ନୂଆଦିଲ୍ଲୀ: ଯୁଦ୍ଧକୁ ୦୧୦୦୦ ଦିନ ବିତିଥିବା ବେଳେ ୟୁକ୍ରେନ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ଋଷ । ଆମେରିକା ପାଖରୁ ଅନୁମତି ମିଳିବା ପରେ ୟୁକ୍ରେନ୍‌ ୬ଟି ଆମେରିକୀୟ ATACMS ମିସାଇଲ୍‌ ଯୁଦ୍ଧରେ ବ୍ୟବହାର କରିଛି ବୋଲି ଋଷ ଦାବି କରିଛି । ଦୂରଗାମୀ ଆମେରିକୀୟ ମିସାଇଲ୍‌ ବ୍ୟବହାର କରିବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ରାଷ୍ଟ୍ରପତି ବାଇଡେନ୍‌ ହଟାଇ ଦେଇଛନ୍ତି । ଏହା ପରେ  ଋଷୀୟ ଅଞ୍ଚଳ ‘ବ୍ରିୟାନ୍ସକ୍‌’ରେ ୟୁକ୍ରେନ୍‌ ଏହି ମିସାଇଲ ମାଡ଼ କରିଛି ବୋଲି ମଙ୍ଗଳବାର ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି । 

ସେପଟେ ବ୍ରିୟାନ୍ସକରେ ଯୁଦ୍ଧାସ୍ତ୍ର ମାଡ଼ କରିଛି ବୋଲି ୟୁକ୍ରେନ୍‌ ଦାବି କରିଥିଲେ ହେଁ, ଯୁଦ୍ଧାସ୍ତ୍ର ସଂପର୍କରେ କୌଣସି ସୂଚନା ଦେଇନାହିଁ । ଋଷୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସେନା ୫ଟି ଟାକ୍ଟିକାଲ୍‌ ମିସାଇଲ୍‌ ସିଷ୍ଟମ (ATACMS)କୁ ଖସାଇଥିଲା । ଏହା ପରେ ଅନ୍ୟ ଏକ ମିସାଇଲ୍‌କୁ ଧ୍ବଂସ କରିଥିଲା ସେନା । କିନ୍ତୁ ଏହା ଦ୍ବାରା କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ଋଷ ଦାବି କରିଛି । ଏବେ ଉଭୟ ପକ୍ଷ ଏହି ଘଟଣାରେ ତଦନ୍ତ କରିବେ ବୋଲି କହିଛନ୍ତି । ତେବେ ଆଭ୍ୟନ୍ତରୀଣ ଋଷରେ ଆକ୍ରମଣ କରିବା ଲାଗି ଆମେରିକା ନିର୍ମିତ ମିସାଇଲ୍‌ ବ୍ୟବହାର କରିବାକୁ ରାଷ୍ଟ୍ରପତି ବାଇଡେନ୍‌ ୟୁକ୍ରେନକୁ ଅନୁମତି ଦେବା ପରେ ଏହି ନୂଆ ବିବାଦ ମୁଣ୍ଡ ଟେକିଛି । 

ଏହା ପୂର୍ବରୁ ଆଜି ୟୁକ୍ରେନୀୟ ଅଧିକାରୀ ଦାବି କରିଥିଲେ ଯେ, ଲଗାତାର ତୃତୀୟ ଦିନ ଜନବସତି ଅଞ୍ଚଳରେ ରକେଟ ମାଡ଼ କରିଛି ଋଷ । ଏହି ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ୧୨ ଜଣଙ୍କ ଜୀବନ ଯାଇଛି । ରବିବାର ଋଷର ଏକ ମିସାଇଲ୍‌ ଉତ୍ତର ୟୁକ୍ରେନୀୟ ସହର ସୁମିରେ ଆତଙ୍କ ଖେଳାଇଥିଲା । ମିସାଇଲ୍‌ ମାଡ଼ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୪ ଜଣ ଆହତ ହୋଇଥିଲେ । ଏହା ବ୍ୟତୀତ ଓଡେଶାରେ ମଧ୍ୟ ଧଂସଲୀଳା ରଚିଛି ଋଷ ସେନା । ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି କହିଥିଲେ ଯେ, ଯୁଦ୍ଧର ତୀବ୍ରତାକୁ ଦେଖି ଲାଗୁଛି ରାଷ୍ଟ୍ରପତି ପୁଟିନ୍‌ ଯୁଦ୍ଧ ସମାପ୍ତ କରିବାକୁ ଚାହୁଁନାହାନ୍ତି । ଯୁଦ୍ଧ ଜାରି ରହୁ ବୋଲି ସେ ଚାହୁଁଛନ୍ତି । ଶାନ୍ତି ପ୍ରତିଷ୍ଠା କରାଇବାକୁ ଆମେ ଋଷ ଉପରେ ବଳ ପ୍ରୟୋଗ କରିବୁ ବୋଲି କହିଥିଲେ ୟୁକ୍ରେନ ରାଷ୍ଟ୍ରପତି ।