ନୂଆଦିଲ୍ଲୀ ୧୯/୧୨: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପଛରୁ ଦ୍ରୁତ ବେଗରେ ୟୁଏଫ୍ଓ ଯିବାର ଦେଖାଯାଇଛି । ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ଦୁଇଟି ହ୍ୟାଣ୍ଡେଲ୍ ଅଛି, ଯିଏ ଦାବି କରୁଛନ୍ତି ଯେ ମହାକାଶ କେନ୍ଦ୍ର ପଛରୁ ଏଲିଅନ୍ ଯାନ ଯାଇଛି । ଏହାକୁ ଦେଖିବା ମାତ୍ରେ ନାସା ମହାକାଶ କେନ୍ଦ୍ରରୁ ଚାଲିଥିବା ସିଧାପ୍ରସାରଣକୁ କାଟିଦେଲା । ଅଦ୍ୟାବଧି ମହାକାଶକୁ ଡ୍ରୋନ୍ ଯିବାର କୌଶଳ କୌଣସି ଦେଶ ବିକଶିତ କରିନାହାନ୍ତି । ତେଣୁ ଏହା ସ୍ପଷ୍ଟ ଯେ ତାହା ମହାକାଶ ଡ୍ରୋନ୍ ନ ଥିଲା । ଏହି ଆଲୋକକୁ ଲୋକେ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ସିଧାପ୍ରସାରଣରେ ଦେଖିଲେ । ଏହା ପରେ ସିଧାପ୍ରସାରଣକୁ ବନ୍ଦ କରିଦିଆଗଲା ।
ଜିମ୍ ଫର୍ଗୁସନ୍ ଲେଖିଛନ୍ତି, ୟୁଏଫ୍ଓ ଦେଖିବା ପରେ ନାସା ସିଧାପ୍ରସାରଣ ବନ୍ଦ କରିଦେଲା । ହଠାତ୍ ଏକ ରହସ୍ୟମୟୀ ମହାକାଶଯାନ କ୍ୟାମେରା ଲେନ୍ସକୁ ଚାଲିଆସିବା ଯୋଗୁ ଏପରି କରାଗଲା । ଏହି ଫୁଟେଜ୍ର ବେଗକୁ ଟିକିଏ ବଢ଼ାଯାଇଛି । ୟୁଏଫ୍ଓ ପୂରା କ୍ୟାମେରା ସ୍କ୍ରିନ୍କୁ ଅତିକ୍ରମ କରି ଅନ୍ଧାରକୁ ଯାଉଥିବା ଦେଖାଯାଇଛି । ସିଧାପ୍ରସାରଣ ସଂଯୋଗ କାଟି ନାସା କିଛି ରହସ୍ୟ ଲୁଚାଉଛି କି ବୋଲି ଜିମ୍ ପ୍ରଶ୍ନ କରିଛନ୍ତି । ଏହା ପୂର୍ବରୁ ଟ୍ରୁଥ୍ପୋଲ ନାମକ ଏକ୍ସ ହ୍ୟାଣ୍ଡେଲ୍ ମଧ୍ୟ ଏହି ଖବର ଶେୟାର କରିଥିଲା । ନାସା ଗତ ବର୍ଷ ସେପ୍ଟେମ୍ବରରେ କହିଥିଲା, ୟୁଏଫ୍ଓ (ଅନ୍ଆଇଡେଣ୍ଟିଫାଏଡ୍ ଫ୍ଲାଇଙ୍ଗ୍ ଅବ୍ଜେକ୍ଟସ) ବା ୟୁଏପି (ଅନ୍ଆଇଡେଣ୍ଟିଫାଏଡ୍ ଏରିଅଲ ଫେନୋମେନା) କ’ଣ ସେ ବିଷୟରେ ତାକୁ ଜଣାନାହିଁ । ଆମ ପାଖରେ ଯେଉଁ ପ୍ରମାଣ ଅଛି, ସେଥିରୁ ଜଣାପଡୁନାହିଁ ଯେ ୟୁଏପିର ଅନ୍ୟ ଦୁନିଆ ସହ ସମ୍ପର୍କ ଅଛି । ବୈଜ୍ଞାନିକ ଉପାୟରେ ଆମେ ଏହାର ଅନ୍ୱେଷଣ କରିବୁ । ଏଥିପାଇଁ ବିଶେଷଜ୍ଞଙ୍କ ସାହାଯ୍ୟ ନେବୁ ।
ସୂଚନାଯୋଗ୍ୟ, ଏଲିଅନ ଦୃଶ୍ୟମାନ ହେବା କିମ୍ବା ସେମାନଙ୍କ ଯାନ ଅର୍ଥାତ୍ ୟୁଏଫ୍ଓ ସର୍ବଦା ଚର୍ଚ୍ଚା ଓ ବିବାଦର ବିଷୟ ହୋଇ ରହିଛି । ୟୁଏଫ୍ଓକୁ ଆମେରିକା ଅଲଗା ଅଲଗା ନାଁ ଯଥା- ୟୁଏପି ନାମରେ ମଧ୍ୟ ସମ୍ବୋଧନ କରୁଛି । ଗତ ବର୍ଷ ଏମାନଙ୍କର ଅଧ୍ୟୟନ ଲାଗି ନାସା ଏକ ଟିମ୍ ଗଠନ କରିଥିଲା । ଉଚ୍ଚ ଗୁଣବତ୍ତାସମ୍ପନ୍ନ ଛବି ବା ଭିଡିଓ ନ ଥିବାରୁ ୟୁଏଫ୍ଓକୁ ବୁଝିବା ମୁସ୍କିଲ ହେଉଛି । ଏହା କୌଣସି ବିମାନ ନା କୌଣସି ପ୍ରାକୃତିକ ଘଟଣା, ଅନେକ ସମୟରେ ବୁଝି ହେଉନାହିଁ । ଏହାର ଅଧ୍ୟୟନ ଲାଗି ନାସା ଗଠନ କରିଥିବା ଟିମ୍ରେ ବୈଜ୍ଞାନିକ, ଏରୋନଟିକ୍ ଓ ଡାଟା ଆନାଲିଟିକ୍ ବିଶେଷଜ୍ଞ ଅଛନ୍ତି ।
ନାସା ବୈଜ୍ଞାନିକ ଥୋମାସ ଜୁରବୁଚେନ୍ କହିଥିଲେ, ଆମେ ପୃଥିବୀରୁ ମହାକାଶରେ ଅନେକ ପ୍ରକାର ବସ୍ତୁ ଦେଖିଛୁ । ସେ ବିଷୟରେ ଜାଣିବା ଜରୁରି । ଗତ ବର୍ଷ ଅକ୍ଟୋବରରେ ନକ୍ଷତ୍ରବିଜ୍ଞାନୀ ଡେଭିଡ୍ ସ୍ପରଜେଲଙ୍କ ନେତୃତ୍ୱରେ ଏକ ଟିମ୍ ଗଠିତ ହୋଇଥିଲା । ଏହା ୯ ମାସ ଧରି ଏଭଳି ଘଟଣା ସମ୍ବନ୍ଧୀୟ ତଥ୍ୟର ଯାଞ୍ଚ୍ କରିଥିଲା ।
ପେଣ୍ଟାଗନ୍ ନିରନ୍ତର ଏଲିଅନ ଯାନ ଦେଖାଯିବା ସମ୍ପର୍କିତ ଘଟଣାର ଯାଞ୍ଚ୍ କରୁଛି । ମହାକାଶରେ ହେଉ ବା ଆକାଶରେ ଅଥବା ସମୁଦ୍ରରେ ଅତିକ୍ରମ କରିବା ହେଉ । ଏଭଳି ଶତାଧିକ ରିପୋର୍ଟର ଯାଞ୍ଚ୍ ଚାଲିଛି । କିନ୍ତୁ ଅଦ୍ୟାବଧି ପେଣ୍ଟାଗନ୍ ଏଲିଅନ୍ କିମ୍ବା ସେମାନଙ୍କ ଯାନର ଯାତାୟାତ, ପୃଥିବୀରେ ଅବତରଣ କିମ୍ବା ଉଡ଼ାଣର ପ୍ରମାଣ ପାଇନାହିଁ । ପେଣ୍ଟାଗନ୍ର ଇଣ୍ଟେଲିଜେନ୍ସ ଆଣ୍ଡ ସିକ୍ୟୁରିଟି ବିଭାଗରେ ପ୍ରତିରକ୍ଷା ଅଧୀନରେ କାର୍ଯ୍ୟରତ ସେକ୍ରେଟାରୀ ରୋନାଲ୍ଡ ମଲ୍ଟ୍ରି କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ଏଭଳି କୌଣସି ଘଟଣା ଦେଖିନାହିଁ । ଏଲିଅନ୍ ଯାନ କେଉଁଠି ଦୁର୍ଘଟଣାର ଶିକାର ହୋଇନାହିଁ କିମ୍ବା ଏଭଳି କୌଣସି ଘଟଣା ବିଶ୍ୱରେ ଘଟିନାହିଁ ।
ପେଣ୍ଟାଗନ୍ରେ ଥିବା ନୂଆ ଅଲ୍ ଡୋମେନ ଆନୋମଲି ରିଜୋଲ୍ୟୁଶନ ଅଫିସ୍ର ନିର୍ଦ୍ଦେଶକ ସନ୍ କର୍କପାଟ୍ରିକ୍ କିନ୍ତୁ ଓଲଟା କହୁଛନ୍ତି । ତାଙ୍କ ମତରେ, ଏଲିଅନ ପୃଥିବୀକୁ ଆସିଥାଇ ପାରନ୍ତି । କିନ୍ତୁ ଆମକୁ ଏହାର ଯାଞ୍ଚ୍ ବୈଜ୍ଞାନିକ ଉପାୟରେ କରିବାକୁ ପଡ଼ିବ । ବ୍ରହ୍ମାଣ୍ଡୀୟ ଜୀବନ ହୋଇପାରେ, କିନ୍ତୁ ପ୍ରମାଣ ବିନା ଆମେ ଏହାକୁ ମାନିପାରିବୁ ନାହିଁ । ଆମେ ଏ ପ୍ରକାର ଘଟଣାର ଯାଞ୍ଚ୍ ଲଗାତାର କରୁଛୁ । ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଏଲିଅନ୍ ଆସିଥିଲେ ବୋଲି ଆମେ ମାନିବୁ ନାହିଁ ।
ଆମେରିକାର ଏକ ସରକାରୀ ରିପୋର୍ଟ ଅନୁସାରେ, ୨୦୦୪ ମସିହା ପର୍ଯ୍ୟନ୍ତ ୧୪୦ ମାମଲା ସାମ୍ନାକୁ ଆସିଥିଲା ଯେଉଁଥିରେ ଏଲିଅନ୍ ମହାକାଶଯାନ ଦେଖାଯାଇଥିଲା । ଆମେରିକୀୟ ସାମରିକ ବାହିନୀ ଏହି ଘଟଣାର ରିପୋର୍ଟ ଦେଇଥିଲା । ଆମେରିକା ଏହି ପ୍ରକ୍ରିୟାକୁ ଅନ୍ଆଇଡେଣ୍ଟିଫାଏଡ୍ ଏରିଅଲ ଫେନୋମେନା ବା ୟୁଏପି କହେ । ଏଥିସହ ବିଭିନ୍ନ ସ୍ଥାନରୁ ଏଭଳି ୧୪୩ ଘଟଣା ରିପୋର୍ଟ କରାଯାଇଥିଲା । ଏହା ପୂର୍ବରୁ ୧୯୬୯ ମସିହାରେ ଏଭଳି ଘଟଣାର ଯାଞ୍ଚ୍ ଆରମ୍ଭ ହୋଇଥିଲା, ଯାହାର ନାଁ ଥିଲା ‘ପ୍ରୋଜେକ୍ଟ ବ୍ଲୁ ବୁକ୍’ । ଏଥିରେ ୧୨,୬୧୮ ଥର ୟୁଏଫ୍ଓ ଦେଖାଯାଇଥିଲା । ତନ୍ମଧ୍ୟରେ ୭୦୧ ଘଟଣାର କୌଣସି ଖୁଲାସା ହୋଇପାରିନଥିଲା