ମୁମ୍ବାଇ,୧୭।୧୧: ମହାରାଷ୍ଟ୍ର ଓ ଝାରଖଣ୍ଡରେ ନିର୍ବାଚନ ତାତି ଥମିବାର ନାଁ ନେଉନି । ବିଭିନ୍ନ ନେତା ମନ୍ତ୍ରୀଙ୍କ ବୟାନରେ ଦେଶର ରାଜନୀତି ସରଗରମ ରହିଛି । ଖବରର ଶିରୋନାମା ପାଲଟୁଛି ବିଭିନ୍ନ ସ୍ଲୋଗାନ ଏବଂ ନେତାଙ୍କ ମନ୍ତବ୍ୟ । ଏହି କ୍ରମରେ ମହାରାଷ୍ଟ୍ରର ପୂର୍ବତନ ମଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନ ଏବେ ଚର୍ଚ୍ଚାରେ । 

ଶିବସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ନିକଟରେ ଅବସର ଗ୍ରହଣ କରିଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡଙ୍କ ଉପରେ ବର୍ଷିଛନ୍ତି । “ଶିବସେନା ଦଳ ଛାଡି ଥିବା ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ସମ୍ପର୍କରେ ଉପଯୁକ୍ତ ରାୟ ନଦେଇ ଚାଲିଯିବା ଆଦୌ ଗ୍ରହଣୀୟ ନୁହେଁ । ଚନ୍ଦ୍ରଚୂଡ଼ ଆଇନ ପଢାଉଥିବା ଜଣେ ଭଲ ପ୍ରଧ୍ୟାପକ ହେଇପାରନ୍ତି ହେଲେ ସେ ଜଣେ ଭଲ ବିଚାରପତି ନୁହନ୍ତି । ସେ ଜଣେ ବିଚାରପତି ଅପେକ୍ଷା ଜଣେ ଭଲ ଭାଷ୍ୟକାର ଥିଲେ ବୋଲି ଉଦ୍ଧବ ଠାକରେ କହିଛନ୍ତି । 

“ସଂପ୍ରତି ଭାରତରେ ଶାସନ କରୁଥିବା ବିଜେପି ଦଳର ଶୀର୍ଷ ନେତୃତ୍ବ ବଡ ଚତୁର । ସେମାନେ ସମସ୍ତଙ୍କୁ ବ୍ୟବହାର କରିଲା ପରେ ଫିଙ୍ଗି ଦିଅନ୍ତି କିନ୍ତୁ କଂଗ୍ରେସ ଦଳର ନେତୃତ୍ବ ଅତ୍ୟନ୍ତ ସମ୍ମାନଜନକ ଓ ସହମତିଭିତ୍ତିକ ଅଟେ । କଂଗ୍ରେସ ଦଳ ବର୍ତ୍ତମାନ ଶାସନରେ ନାହିଁ, ଆପଣ ମାନେ ମଧ୍ୟ ବିଚାରକୁ ନେଇପାରନ୍ତି କେଉଁ ଦଳ ପାଖରେ ମଣିଷ ପଣିଆ ଅଛି ” ବୋଲି ଉଦ୍ଧବ କହିଛନ୍ତି । ବିଜେପି ଦଳର ବିଧାୟକ ଦେବେନ୍ଦ୍ର ଫଡନାଭିସ୍ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ମହାରାଷ୍ଟ୍ର ଶେଷ ବୋଲି ସେ କହିଛନ୍ତି । 

ଆଦାନୀ-ଧାରାବି ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି “ଯେଉଁଭଳି ଭାବେ ମୁମ୍ବାଇ ଇଂରେଜଙ୍କୁ ଯୌତୁକ ସୁତ୍ରରେ ମିଳିଥିଲା ଠିକ ସେଭଳି ମୁମ୍ବାଇକୁ ଆଦାନୀଙ୍କ ହାତକୁ ଟେକି ଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଲୋକମାନେ ସରକାରକୁ ବାଛିଥିଲେ, ଆଦାନୀଙ୍କୁ ନୁହେଁ । ମୁଁ ମୁଖ୍ୟମନ୍ତ୍ରୀ ଥିବାବେଳେ ବି ଆଦାନୀଙ୍କୁ ଭେଟିଥିଲି କିନ୍ତୁ ଧାରାବିକୁ ନେଇ କୈଣସି ଆଲୋଚନା ହୋଇ ନ ଥିଲା। ମୋ ସରକାରରେ ଏହା ଆଦୌ ସମ୍ଭବପର ନଥିଲା ।”