ଭୁବନେଶ୍ବର, ୩୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରେଳ ମନ୍ତ୍ରଣାଳୟର ୪ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ ପାଇଁ ମୋଟ ୧୧,୧୬୯ କୋଟି ଟଙ୍କା ଖର୍ଚ୍ଚ ହେବ ।ଏହି ପ୍ରକଳ୍ପଗୁଡ଼ିକ ହେଲା ଇତାରସୀ – ନାଗପୁର ଚତୁର୍ଥ ଲାଇନ, ଔରଙ୍ଗାବାଦ (ଛତ୍ରପତି ସମ୍ଭାଜୀନଗର) - ପରଭଣୀ ଦୋହରୀକରଣ , ଆଲୁବାରୀ ରୋଡ୍- ନୂତନ ଜାଲପାଇଗୁରି ତୃତୀୟ ଓ ଚତୁର୍ଥ ଲାଇନ ଏବଂ ଡାଙ୍ଗୋଆପୋଷି - ଜାରୋଲି ତୃତୀୟ ଏବଂ ଚତୁର୍ଥ ଲେନ୍ ।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡ ରାଜ୍ୟର ୧୩ଟି ଜିଲ୍ଲାକୁ ଏହି ୪ଟି ପ୍ରକଳ୍ପ ସଂଯୋଗ କରିବ। ଏହା ଭାରତୀୟ ରେଳବାଇର ବର୍ତ୍ତମାନ ନେଟୱାର୍କକୁ ପ୍ରାୟ ୫୭୪ କିଲୋମିଟର ବୃଦ୍ଧି କରିବ। ଏହା ଗମନାଗମନ ସଂଯୋଗୀକରଣକୁ ବୃଦ୍ଧି କରିବା ସହ ୨୩୦୯ ଗ୍ରାମ ଓ ପ୍ରାୟ ୪୩.୬୦ ଲକ୍ଷ ଜନସଂଖ୍ୟା ଅଞ୍ଚଳକୁ ରେଳ ସଂଯୋଗ ଓ ସେବା ପ୍ରଦାନ କରିବ।
ଏହି ରେଳ ପ୍ରକଳ୍ପ ବର୍ଦ୍ଧିତ ଲାଇନ କ୍ଷମତା ଯଥେଷ୍ଟ ବୃଦ୍ଧି କରିବ। ଯାହା ଫଳରେ ଭାରତୀୟ ରେଳବାଇ ପାଇଁ ସେବା ଉନ୍ନତମାନର ହେବ।ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ଭିଡ଼ ହ୍ରାସ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ କରିବା ସହ ଆତ୍ମନିର୍ଭର କରିବ । ଯାହା ସେମାନଙ୍କର ନିଯୁକ୍ତି ଓ ସ୍ବରୋଜଗାର ସୁଯୋଗକୁ ବୃଦ୍ଧି କରିବ।