ନୂଆଦିଲ୍ଲୀ,୨୬।୬: ଆପ୍ର ଖୁସିରେ ଲାଗିଲା ଗ୍ରହଣ। ଦଳକୁ ଲାଗିଲା ଝଟକା। ଗୁଜରାଟ ଉପ-ନିର୍ବାଚନରେ ଭିସାଭଦସର ଆସନରୁ ଜିତିଥିଲେ ଗୋପାଳ ଇଟାଲିୟା। ତାଙ୍କ ବିଜୟ ପରେ ପାର୍ଟି ମନାଉଥିଲା ଉତ୍ସବ। ଏପରିକି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ବି ଇଟଲିୟାଙ୍କୁ ମିଠା ଖୁଆଇ ୨୦୨୭ ରେ ସରକାର ଗଠନର ଭରସା ପ୍ରକାଶ କରିଥିଲେ। ହେଲେ ଏବେ ସବୁକିଛି ପଡିଲା ଫିକା। କାରଣ ଦଳର ବଡ଼ ନେତା ତଥା ବିଧାୟକ ଉମେଶ ମକଭାନା ଆପ୍ରୁ ଦେଇଛନ୍ତି ଇସ୍ତଫା। ଏନେଇ ସେ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଚିଠି ପଠାଇଛନ୍ତି। ଉମେଶ ଇସ୍ତଫାରେ ଲେଖିଛନ୍ତି, ମୁଁ ଆପ୍ରେ ଗତ ୨.୫ ବର୍ଷ ହେବ ଜଏଣ୍ଟ ସେକ୍ରେଟରୀ ପଦରେ ଅଛି। ଏହାଛଡା ଗୁଜରାଟ ବିଧାନସଭାରେ ପାର୍ଟିର ଚିଫ୍ ହ୍ବିପ୍ ରୂପରେ ସେବା ପ୍ରଦାନ କରୁଛି। ବର୍ତ୍ତମାନ ମୁଁ ଏହି ସବୁ ପଦୀବୀରୁ ଇସ୍ତଫା ଦେଉଛି। ହେଲେ ଦଳର ଜଣେ କର୍ମୀ ଭାବରେ ରହିଛି।
ଉମେଶ ଏବେ ବିଧାୟକ ପଦ ଛାଡିବେନି। ସେ ୨୦୨୦ ରେ ବିଜେପି ଛାଡି ଆପ୍ରେ ସାମିଲ ହୋଇଥିଲେ। ଏବେ ସେ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଗତ କିଛି ସମୟ ହେବ ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଉମେଶ ପାର୍ଟି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି କେବଳ ବାବା ସାହେବଙ୍କ ଫଟୋ ଲଗାଇଦେଲେ ହେବନି। ଦଳ ଦଳିତ ଏବଂ ପଛୁଆ ଜାତିର ଲୋକଙ୍କ ପାଇଁ ସ୍ବର ଉତ୍ତୋଳନ କରୁନି। ଗୋପାଳ ଇଟାଲିୟଙ୍କୁ ଜିତାଇବାକୁ ଦଳର ସବୁ ବଡ଼ ନେତା ଜୋର ଲଗାଇଦେଲେ। ହେଲେ କଡିରେ ଦଳିତ ପ୍ରାର୍ଥୀକୁ ଏକାକୀ ଛାଡିଦେଲେ। ଦଳିତ ପ୍ରାର୍ଥୀ ଜଣକ ୧୦ ଲକ୍ଷ ଟଙ୍କା ଲୋନ୍ ନେଇ ନିର୍ବାଚନ ଲଢିଥିଲେ। ତେବେ ପୁରା ଦଳ ଇଟାଲିୟାଙ୍କ ସମର୍ଥନରେ ପ୍ରଚାର କରିଥିଲେ। ଏବେ ମୁଁ ଦଳରେ ରହିବି କି ନାହିଁ କିମ୍ବା ନିର୍ଦ୍ଦଳୀୟ ନିର୍ବାଚନ ଲଢିବି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।’