ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଇଷ୍ଟଇଣ୍ଡିଆ କମ୍ପାନି ଭାରତରୁ ନେଇଛି ୬୫ ଲକ୍ଷ କୋଟି ଡଲାର, ଏବେ ଦକ୍ଷ ପ୍ରତିଭାଙ୍କୁ ୯୫% କମ୍‌ ବେତନରେ ଖଟାଉଛନ୍ତି : ଅକ୍ସଫାମ ଇଣ୍ଟରନ୍ୟାସନାଲ ରିପୋର୍ଟ

Published By : Prameya | January 21, 2025 8:14 AM

ନୂଆଦିଲ୍ଲୀ,୨୧/୦୧: ୧୭୬୫ରୁ ୧୯୪୭  ଇଂରେଜ ଶାସନ କାଳରେ ରସାତଳଗାମୀ ହୋଇଥିଲା ଭାରତର ଅର୍ଥନୀତି । ଶାସନ କରିବାକୁ ଆସି ଏମାନେ ଦେଶରୁ ଲୁଟି ନେଇଥିଲେ ୬୪  ଲକ୍ଷ ୮୨ ହଜାର କୋଟି ଡଲାରର ସମ୍ପତ୍ତି । ଏହି  ସମ୍ପତ୍ତି ଯାଇଥିଲା ବ୍ରିଟେନର ୧୦% ଧନୀ ବ୍ୟକ୍ତିଙ୍କ ପାଖକୁ । ୨୦୦ ବର୍ଷ ଆମ ଦେଶର ଘରୋଇ ଶିଳ୍ପ  ଉପରେ କଟକଣା ଲଗାଇ ସେମାନଙ୍କ ଅଭିବୃଦ୍ଧି  ବାଟ ବନ୍ଦ କରିଦେଇଥିଲେ । ବ୍ରିଟେନ ସାମଗ୍ରୀକୁ ଲଗାତାର ପ୍ରୋତ୍ସାହନ ଭାରତକୁ ଦୁର୍ବଳ କଲା ।  

ସେହି ସ୍ଥିତି ଏବେ ବି ଅନ୍ୟ ଏକ ଢଙ୍ଗରେ ଜାରି ରହିଛି । ଇଷ୍ଟଇଣ୍ଡିଆ କମ୍ପାନି ଭଳି ବହୁଦେଶୀୟ କମ୍ପାନି ଗୁଡିକ ଏଭଳି ଶୋଷଣ ନୀତି ଜାରି ରଖିଛନ୍ତି । ଏକଚାଟିଆ ନୀତି, ସାମରିକ କ୍ଷମତା ବ୍ୟବହାର  କରି ଦୁର୍ବଳ ରାଷ୍ଟ୍ରଗୁଡିକର ଯୋଗ୍ୟ ମାନବ ସମ୍ବଳ  ଏବଂ ପ୍ରାକୃତିକ ସମ୍ବଳକୁ ଲୁଟ କରୁଛନ୍ତି ସେମାନେ । 

ଏଭଳି ତଥ୍ୟ ଅକ୍ସଫାମ ଇଣ୍ଟରନ୍ୟାସନାଲ  ପକ୍ଷରୁ ଜାରି ‘ଟେକର୍ସ ନଟ୍‌ ମେକର୍ସ ରିପୋର୍ଟରୁ  ଜଣାପଡିଛି । ସ୍ୱିଜରଲାଣ୍ଡର ଡାଭୋସରେ ଚାଲିଥିବା  ୱାର୍ଲଡ ଇକୋନୋମିକ ଫୋରମ ବାର୍ଷିକ ବୈଠକ  ଅବସରରେ ଅକ୍ସଫାମ ଏଭଳି ଏକ ରିପୋର୍ଟ  ଜାରି କରିଛି । ଏଥିରେ କୁହାଯାଇଛି ଯେ,  ବର୍ତ୍ତମାନର ବହୁଦେଶୀୟ କମ୍ପାନି ଗୁଡିକ ଯୋଗାଣ  ଶୃଙ୍ଖଳାକୁ ନିୟନ୍ତ୍ରଣ କରି ସମ୍ବଳ ଲୁଟୁଛନ୍ତି । ଯାହା  ‘ଗ୍ଲୋବାଲ ସାଉଥ‘କୁ ଗଭୀର କ୍ଷତି ପହଞ୍ଚାଉଛି ।  

ଏଭଳି କର୍ପୋରେଟଗୁଡିକ ନିଜେ ବେଶ ଭଲ  ଫାଇଦା କମାଉଛନ୍ତି । ମାତ୍ର ଏହାର ଲାଭ ଅନ୍ୟ  ଦେଶଗୁଡିକୁ ମିଳୁନି । ଇଂରେଜ ଶାସନ ସମୟରେ  ବୁଣାଯାଇଥିବା ଅସମାନତାର ମଞ୍ଜି ବର୍ତ୍ତମାନ ରୂପ  ବଦଳାଇ କାୟା ବିସ୍ତାର କରିଛି, ତାର ବାସ୍ତବ ଛବି  ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  

୧୭୬୫ରୁ ୧୯୦୦ ଯାଏ ବ୍ରିଟେନ ଭାରତରୁ  ୬୪.୮୨ ଲକ୍ଷ କୋଟି ଡଲାର ସମ୍ପତ୍ତି ଲୁଟି  ନେଇଥିଲା । ଏଥି ମଧ୍ୟରୁ ଅର୍ଦ୍ଧାଧିକ ସମ୍ପତ୍ତି  କେବଳ ବ୍ରିଟେନର ୧୦% ଲୋକଙ୍କ ନିକଟକୁ  ଯାଇଥିଲା । ଏହି ସମ୍ପତ୍ତି ବ୍ରିଟେନର ଅଭିବୃଦ୍ଧିକୁ  ତ୍ୱରାନ୍ୱିତ କରିଥିବା ବେଳେ ଭାରତ କାଙ୍ଗାଳ  ସ୍ଥିତିକୁ ଚାଲି ଆସିଲା । ଉପନିବେଶବାଦ  ରୀତିମତ ଭାବେ ଭାରତର ଶିଳ୍ପ କ୍ଷେତ୍ରକୁ ଦୀର୍ଘ  ମିଆଦୀ ଭିତ୍ତିରେ ପଙ୍ଗୁ କରିଦେଲା । 

୨୦୨୪ରେ ଅରବପତିଙ୍କ ସମ୍ପତ୍ତି ୨ ଲକ୍ଷ କୋଟି ଡଲାର ବଢ଼ିଛି । ଏହା ଏବେ  ୧୫ ଲକ୍ଷ କୋଟି ଡଲାର ଛୁଇଁଛି । ଗତ ବର୍ଷ ତୁଳନାରେ ଏଥିରେ ୩ ଗୁଣା ବୃଦ୍ଧି  ହୋଇଛି । ଗତ ବର୍ଷ ସାରା ବିଶ୍ୱରେ ସୃଷ୍ଟି ହୋଇଛନ୍ତି ୨୦୪ ନୂଆ ଅରବପତି ।  ଗୋଟିଏ ପଟେ ଅତିଧନୀ ବ୍ୟକ୍ତି ବିଶେଷଙ୍କ ଅଭ୍ୟୁଦୟ ଏବଂ ଅନ୍ୟପଟେ  ଦାରିଦ୍ର‌୍ୟର ବିକଳ ଚିତ୍ରକୁ ଅକ୍ସଫାମ ଏହାର ରିପୋର୍ଟରେ ଦର୍ଶାଇଛି । 

୬୦% ଅରବପତି ସେମାନଙ୍କ ସମ୍ପତ୍ତି ବଂଶାନୁକ୍ରମିକ ଏବଂ ଏକଚାଟିଆ  ଭାବେ ଲାଭ କରିଛନ୍ତି । ଏହି ରିପୋର୍ଟ ଆତ୍ମ ପ୍ରୟାସରେ ଅରବପତି ହୋଇଥିବା  ବ୍ୟକ୍ତିଙ୍କ ଦାବିକୁ ଚ୍ୟାଲେଞ୍ଜ କରିବା ସହ ବଂଶାନୁକ୍ରମିକ ସମ୍ପତ୍ତି ସମାଜରେ  ଅସମାନତା ସୃଷ୍ଟି କରୁଥିବା ଦର୍ଶାଇଛି । ୨୦୩୪ ବେଳକୁ ବଂଶାକୁକ୍ରମିକ  ଭାବେ ୫.୨ ଲକ୍ଷ କୋଟି ଡଲାର ସମ୍ପତ୍ତି ପରପୀଢ଼ି ଦାୟାଦଙ୍କ ନିକଟକୁ  ଯିବ । ଯାହା ସମ୍ପତ୍ତି ମାତ୍ର କିଛି ଲୋକଙ୍କ ନିକଟରେ ଠୁଳ ବୋଲି ଦର୍ଶାଉଛି ।  

ବେତନର ଅସମାନତା ଉଚ୍ଚ ଆୟକାରୀ ରାଷ୍ଟ୍ର ଗୁଡିକରେ ମଧ୍ୟ ରହିଛି ।  ଏଠାରେ ପୁରୁଷଙ୍କୁ ତୁଳନାରେ ମହିଳା ମାନେ ୨୦.୯% କମ୍‌ ପାରିଶ୍ରମିକ  ପାଉଛନ୍ତି । ସମାନ ଦକ୍ଷତା ଥାଇ ଏହି ଦେଶ ଗୁଡିକର ପ୍ରଫେସନାଲଙ୍କ  ତୁଳନାରେ ଗ୍ଲୋବାଲ ସାଉଥର ବ୍ୟକ୍ତିବିଶେଷ ୯୫% ଯାଏ କମ୍‌ ପାରିଶ୍ରମିକରେ  କାମ କରୁଥିବା ରିପୋର୍ଟରେ ଦର୍ଶାଯାଇଛି ।  

ଏବେ ବିଶ୍ୱ ଯୋଗାଣ ଶୃଙ୍ଖଳା ଇଂରେଜ ଶାସନ ଅମଳରେ ଲୁଟ୍‌ ଭଳି  ବ୍ୟବହାର ହେଉଛି । ଗ୍ଲୋବାଲ ସାଉଥର ପ୍ରଫେସନାଲମାନେ ଖରାପ କାର୍ଯ୍ୟ  ସ୍ଥିତି, ସ୍ୱଳ୍ପ ବେତନ ଏବଂ ସାମାଜିକ ସୁରକ୍ଷା ଲାଭରୁ ବଞ୍ଚିତ ହେଉଛନ୍ତି ।  କର୍ପୋରେଟ ଗୁଡିକ ହଜାର ହଜାର କୋଟିର ଲାଭ କମାଉଥିବା ବେଳେ  କର୍ମଚାରୀଙ୍କ ଅଧିକାରକୁ ଭୃକ୍ଷେପ କରୁନାହାନ୍ତି । ସ୍ୱଚ୍ଛଳ ନ ଥିବାରୁ ଦେଶ  ଗୁଡିକରେ ଏଭଳି ସ୍ଥିତି ବିରୋଧରେ ଲଢ଼େଇ କରିବାକୁ ସାହସ କରୁନାହାନ୍ତି । 

ରିପୋର୍ଟ ମୁତାବକ, ୧୭୫୦ରେ ଶିଳ୍ପ କ୍ଷେତ୍ରରେ ଭାରତର ଅଂଶ ୨୫%  ଥିଲା ଯାହା ୧୯୦୦ ବେଳକୁ ମାତ୍ର ୨%କୁ ଖସି ଆସିଲା । ଭାରତୀୟ ଶିଳ୍ପ  ଗୁଡିକ ଉପରେ କଡା କଟକଣା ଜାରି କରିବା ସହ ବ୍ରିଟେନ ଫ୍ୟାକ୍ଟ୍ରି ଗୁଡିକର  କଞ୍ଚାମାଲ ଏବଂ ଉତ୍ପାଦ ବ୍ୟବହାର କରିବାକୁ ବାଧ୍ୟ କରାଯାଇଥିଲା । ବ୍ରିଟେନ  ଅଶୋଧିତ ତୈଳ, ଖଣିଜ ଖନନ କରି ନିଜ ଦେଶକୁ ବୋହି ନେଉଥିଲା ।  ଯାହା ଜଳବାୟୁ ପରିବର୍ତ୍ତନର ଅନ୍ୟତମ କାରଣ ପାଲଟିଥିଲା ।  

ନିମ୍‌ର ପେଟେଣ୍ଟ ବେଳେ ସ୍ୱଦେଶୀ ଜ୍ଞାନକୁ ଅଣଦେଖା କରାଗଲା । ଏଥିରୁ  ଲାଭ ନେବା ସହ ପ୍ରକୃତ ହିତାଧିକାରୀ ବିଦେଶୀ ରାଷ୍ଟ୍ର ଗୁଡିକ ଭୁଲିଗଲେ ।  କର୍ପୋରେଟ ଗୁଡିକ ଲାଭ ନେବା ସହ ଲୋକଙ୍କ ବିକାଶ ପ୍ରତି ଏତେଟା ଧ୍ୟାନ  ଦେଲେ ନାହିଁ । ବିଶ୍ୱ ବାଣିଜ୍ୟ ସଙ୍ଗଠନ ଏବଂ ବିଶ୍ୱ ବ୍ୟାଙ୍କ ଭଳି ଅନୁଷ୍ଠାନ  ଗୁଡିକ ଅସମାନତାକୁ ଲଗାତାର ପ୍ରୋତ୍ସାହିତ କରିଛନ୍ତି । ଏମାନେ ସର୍ବଦା  ଗ୍ଲୋବାଲ ନର୍ଥର ସ୍ୱର ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି ।  

ଏହି ରିପୋର୍ଟରେ ବିକଶିତ ଦେଶ ଗୁଡିକର କୋଭିଡ-୧୯ ଭାକ୍ସିନ  ପ୍ରସ୍ତୁତିରେ ବୈାଦ୍ଧିକ ସମ୍ପତ୍ତି ବିବାଦକୁ ମଧ୍ୟ ଦର୍ଶାଯାଇଛି । ଏ କ୍ଷେତ୍ରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ଗୁଡିକର ପ୍ରୟାସକୁ ଅଣଦେଖା  କରାଯାଇଛି । ସେହିଭଳି ଗ୍ଲୋବାଲ ସାଉଥକୁ ପାଣ୍ଠି ଯୋଗାଣ ଦ୍ୱାରା ଶୋଷଣ  କରାଯାଉଛି । ଫଳରେ ଏହା ମଧ୍ୟ ନିୟୁତାଧିକ ଲୋକଙ୍କୁ ଦାରିଦ୍ର‌୍ୟ ମୁଖକୁ  ଠେଲି ଦେଉଥିବା ରିପୋର୍ଟରେ କୁହାଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.