ୱାଶିଂଟନ/କିଏଭ,୨୭/୦୨: ଆମେରିକାକୁ ଦୁର୍ଲଭ ଖଣିଜ ପଦାର୍ଥ ଦେବା  ପାଇଁ ଶେଷରେ ରାଜି ହୋଇଛି ୟୁକ୍ରେନ୍‌ । ଉଭୟ ଦେଶର ଅଧିକାରୀ ଏ ନେଇ  ଘୋଷଣା କରିଛନ୍ତି । ଏହି ଖଣିଜ ପଦାର୍ଥ ଅସ୍ତ୍ରଶସ୍ତ୍ର ଓ ବ୍ୟାଟେରି ତିଆରିରେ  ଆବଶ୍ୟକ ହୋଇଥାଏ । ତେବେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏଥିପାଇଁ ଚୁକ୍ତି ସ୍ୱାକ୍ଷର ଲାଗି ଆସନ୍ତା ଶୁକ୍ରବାର ଆମେରିକା ଗସ୍ତ କରିପାରନ୍ତି  ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି ।  ଉଲ୍ଲେଖଥାଉ କି ଦୁର୍ଲଭ ଖଣିଜ ନେବା ପାଇଁ ଟ୍ରମ୍ପ୍‌  ୟୁକ୍ରେନ୍‌ ସରକାରଙ୍କ ଉପରେ ମାସେ ହେଲା  ଚାପ ପକାଉଥିଲେ । ତାଙ୍କ କହିବା କଥା ହେଉଛି  ୟୁକ୍ରେନ୍‌କୁ ଯଦି ଆମେରିକା ତରଫରୁ ସହାୟତା  ନେବାର ଅଛି, ତେବେ ଏହା ନିଜର ୫୦୦  ବିଲିୟନ ଡଲାର ମୂଲ୍ୟର ଖଣିଜ ପଦାର୍ଥକୁ  ଆମେରିକାକୁ ଦେବା ଆବଶ୍ୟକ । ଏମିତି କି  ସେ ଜେଲେନ୍‌ସ୍କିଙ୍କୁ ଏଥିଲାଗି ଧମକାଇବାକୁ  ବି ପଛାଇ ନ ଥିଲେ । 

କହିଥିଲେ, ୟୁକ୍ରେନ୍‌ ଯଦି ଏହାର ଖଣିଜ ପଦାର୍ଥ ନ  ଦିଏ ତେବେ ସମସ୍ତ ସହାୟତାକୁ ବନ୍ଦ କରାଯିବ । ରିପୋର୍ଟ ମୁତାବକ, ଦୁର୍ଲଭ  ଖଣିଜ ପଦାର୍ଥ ନେବା ବଦଳରେ ଆମେରିକା ୟୁକ୍ରେନ୍‌ର ପୁନର୍ବିକାଶ କାର୍ଯ୍ୟରେ  ସହଯୋଗ ପ୍ରଦାନ କରିବ । ପୂର୍ବରୁ ଏହି ଖଣିଜ ଦେବା ପାଇଁ ଜେଲେନ୍‌ସ୍କି ରାଜି  ନ ହେବାରୁ ଟ୍ରମ୍ପ୍‌ ବାରମ୍ବାର ଚାପ ପକାଇଥିଲେ । ଏମିତି କି ୟୁକ୍ରେନ୍‌ ଯୁଦ୍ଧକୁ ନେଇ  ଜାତିସଂଘରେ ସଦ୍ୟ ଅନୁଷ୍ଠିତ ସଂକଳ୍ପ ଭୋଟିଂରେ ଆମେରିକା ରୁଷ୍‌କୁ ସମର୍ଥନ  କରିଥିଲା । ଟ୍ରମ୍ପ୍‌ଙ୍କ ଏହି ପଦକ୍ଷେପକୁ କିଛି ୟୁରୋପୀୟ ଦେଶ ନିନ୍ଦା କରିଥିଲେ।