- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ
- ଓଡ଼ିଶାର ଶିକ୍ଷା, ଦକ୍ଷତା, ଶିଳ୍ପ, କୃଷି, ପର୍ଯ୍ୟଟନ ଓ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ହେବ
- ସବୁ ବର୍ଗର ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବ, ଗାଁରୁ ସହର ପ୍ରତ୍ୟେକ କ୍ଷେତ୍ରର ହେବ ବିକାଶ
ଭୁବନେଶ୍ୱର,୨୦/୦୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି, ଚଳିତ ବଜେଟ୍ ‘ବିକଶିତ ଓଡ଼ିଶା’ ପାଇଁ କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍ । ଏହା ଓଡ଼ିଶାର ଶିକ୍ଷା, ଦକ୍ଷତା, ଶିଳ୍ପ, କୃଷି ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ସବୁ ବର୍ଗର ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ । ବଜେଟରେ ଡବଲ ଇଞ୍ଜିନ ସରକାରର ବିକାଶମୂଳକ ଦୂରଦୃଷ୍ଟିର ପ୍ରତିଫଳନ ହୋଇଛି । ଚଳିତ ବଜେଟରୁ ରାଜ୍ୟର ଗରିବ, ଚାଷୀ, ମହିଳା, ଯୁବ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ବଞ୍ଚିତ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହେବେ ।
ଚଳିତ ବଜେଟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ଜିଲ୍ଲାରେ ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା, ପାରାଦୀପ ଓ ବଲାଙ୍ଗୀରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ୍, ଚିପିଲିମାରେ ପଶୁଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ ଏବଂ ସମ୍ବଲପୁର ଓ ବ୍ରହ୍ମପୁରରେ ୨୭୮ କୋଟି ଟଙ୍କା ବିନିଯୋଗରେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ଦୁଇଟି ନୂତନ କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଘୋଷଣା ହୋଇଛି । ଏସସିବି, ଭିମସାର ଓ ଏମକେସିଜି ମେଡିକାଲର ପୁନଃର୍ବିକାଶ ସହ ନୟାଗଡ଼ ଓ ଖୋର୍ଦ୍ଧା ଠାରେ ଫାର୍ମା ଓ ମେଡଟେକ୍ ପାର୍କ ସହ ଓଡ଼ିଶା ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରାଯିବ ।
ଅଧିକ ପଢ଼ନ୍ତୁ: ବଜେଟ୍ ଭାଷଣ : ନିଜ ରେକର୍ଡକୁ ଭାଙ୍ଗି ପାରିଲେନି ମୋହନ
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ମଡେଲରେ ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର, ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର ଏବଂ ଜୟପୁର-କୋରାପୁଟ-ସୁନାବେଡାକୁ ସ୍ୱତନ୍ତ୍ର ଅର୍ଥନୈତିକ କ୍ଲଷ୍ଟର ଭାବେ ବିକଶିତ କରାଯିବ । ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟ ବଜେଟରେ ୧୦୦୦ କୋଟି ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ ପ୍ରତିଷ୍ଠା, ପୁରୀକୁ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାର ନିଷ୍ପତି ପ୍ରଶଂସନୀୟ । ସେହିପରି ନାନୋ ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଯୋଜନା’, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’, ଦୁର୍ଦ୍ଦଶାଜନିତ ସ୍ଥାନାନ୍ତରଣ ସମସ୍ୟାର ସମାଧାନ ପାଇଁ ‘ଡାଲଖାଇ ଯୋଜନା’ ଏବଂ ଖଣି ପ୍ରଭାବିତ ଅଞ୍ଚଳ ପାଇଁ ‘ସିଏମ ସମ୍ପଦ ଯୋଜନା’, କେନ୍ଦୁପତ୍ର ତୋଳାଳିଙ୍କ ସୁବିଧା ପାଇଁ ପ୍ରୋତ୍ସାହନ ଭଳି ଲୋକକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଥିବା ବେଳେ ରାଜ୍ୟ ଏଆଇ ମିଶନ ଭଳି ଯୋଜନା ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତର ୨୦୪୭ର ଲକ୍ଷ୍ୟକୁ ସାକାର କରିବ ବୋଲି ଶ୍ରୀ ପ୍ରଧାନ ଏକ୍ସରେ ମତପ୍ରକାଶ କରିଛନ୍ତି ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ପର୍ଯ୍ୟଟନ କ୍ଷେତ୍ର ପାଇଁ ୧ ହଜାର ୨୩କୋଟି ; ଭୂମି ଆବଶ୍ୟକତା ପୂରଣ କରିବାକୁ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା