ପ୍ରମୂଖ ଖବର
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କୁ ପୁଣି ଭେଟିଲେ ଉଦ୍ଧବ ଠାକରେ, ସାଥିରେ ଥିଲେ ପୁଅ ଆଦିତ୍ୟ

Published By : Tapas Panda | July 17, 2025 7:42 PM

Image Courtesy: outlookindia

ମୁମ୍ବାଇ: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଗୁରୁବାର (୧୭ ଜୁଲାଇ) ସାକ୍ଷାତ କରିଛନ୍ତି ।  ଦୁଇ ନେତାଙ୍କ ମଧ୍ୟରେ ୨୦ ମିନିଟ ଧରି ଆଲୋଚନା ହୋଇଛି । ଉଦ୍ଧବ ଠାକରେଙ୍କ ସହିତ ତାଙ୍କ ବିଧାୟକ ପୁଅ ଆଦିତ୍ୟ ଠାକରେ ମଧ୍ୟ ଥିଲେ । ଉଭୟ ନେତା ବିଧାନସଭାର ପୂର୍ବ କକ୍ଷରେ ପ୍ରାୟ କୋଡ଼ିଏ ମିନିଟ୍ ପାଇଁ ମୁଖ୍ୟମନ୍ତ୍ରୀ ଫଡନାବିସ୍‌ଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ବିଧାନସଭାରେ ବିରୋଧୀ ଦଳ ନେତା ପଦବୀ, ତିନି ଭାଷା ଫର୍ମୁଲା ଏବଂ ବାଧ୍ୟତାମୂଳକ ହିନ୍ଦୀ ଭାଷା ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି । 

ଏହି ସମୟରେ ଉଦ୍ଧବ ଠାକରେ ଦେବେନ୍ଦ୍ର ଫଡନବିସ୍ଙ୍କୁ 'ହିନ୍ଦୀ କି ଜବରଦସ୍ତି ଆଖିର କ୍ୟୋଁ?' ଶୀର୍ଷକ ଏକ ପୁସ୍ତକ ପ୍ରଦାନ କରିଛନ୍ତି । ସେହିଭଳି ବିଧାନସଭାରେ ବିରୋଧୀ ଦଳ ନେତା ପଦବୀ ଦେବା ବାଚସ୍ପତିଙ୍କ ଅଧିକାର, କିନ୍ତୁ ଏପର୍ଯ୍ୟନ୍ତ ଏହି ପଦବୀ ଉଦ୍ଧବ ଠାକରେ ଗୋଷ୍ଠୀକୁ ଦିଆଯାଇ ନାହିଁ । ଏହାକୁ ନେଇ ଉଦ୍ଧବ ଠାକରେ ଏବଂ ଶିବସେନା (ୟୁବିଟି) ବିଧାୟକ ଆଦିତ୍ୟ ଠାକରେ ପୂର୍ବ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ସମୟରେ ଠାକରେ ଗୋଷ୍ଠୀର ଅନ୍ୟ କିଛି ବିଧାୟକ ମଧ୍ୟ ଉପସ୍ଥିତ ଥିଲେ ବୋଲି କୁହାଯାଉଛି । 

ବିଧାନ ଭବନରେ, ଦେବେନ୍ଦ୍ର ଫଡନବିସ୍ ଉଦ୍ଧବ ଠାକରେଙ୍କୁ ତାଙ୍କ ସହିତ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ । ତେଣୁ ଏହି ସାକ୍ଷାତ ଆଲୋଚନାକୁ ନେଇ ଚର୍ଚ୍ଚା ହେଉଛି । ଦେବେନ୍ଦ୍ର ଫଡନବିସ୍ କହିଥିଲେ, ‘୨୦୨୯ ପର୍ଯ୍ୟନ୍ତ କୌଣସି ସୁଯୋଗ ନାହିଁ, କିନ୍ତୁ ଉଦ୍ଧବଜୀ, ଆପଣଙ୍କୁ ଏଠାରେ ସାମିଲ କରିବା ପାଇଁ ବିଚାର କରାଯାଇପାରିବ।’ ସେପଟେ , ମୁଖ୍ୟମନ୍ତ୍ରୀ ଫଡନାବିସଙ୍କ ଏହି ଅଫର ବିଷୟରେ ପଚରାଯିବାରୁ ୟୁବିଟି ମୁଖ୍ୟ କହିଥିଲେ ଯେ, ଏହାକୁ ଛାଡ଼ ଏସବୁ ହସ ମଜାର କଥା । 

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଏହି ପ୍ରସ୍ତାବ ଏପରି ସମୟରେ ଆସିଛି ଯେତେବେଳେ ଉଦ୍ଧବ ଠାକରେଙ୍କ ସହିତ ରାଜ ଠାକରେଙ୍କ ଘନିଷ୍ଠତା ବୃଦ୍ଧି ପାଇଛି । ଜୁଲାଇ ୫ରେ ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ ଠାକରେ ଏକ ମିଳିତ ରାଲି କରିଥିଲେ ଏବଂ ମହାରାଷ୍ଟ୍ରରେ ମରାଠୀ-ହିନ୍ଦୀ ଭାଷା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.