ନୂଆଦିଲ୍ଲୀ,୬।୧: ୨୦୨୦ ଦଙ୍ଗା ଷଡଯନ୍ତ୍ର ମମଲାରେ ଉମର ଖାଲିଦ ଓ ଶରଜିଲ୍ ଇମାମଙ୍କୁ ଜାମିନ୍ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଏହାପରେ ଜବାହର ଲାଲ ନେହରୁ ବିଶ୍ବବିଦ୍ୟାଳୟ ବା ଜେଏନ୍ୟୁ କ୍ୟାମ୍ପସ୍ ଭିତରେ ରାତି ଅଧରେ ହୋଇଥିଲା ବିରୋଧ ପ୍ରଦର୍ଶନ। ୟୁନିଭର୍ସିଟି କ୍ୟାମ୍ପସ୍ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବିବାଦୀୟ ନାରାବାଜି କରିଥିଲେ ଛାତ୍ର। ସେଭଳି ଏହି ମାମଲାରେ ଜେଏନ୍ୟୁ ମୁଖ୍ୟ ସିକ୍ୟୁରିଟି ଅଫିସର ବସନ୍ତ କୁଞ୍ଜ ପୁଲିସ ଷ୍ଟେସନ୍ ଏସ୍ଏଚ୍ଓଙ୍କୁ ଚିଠି ଲେଖି ଏଫଆଇଆର ରୁଜୁ କରିବାର ଦାବି କରିଛନ୍ତି।
ସୋମବାର ରାତିରେ ହୋଇଥିବା ବିରୋଧ ପ୍ରଦର୍ଶନର ଏକ ଭିଡିଓ ଅନୁସାରେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ନାରାବାଜି ହୋଇଥିଲା। ଏହି ଘଟଣା ୫ ଜାନୁଆରୀ ୨୦୨୦ ରେ ଜେଏନ୍ୟୁ ପରିସରରେ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ବାର୍ଷିକ ଅବସରରେ ଆୟୋଜିତ ବିରୋଧ ପ୍ରଦର୍ଶନ ବେଳେ ହୋଇଥିଲା। ଜେଏନ୍ୟୁ ଛାତ୍ର ସଂଘ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶରଜିତ୍ ଇମାମ୍ ଓ ଉମର ଖାଲିଦଙ୍କୁ ଜାମିନ୍ ନମିଳିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୟୁନିଭର୍ସିଟି ପ୍ରଶାସନ ଏହି ମାମଲାର ତଦନ୍ତ ଜାରି ରଖିଛି ଓ ଘଟଣା ସମ୍ପର୍କିତ ତଥ୍ୟ ଜାଣିବାକୁ ଚେଷ୍ଟା କରୁଛି।
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି ଅଦିତି ମିଶ୍ର କହିଛନ୍ତି ଯେ ପ୍ରତିବର୍ଷ ଛାତ୍ରଛାତ୍ରୀମାନେ ୫ ଜାନୁଆରୀ ୨୦୨୦ରେ କ୍ୟାମ୍ପସରେ ଘଟିଥିବା ହିଂସାକୁ ନିନ୍ଦା କରିବା ପାଇଁ ପ୍ରତିବାଦ କରନ୍ତି। ଅଦିତି କହିଛନ୍ତି, ବିରୋଧ ସମୟରେ ଉଠାଯାଇଥିବା ସମସ୍ତ ସ୍ଲୋଗାନଗୁଡ଼ିକ ଆଦର୍ଶଗତ ଥିଲା ଏବଂ କାହାକୁ ବ୍ୟକ୍ତିଗତ ଆକ୍ରମଣ କରିନଥିଲା। ସେଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରତି ନଥିଲା।’
ଉଲ୍ଲେଖନୀୟ ଯେ,୫ ଜାନୁଆରୀ ୨୦୨୦ରେ କ୍ୟାମ୍ପସରେ ହିଂସା ଆରମ୍ଭ ହୋଇଥିଲା। ସେତେବେଳେ କିଛି ମୁଖାପିନ୍ଧା ଲୋକଙ୍କ କ୍ୟାମ୍ପସରେ ପ୍ରବେଶ କରି ତିନୋଟି ହଷ୍ଟେଲରେ ଛାତ୍ରମାନଙ୍କୁ ଟାର୍ଗେଟ କରିଥିଲା। ସେମାନେ ଲାଠି, ପଥର ଏବଂ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ମାଡ଼ ମାରିଥିଲେ ଏବଂ ଝରକା, ଫର୍ଣ୍ଣିଚର ଏବଂ ବ୍ୟକ୍ତିଗତ ଜିନିଷପତ୍ର ଭାଙ୍ଗି ଦେଇଥିଲେ। କ୍ୟାମ୍ପସ ଭିତରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏଭଳି ଚାଲିଥିଲା, ଯେଉଁଥିରେ JNU ଛାତ୍ର ସଂଘର ସଭାପତି ଐଷି ଘୋଷଙ୍କ ସମେତ ଅତି କମରେ ୨୮ ଜଣ ଆହତ ହୋଇଥିଲେ।