ମହାକାଶ ବିଜ୍ଞାନ ଉପରେ ଢେର ରୁଚି ରହିଛି । ସେ ଏତେ ଜ୍ଞାନୀ ଯେ ସବୁବେଳେ କିଛି ନା କିଛି ନୂଆ ଆବିଷ୍କାର କରୁଥାଏ । ତାଙ୍କର ଏହି ଗୁଣକୁ ଅନ୍ୟ ଗ୍ରହରେ ଥିବା ଏଲିଏନ୍ ଜାଣିପାରି ଖୁବ ଇର୍ଷାରେ ରହୁଥାନ୍ତି । ଏଲିଏନ୍ ରାହୁଲଙ୍କ ଭବିଷ୍ୟତ ଦେଖିପାରି ଜାଣନ୍ତି ଯେ ଭବିଷ୍ୟତରେ ଏଲିଏନ୍ ସଭ୍ୟତା ପାଇଁ ରାହୁଲ ବିପଦ ହୋଇପାରନ୍ତି । ତାଙ୍କୁ ମାରିବାର ଯୋଜନା କରନ୍ତି ଏଲିଏନ୍ । ରାହୁଲକୁ ମାରିବା ପାଇଁ ଜଣେ ଝିଅ ରୂପରେ ଏଲିଏନ୍ ପୃଥିବୀକୁ ଆସି ବିଫଳ ହୋଇଥାଏ । ରାହୁଲ ବୁଦ୍ଧି ପ୍ରୟୋଗ କରି ସବୁବେଳେ ବର୍ତ୍ତି ଯାଉଥାନ୍ତି । ରାହୁଲକୁ ମାରିବାକୁ ଆସିଥିବା ଏଲିଏନ୍ ବର୍ତ୍ତମାନ ରାହୁଲଙ୍କ ରକ୍ଷାକର୍ତ୍ତା ଭାବରେ ଠିଆ ହୁଏ । ଶେଷ ପରିଣତି କ’ଣ ହେବ? ଏ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର କ୍ଲାଇମାକ୍ସରେ ।
ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସଂଜୟ ନାୟକ । ପ୍ରଯୋଜକ ଦେବପ୍ରିୟ ସେନା ନାୟକ । ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ବିରଜା ପ୍ରସାଦ ସର, କଣ୍ଠଦାନ କରିଛନ୍ତି ସତ୍ୟଜିତ୍, ଅନ୍ତରା ଚକ୍ରବର୍ତ୍ତୀ, ଜିତେନ୍ଦ୍ର ସୁତାର । ଫିଲ୍ମଟି ଦର୍ଶକଙ୍କ ଦ୍ୱାରା ଗ୍ରହଣୀୟ ହେବ ବୋଲି ଆଶା କରିଛନ୍ତି ଚିଫ୍ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍।