ନୂଆଦିଲ୍ଲୀ ୧୩/୦୬: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ କେବଳ ଯୁଦ୍ଧଭୂମି ମଧ୍ୟରେ ସୀମିତ ହୋଇନାହିଁ । ଯୁଦ୍ଧର ନୂଆ ଓ ବିପଦପୂର୍ଣ୍ଣ ଶୈଳୀ ସାମ୍ନାକୁ ଆସିଛି । ୟୁକ୍ରେନ ପୁଲିସ ଦାବି କରିଛି, ରୁଷ୍ର ଏଜେଣ୍ଟମାନେ ଯୁବତୀ ଓ କିଶୋରୀଙ୍କ ଉପଯୋଗ କରି ୟୁକ୍ରେନ ସୈନ୍ୟ ଓ ସେନାଧିକାରୀଙ୍କୁ ହନିଟ୍ରାପ୍ରେ ଫସାଉଛନ୍ତି । ତା’ପରେ ସେମାନଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରୁଛନ୍ତି ।
ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ୟୁକ୍ରେନର ରାଷ୍ଟ୍ରୀୟ ପୁଲିସ ପ୍ରମୁଖ ଇଭାନ ଭିହ୍ୱିସ୍କି କହିଛନ୍ତି, ଅଦ୍ୟାବଧି ଅତିକମ୍ରେ ଏଭଳି ୬ ମାମଲା ସାମ୍ନାକୁ ଆସିଛି । ଏଥିରେ ଯୁବତୀଙ୍କୁ ସୋସିଆଲ ମିଡିଆ ଓ ମେସେଜିଙ୍ଗ ଆପ୍ ଜରିଆରେ ସାମିଲ କରାଯାଇଛି । ଏ ମାମଲାରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କୁ ଗିରଫ କରାଯାଇଛି । ୟୁକ୍ରେନ ଅଧିକାରୀଙ୍କ ଅନୁସାରେ, ରୁଷ୍ ଏଜେଣ୍ଟ ସର୍ବପ୍ରଥମେ ଟେଲିଗ୍ରାମ୍ ଭଳି ସେସେଜିଙ୍ଗ ପ୍ଲାଟ୍ଫର୍ମରେ ଝିଅମାନଙ୍କ ସହ ସମ୍ପର୍କ କରନ୍ତି । ସେମାନଙ୍କୁ ସହଜ ଉପାୟରେ ଟଙ୍କା ଆୟର ପ୍ରଲୋଭନ ଦିଅନ୍ତି । ତା’ପରେ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଅନ୍ତି ।
ଡେଟିଂ ୱେବ୍ସାଇଟ୍ ଓ ଆଡଲ୍ଟ ଡେଟିଂ ପ୍ଲାଟ୍ଫର୍ମରେ ୟୁକ୍ରେନ୍ ସୈନ୍ୟଙ୍କୁ ଖୋଜିବାକୁ ଝିଅମାନଙ୍କୁ କୁହାଯାଏ । କୌଣସି ସୈନ୍ୟଙ୍କ ସହ ସମ୍ପର୍କ ସ୍ଥାପନ ହେବା ପରେ ସାକ୍ଷାତ ଲାଗି ପ୍ରସ୍ତୁତି ଆରମ୍ଭ ହୁଏ । ସାକ୍ଷାତ ଲାଗି ଭଡ଼ାରେ ବଖରା ନେବାକୁ ଅର୍ଥ ମଧ୍ୟ ଏଜେଣ୍ଟ ଯୋଗାଇ ଦିଅନ୍ତି । ଏହା ପରେ କେଉଁ ପଦାର୍ଥ ବ୍ୟବହାର କରିବାକୁ ହେବ ଏବଂ ତାକୁ ସୈନ୍ୟଙ୍କ ଖାଦ୍ୟ କିମ୍ବା ପାନୀୟରେ କିଭଳି ମିଶାଯିବ, ସେ ବିଷୟରେ ଝିଅମାନଙ୍କୁ ନିର୍ଦ୍ଦେଶ ଦିଆଯାଏ ।
ନିକଟରେ ୟୁକ୍ରେନର ଝିଟୋମିର କ୍ଷେତ୍ରର ଜଣେ ୨୭ ବର୍ଷୀୟ ସୈନ୍ୟଙ୍କୁ ମୃତ ଚିହ୍ନଟ କରାଯାଇଥିଲା । ଯାଞ୍ଚ ସମୟରେ ପୁଲିସ ତାଙ୍କ ପାତ୍ରରେ ସନ୍ଦେହଜନକ ପାଉଡର ପାଇଲା । ଏ ମାମଲାରେ ଗିରଫ ୧୭ ବର୍ଷୀୟା ଯୁବତୀ ପୁଲିସକୁ କହିଲେ, ତାଙ୍କୁ ଟେଲିଗ୍ରାମ୍ରେ ସମ୍ପର୍କ କରିଥିବା ଜଣେ ବ୍ୟକ୍ତି ଏହି କାମ କରିବାକୁ କହିଥିଲେ । ଏକ ପାର୍ସଲରେ ତାଙ୍କୁ ଏକ ସ୍ୱଚ୍ଛ ପଦାର୍ଥ ପଠାଯାଇଥିଲା, ଯାହାକୁ ସେ ସୈନ୍ୟଙ୍କ ମଦରେ ମିଶାଇଥିଲେ । ପୁଲିସ ଅନୁସାରେ, ସେହି ପାନୀୟ ପିଇବା ପରେ ସୈନ୍ୟ ଅଚେତ୍ ହୋଇପଡ଼ିଲେ ଏବଂ ପରେ ତାଙ୍କର ମୃତ୍ୟୁ ହେଲା । ମାମଲାର ଏବେ ଯାଞ୍ଚ ଚାଲିଛି ।
ଉଭୟ ରୁଷ୍ ଓ ୟୁକ୍ରେନ ପରସ୍ପର ଉପରେ ନିଜ ନାଗରିକଙ୍କ ଜରିଆରେ ଭଙ୍ଗାରୁଜା, ଗୁଇନ୍ଦାଗିରି ଓ ଆକ୍ରମଣର ଅଭିଯୋଗ କରୁଛନ୍ତି । ୟୁକ୍ରେନ ଅନୁସାରେ, ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ୧୧୦୦ରୁ ଅଧିକ ଲୋକଙ୍କ ବିରୋଧରେ ଦେଶରେ ଅଗ୍ନିକାଣ୍ଡ, ଭଙ୍ଗାରୁଜା କିମ୍ବା ଆତଙ୍କବାଦୀ ଗତିବିଧିରେ ସାମିଲ ହେବାର ଅଭିଯୋଗ ରହିଛି । ୟୁକ୍ରେନ ଅଧିକାରୀଙ୍କ ଦାବି, ଏବେ ସୋସିଆଲ ମିଡିଆ, ଡେଟିଂ ଆପ୍ ଓ ଅନ୍ଲାଇନ୍ ପ୍ଲାଟ୍ଫର୍ମ ମଧ୍ୟ ଏହି ସଂଘର୍ଷର ନୂଆ ମୋର୍ଚ୍ଚା ପାଲଟିଛି, ଯେଉଁଠି ପ୍ରେମ ଓ ବନ୍ଧୁତା ନାଁରେ ସୈନ୍ୟଙ୍କୁ ଟାର୍ଗେଟ୍ କରାଯାଉଛି ।
ଆହୁରି ପଢ଼ନ୍ତୁ...ଇରାନ-ଆମେରିକା ଶାନ୍ତି ପ୍ରସ୍ତାବରେ ଗ୍ରୀନ ସିଗନାଲ୍, ଉପହାରସ୍ବରୂପ ଇରାନକୁ ବଡ ଭେଟି ଦେବାକୁ ପ୍ରସ୍ତୁତ ହେଉଛି ଆମେରିକା...