ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

Ukraine: ୟୁକ୍ରେନର ଡ୍ରୋନ ଆକ୍ରମଣରେ ଋଷିଆର ହାଲ ବେହାଲ; ୩ମୃତ, ୧୭ ଆହତ

Published By : Bijay Swain | March 11, 2025 9:41 PM

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ୟୁକ୍ରେନ ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳରେ ଡ୍ରୋନ ଆକ୍ରମଣ କରିଛି। ୟୁକ୍ରେନ କରିଥିବା ଏହି ଡ୍ରୋନ ଆକ୍ରମଣ ଏପର୍ଯ୍ୟନ୍ତର ସର୍ବାଧିକ ବଡ ଆକ୍ରମଣ ବୋଲି କୁହାଯାଉଛି। ଯେଉଁଥିରେ ଏକ ମାଂସ ଗୋଦାମର ଅତି କମରେ ତିନି ଜଣ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ରୁଷ ରାଜଧାନୀରେ ଥିବା  ଚାରୋଟି ବିମାନବନ୍ଦରକୁ କିଛି ସମୟ ପାଇଁ ବନ୍ଦ କରିଦିଆ ଯାଇଥିଲା ବୋଲି ରୁଷିଆ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି।

ଖବର ମୁତାବକ, ଏହି ଆକ୍ରମଣରେ ମୋଟ ୩୪୩ ଡ୍ରୋନ ବ୍ୟବହାର କରାଯାଇଥିଲା। ଯେଉଁଥିରୁ ୯୧ ଟି ଡ୍ରୋନ ସିଧାସଳଖ ମସ୍କୋ ଉପରେ ଆକ୍ରମଣ କରିଥିବା ବେଳେ ଆଉ ୧୨୬ଟି ଡ୍ରୋନ ଋଷିଆର ପଶ୍ଚିମାଞ୍ଚଳରେ ଥିବା କୁର୍ସ୍କ ଅଞ୍ଚଳରେ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣରେ କୁର୍ସ୍କ ଅଞ୍ଚଳରେ ଥିବା ଆଣବିକ ଶକ୍ତି କେନ୍ଦ୍ରର କୌଣସି କ୍ଷତି ହୋଇନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। 

ତେବେ ସବୁଠୁ ବଡ କଥା ହେଉଛି ବର୍ତ୍ତମାନ ଆମେରିକା ଓ ୟୁକ୍ରେନ ଅଧିକାରୀମାନେ ଯୁଦ୍ଧଶାନ୍ତି ପାଇଁ କଥାବର୍ତ୍ତା ହେବାକୁ ସାଉଦି ଆରବରେ ଏକାଠି ହୋଇଥିବା ବେଳେ ଯୁକ୍ରେନର ଏପରି ଆକ୍ରମଣ ବୁଝାପଡୁନାହିଁ। ଅନ୍ୟପଟେ ଋଷିଆ ସେନା କୁର୍ସ୍କ ଅଞ୍ଚଳରେ ଫଶି ରହିଥିବା ଅନେକ ୟୁକ୍ରେନିୟନ ସେନା ଯବାନଙ୍କୁ ଘେରି ରହିଛନ୍ତି। ଏପରି ପରିସ୍ଥିତିରେ ୩ ବର୍ଷ ଧରି ଚାଲୁଥିବା ଯୁଦ୍ଧ ବନ୍ଦ ଉପରେ କିପରି କଥାବର୍ତ୍ତା ଆଗେଇବ ତାହା ଜଣାପଡୁନାହିଁ ବୋଲି ବିଶେଷଜ୍ଞ ମାନେ ମତ୍ତ ପ୍ରକାଶ କରିଛନ୍ତି। 

ମସ୍କୋର ମେୟର ସେରଗେ ସୋବୟାନିନ୍ କହିଛନ୍ତି ଯେ ମଙ୍ଗଳବାର ଦିନ ହୋଇଥିବା ଏହି ଆକ୍ରମଣ ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ। ଯେଉଁ ଅଞ୍ଚଳରେ ଆକ୍ରମଣ ହୋଇଛି ସେହି ଅଞ୍ଚଳରେ ଅତି କମରେ ୨୧ ନିୟୁତ ଲୋକ ବାସ କରନ୍ତି ଏବଂ ଏହା ୟୁରୋପର ସବୁଠାରୁ ବଡ଼ ମହାନଗର ମଧ୍ୟରୁ ଗୋଟିଏ ଭାବେ ପରିଗଣିତ ହୋଇଥାଏ। ସେହିପରି କ୍ରେମଲିନ୍ ର ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି ଠିକ ସମୟରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବା କାରଣରୁ ମସ୍କୋ ଏବଂ ଅନ୍ୟାନ୍ୟ ରୁଷୀୟ ଅଞ୍ଚଳଗୁଡ଼ିକରେ ଥିବା ଆବାସିକ କୋଠା ଉପରେ ଆକ୍ରମଣ ହେବାରୁ ରକ୍ଷା ହୋଇପାରିଛି।

ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନ୍ ଋଷର ନାଗରିକ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି। ଅନ୍ୟପଟେ ୟୁକ୍ରେନର ଜେନେରାଲ ଷ୍ଟାଫ୍ କହିଛନ୍ତି ଯେ ଏହି ଡ୍ରୋନ୍ ଆକ୍ରମଣରେ ରୁଷର ମସ୍କୋ ଏବଂ ଓରିଓଲ୍ ଅଞ୍ଚଳରେ ଥିବା ତୈଳ ସୁବିଧା ଉପରେ ସିଧାସଳଖ ଆକ୍ରମଣ କରାଯାଇଥିଲା। ଯେଉଁଥିପାଇଁ ଋଷ ଡରିଯାଇଛି ବୋଲି ସେ କହିଛନ୍ତି। 

୨୦୨୨ ମସିହାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଆକ୍ରମଣ ନିର୍ଦ୍ଦେଶ ଦେବା ପରଠାରୁ ଏହି ଯୁଦ୍ଧରେ ଡ୍ରୋନର ବ୍ୟବହାର ବହଉଳ ପରିମାଣରେ ବଢିଯାଇଛି। ଡ୍ରୋନ ଏକ ଶସ୍ତା ବିକଳ୍ପ ହୋଇଥିବା ବେଳେ ଏହା ଚଳିତ ଯୁଦ୍ଧ୍ୟରେ ନିଜ ବିନାଶକାରୀ ଶକ୍ତି ପ୍ରଦର୍ଶନ କରିସାରିଛି। ଋଷ-ୟୁକ୍ରେନ ଯୁଦ୍ଧ୍ୟରେ ଉଭୟ ପକ୍ଷ ବିଭିନ୍ନ ସହର, ସୈନ୍ୟ ଦଳ, ତୈଳ ବିଶୋଧନାଗାର ଏବଂ ବିମାନ କ୍ଷେତ୍ର ଗୁଡିକୁ ଟାର୍ଗେଟ କରିବା ପାଇଁ ଡ୍ରୋନର ବ୍ୟବହାର କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.