ନୂଆଦିଲ୍ଲୀ,୦୯/୦୬; ମମତା ବାନାର୍ଜୀଙ୍କୁ ଝଟକା ପରେ ଝଟକା ଲାଗିଛି । ଦିଦିଙ୍କ ଟିଏମସି ଫାଳ ଫାଳ ହେବାକୁ ବସିଛି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଆଉ ଏକ ବଡ଼ ରାଜନୈତିକ ସଙ୍କଟ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମମତାଙ୍କ ମୁସକିଲ୍ ବଢି ବଢି ଚାଲିଛି । ଟିଏମ୍‌ସି ସଂସଦୀୟ ଦଳ ବିଭାଜିତ ହୋଇଛି । ଦଳରେ ଫାଟ୍ ଜଳ ଜଳ ହୋଇ ଦେଖାଯାଉଛି ।  ଅତି କମ୍‌ରେ ୨୦ ଜଣ ଟିଏମ୍‌ସି ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ଚିଠି ଲେଖି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ସାଂସଦ ତଥା ପୂର୍ବତନ ଟିଏମ୍‌ସି ନେତା କାକୋଳି ଘୋଷ ଦସ୍ତିଦାର ଏହି ଦାବି କରିଛନ୍ତି । ଦସ୍ତିଦାର କହିଛନ୍ତି, ତାଙ୍କ ସମେତ ୨୦ ଜଣ ଟିଏମ୍‌ସି ସାଂସଦ ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ଏନ୍ଡିଏକୁ ସମର୍ଥନ ଦେବା ନେଇ ସେମାନଙ୍କର ନିଷ୍ପତ୍ତି ସଂପର୍କରେ ଅବଗତ କରାଯାଇଛି । ପଶ୍ଚିମବଙ୍ଗରେ ଜନତାଙ୍କ ରାୟକୁ ସେମାନେ ସ୍ୱୀକାର କରିଛନ୍ତି । ସେଥିଯୋଗୁ ରାଜନୈତିକ ଭାବେ ଏନ୍‌ଡିଏ ସହ ଯୋଡି଼ ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ତାଙ୍କ ବିରୋଧରେ ହୋଇଥିବା ସୁବିଧାବାଦା ଅଭିଯୋଗର ଜବାବ ଦେଇଛନ୍ତି କାକୋଳି ।

ସୁବିଧାବାଦୀ ଅଭିଯୋଗକୁ ଖଣ୍ଡନ- କାକୋଳି କହିଛନ୍ତି,"ମୋର ମୁଣ୍ଡ କାଟି ଦିଆଯିବ କିନ୍ତୁ ମୁଁ ମୁଣ୍ଡ ନୁଆଁଇବି ନାହିଁ । ମୁଁ ବହୁତ ସହ୍ୟ କରିଛି । ୨୦୧୧ରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ଏଠାକୁ ଆସିନାହିଁ । ମୁଁ ଏଠାରେ ୪୦ ବର୍ଷ ଧରି ସଂଘର୍ଷ କରୁଛି, ଏବଂ ମୁଁ ଯେପରି କହିଥିଲି, ଏପରି ଲୋକଙ୍କ କଥା ମୋତେ ଆଦୌ ପ୍ରଭାବିତ କରେ ନାହିଁ ।"

''ମୁଁ ବହୁତ ସହିଲି''...ସାଂସଦ କାକୋଳି ଘୋଷ ପଶ୍ଚିମବଙ୍ଗରେ ଦଳର ବର୍ତ୍ତମାନର ଅବସ୍ଥା ଏବଂ ଶାସନ ସମସ୍ୟା ପ୍ରତି ତାଙ୍କର ଗଭୀର ଅସନ୍ତୋଷ ଯୋଗୁଁ ଟିଏମସି ଛାଡିବାର ନିଷ୍ପତ୍ତି ବ୍ୟାଖ୍ୟା କରିଛନ୍ତି । ସେ ପଶ୍ଚିମବଙ୍ଗ ପ୍ରତି ତାଙ୍କର ଦଶନ୍ଧି ଧରିର ପ୍ରତିବଦ୍ଧତା ଏବଂ ଏକ ସ୍ୱାଧୀନ ପଥ ଅନୁସରଣ କରିବାର ସଂକଳ୍ପ ଉପରେ ଗୁରୁତ୍ୱାରୋପ କରି, ପଶ୍ଚିମବଙ୍ଗରେ କୁଶାସନ ତାଙ୍କ ବିଦାୟର ମୁଖ୍ୟ କାରଣ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ...ଖୁବ୍ ଶୀଘ୍ର ଟିଏମ୍ସିର ବିଭାଜନ ! ଦିଲ୍ଳୀରେ କେନ୍ଦ୍ରମନ୍ତ୍ରୀଙ୍କ ଘରେ ବୈଠକ, ଶୁଭେନ୍ଦୁଙ୍କୁ ଭେଟିଲେ ୧୪ ବିଦ୍ରୋହୀ ସାଂସଦ  

ଆଭ୍ୟନ୍ତରୀଣ ରାଜନୈତିକ କଳ୍ପନାଜଳ୍ପନାକୁ ପାଶୋରି ଦେଇ ସେ ଆହୁରି କହିଛନ୍ତି ଯେ, ତାଙ୍କର ପ୍ରାଥମିକ ଧ୍ୟାନ ଜାତୀୟ ସ୍ୱାର୍ଥ ଏବଂ ଦେଶର ସୁରକ୍ଷା ଉପରେ । "ଆମେ ଦେଖିବୁ ପରବର୍ତ୍ତୀ ସମୟରେ କ'ଣ ହେବ । ବର୍ତ୍ତମାନ ପାଇଁ, ଆମେ ବଙ୍ଗଳା ପାଇଁ, ଦେଶ ପାଇଁ ଏବଂ ଭାରତକୁ ସୁରକ୍ଷିତ ରଖିବା ପାଇଁ କାମ କରିବାକୁ ଚାହୁଁଛୁ ଏହା କ'ଣ ଯଥେଷ୍ଟ ନୁହେଁ ? ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ; ଆମ ପାଇଁ ଦେଶର ଉଦ୍ଦେଶ୍ୟ ସର୍ବୋପରି।"  

ନିର୍ବାଚନ ପରାଜୟ ପରେ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ପରେ ମଧ୍ୟ, ଘୋଷ ତାଙ୍କ ସହିତ ହୋଇଥିବା ବ୍ୟବହାର ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଛନ୍ତି, "ମୁଁ ଖରାପ ଫଳାଫଳ ପାଇଁ ବ୍ୟକ୍ତିଗତ ଦାୟିତ୍ୱ ନେଇଥିଲି, ଅନୁଭବ କରିଥିଲି ଯେ, ହୁଏତ ମୁଁ ମୋର ଦାୟିତ୍ୱ ନିର୍ବାହ କରିନାହିଁ, ତେଣୁ ମୁଁ ଇସ୍ତଫା ଦେଇଥିଲି । ଏହା ପରେ ମଧ୍ୟ, କେହି ମୋତେ ଭେଟି ନଥିଲେ କିମ୍ବା ଫୋନ୍ କରି ନଥିଲେ । ମୋତେ କେବଳ ସାଇଡ୍ ଲାଇନ୍ କରାଯାଇଥିଲା।ରାଜନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇବେ ନାହିଁ। "