• ୟୁଜିସିର ନୂତନ ନିୟମ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
  • ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଜାରି ରହିବ୨୦୧୨ ନିୟମାବଳୀ
  • କୋର୍ଟ କହିଲେ ନିୟମ ଅସ୍ପଷ୍ଟ ଏବଂ ଅପବ୍ୟବହାର ବିପଦ ରହିଛି

ନୂଆଦିଲ୍ଲୀ,୨୯।୧: ୟୁଜିସିର ନୂଆ ନିୟମ ବିରୋଧରେ ସାରା ଦେଶରେ ବିରୋଧ ଜାରି ରହିଛି। ଗୁରୁବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଛାତ୍ରଙ୍କ ଭିତରେ ଭେଦଭାବ ସହ ଜଡିତ ୟୁଜିସି ଇକ୍ବିଟି ରୁଲ୍ସର ନୂଆ ରେଗୁଲେସନକୁ ଚ୍ୟାଲେଞ୍ଜ ଦେଉଥିବା ଜନସ୍ବାର୍ଥ (ପିଆଇଏଲ) ଉପରେ ଶୁଣାଣି କରିଛନ୍ତି। କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ଓ ସଲିସିଟର ଜେନେରାଲଙ୍କୁ କହିଛନ୍ତି ସେମାନେ ନିଜର ପକ୍ଷର ରଖନ୍ତୁ ତଥା କମିଟି ଗଠନ ଉପରେ ବିଚାର କରନ୍ତୁ। ସେପର୍ଯ୍ୟନ୍ତ, ୨୦୧୨ ର ପୁରୁଣା ୟୁଜିସି ନିୟମାବଳୀ କାର୍ଯ୍ୟକାରୀ ହେବ। କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଶୁଣାଣି ବେଳେ ନ୍ୟାୟମୂର୍ତ୍ତି ଜୟମାଲ୍ୟ ବାଗଚୀ କହିଛନ୍ତି, ସମ୍ବିଧାନର ଧାରା ୧୫(୪)ରାଜ୍ୟକୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ ବିଶେଷ ଆଇନ ତିଆରି କରିବାର ଅଧିକାର ଦେଇଥାଏ।ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଆବେଦନକାରୀଙ୍କ ଚିନ୍ତା ବୁଝିପାରୁଛନ୍ତି କିଭଳି ପ୍ରଗତିଶୀଳ ଆଇନରେ ପ୍ରତିଗାମୀ ଆଭିମୁଖ୍ୟ କାହିଁକି ଗ୍ରହଣ କରାଯିବା ଦରକାର। ନ୍ୟାୟମୂର୍ତ୍ତି ବାଗଚି ଉଦାହରଣ ଦେଇ କହିଛନ୍ତି ତାଙ୍କୁ ଆଶା ରହିଛି ଭାରତ-ଆମେରିକା ଭଳି ସ୍ଥିତି ଆଡକୁ ଯିବନି, ଯେଉଁଠି କେବେ ଶ୍ବେତ ଏବଂ ଅଶ୍ବେତ ଛାତ୍ରଙ୍କ ପାଇଁ ଅଲଗା ଅଲଗା ସ୍କୁଲ ଥିଲା। ଏହା ଉପରେ ପ୍ରଧାନ ବିଚାରପତି ଟିପ୍ପଣୀ ଦେଇ କହିଛନ୍ତି, ଏଭଳି ପରିସ୍ଥିତିର ଦୂରୁପଯୋଗ କରିହେବ।

ଆବେଦନକାରୀଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ କିଛି ରାଜନୈତିକ ନେତାଙ୍କ ବୟାନ, ଯେଉଁଥିରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଫି ଦେବାକୁ ପଡିବ, ତାହା ଆହୁରି ଚିନ୍ତାର କାରଣ ହୋଇଛି। ଶୁଣାଣି ସମୟରେ, ଓକିଲ କହିଥିଲେ ଯେ ନିୟମର ଧାରା 3C ର ପରିଭାଷାକୁ ଚ୍ୟାଲେଞ୍ଜ କରାଯାଇଛି କାରଣ ଏହା ଜାତିଭିତ୍ତିକ ଭେଦଭାବକୁ ପ୍ରୋତ୍ସାହିତ କରେ। ବରିଷ୍ଠ ଓକିଲ ବିଷ୍ଣୁ ଶଙ୍କର ଜୈନ ଯୁକ୍ତି ଦେଇଥିଲେ ଯେ ଏହି ବ୍ୟବସ୍ଥା ସମ୍ବିଧାନର ଧାରା ୧୪ ଏବଂ ୧୯କୁ ଉଲ୍ଲଂଘନ କରେ। ସେ ଯୁକ୍ତି କରିଥିଲେ ଯେ ଶିକ୍ଷା କ୍ଷେତ୍ରରେ ଏପରି ଭେଦଭାବ ସମାଜରେ ବିଭାଜନକୁ ଆହୁରି ଗଭୀର କରିବ।

ପ୍ରଧାନ ବିଚାରପତି ଆଶ୍ଚର୍ଯ୍ୟ ପ୍ରକାଶ କରି ପଚାରିଲେ ଯେ ସାଧାରଣ ବର୍ଗ ଏହି ନିୟମ ପରିସରଭୁକ୍ତ ନୁହେଁ କି? ଉତ୍ତରରେ, ଓକିଲ ସ୍ପଷ୍ଟ ଭାବରେ କହିଥିଲେ ଯେ ସାଧାରଣ ବର୍ଗର ଛାତ୍ରମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ସଲିସିଟର ଜେନେରାଲ ଦୟାକରି ଏହି ଘଟଣାର ତଦନ୍ତ କରିବା ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଏକ କମିଟି ଗଠନ କରିବା ବିଷୟରେ ବିଚାର କରନ୍ତୁ ଯାହା ଦ୍ଵାରା ସମାଜ କୌଣସି ବୈଷମ୍ୟ ବିନା ଏକାଠି ବିକାଶ କରିପାରିବ। ଆମର ସ୍ୱାଧୀନତାର ୭୫  ବର୍ଷରୁ ଅଧିକ ବିତିଗଲାଣି, ତଥାପି ଆମେ ଏବେ ବି ଜାତିଗତ ବୈଷମ୍ୟ ସହିତ ସଂଘର୍ଷ କରୁଛୁ। ଆନ୍ତଃଜାତୀୟ ବିବାହ ହେଉଛି ଏବଂ ଛାତ୍ରମାନେ ବିଶ୍ୱବିଦ୍ୟାଳୟରେ ଏକାଠି ପାଠ ପଢ଼ନ୍ତି ଏବଂ ରହନ୍ତି। ତଥାପି ଆମେ ଏବେ ବି ଜାତିଗତ ବୈଷମ୍ୟ ସହିତ ସଂଘର୍ଷ କରୁଛୁ।’

​​​​​​​UGC ର ନୂତନ ନିୟମ କ’ଣ? ​​​​​​​

ପ୍ରତ୍ୟେକ କଲେଜ ଏକ ସମାନ ସୁଯୋଗ କେନ୍ଦ୍ର (EOC) ପ୍ରତିଷ୍ଠା କରିବ। ଇଓସି ଶିକ୍ଷା, ଫି ଏବଂ ଭେଦଭାବ ସମ୍ପର୍କରେ ଅସୁବିଧାଗ୍ରସ୍ତ ଏବଂ ସୀମାନ୍ତ ଛାତ୍ରମାନଙ୍କୁ ସହାୟତା ପ୍ରଦାନ କରିବ। ପ୍ରତ୍ୟେକ କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ସମାନତା କମିଟି ରହିବ। କମିଟିରେ ଏସ୍‌ସି,ଏସ୍‌ଟି, ଓବିସି, ମହିଳା ଏବଂ ଦିବ୍ୟାଙ୍ଗମାନଙ୍କୁ ସାମିଲ କରାଯିବ। କମିଟିର କାର୍ଯ୍ୟକାଳ ଦୁଇ ବର୍ଷ ହେବ। କଲେଜରେ ଏକ ସମାନତା ସ୍କ୍ୱାଡ୍ ମଧ୍ୟ ରହିବ, ଯାହା ଭେଦଭାବ ଉପରେ ନଜର ରଖିବ। ଭେଦଭାବର ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ଏକ ବୈଠକ ବାଧ୍ୟତାମୂଳକ ହେବ। ୧୫ ଦିନ ମଧ୍ୟରେ କଲେଜ ଅଧ୍ୟକ୍ଷଙ୍କୁ ଏକ ରିପୋର୍ଟ ଦାଖଲ କରାଯିବ। କଲେଜ ଅଧ୍ୟକ୍ଷ ସାତ ଦିନ ମଧ୍ୟରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ। ଇଓସି ପ୍ରତି ଛଅ ମାସରେ କଲେଜକୁ ରିପୋର୍ଟ କରିବେ। ଜାତିଗତ ଭେଦଭାବ ଉପରେ କଲେଜକୁ ପ୍ରତିବର୍ଷ ୟୁଜିସି କୁ ଏକ ରିପୋର୍ଟ ଦାଖଲ କରିବାକୁ ପଡିବ। ୟୁଜିସି ଏକ ଜାତୀୟ ମନିଟରିଂ କମିଟି ପ୍ରତିଷ୍ଠା କରିବ। ନିୟମ ଉଲ୍ଲଂଘନ କଲେ କଲେଜର ଅନୁଦାନ ବନ୍ଦ ହୋଇପାରେ। କଲେଜର ଡିଗ୍ରୀ, ଅନଲାଇନ୍ ଏବଂ ଡିଷ୍ଟାନ୍ସ କୋର୍ସ ଉପରେ ରୋକ ଲଗାଯାଇପାରେ। ଗମ୍ଭୀର ମାମଲାରେ ୟୁଜିସିର ମାନ୍ୟତା ରଦ୍ଦ ହୋଇପାରେ।

ଆହୁରି ପଢନ୍ତୁ :ହାଲୱା ସେରମୋନୀ ପରେ ବେସ୍‌ମେଣ୍ଟରେ ବନ୍ଦ ହୋଇଯାଆନ୍ତି ଅଧିକାରୀ: ବାହ୍ୟ ଜଗତଠାରୁ ପୁରା ବିଚ୍ଛିନ୍ନ, କେବେଠୁ ଏହି ପରମ୍ପରା ?