ଭୁବନେଶ୍ୱର,୧୯।୧୧ : କେନ୍ଦ୍ର ଭାରୀ ଶିଳ୍ପ ତଥା ଇସ୍ପାତ ମନ୍ତ୍ରୀ ଏଚ୍.ଡି କୁମାରସ୍ବାମୀ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ମଧ୍ୟ ଉପସ୍ଥିତ ଥିଲେ।ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ଉଦ୍ୟମ ଜାରି ରହିଛି। ଆଧୁନିକୀକରଣ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ବେଳେ, ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ସୁରୁଖୁରୁରେ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।

 ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ଅତ୍ୟନ୍ତ ଆବଶ୍ୟକ। ଏହାଦ୍ବାରା ରାଜ୍ୟର ଆର୍ଥିକ ବିକାଶ ହେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ତେବେ, ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ କରାଯାଇ ସହମତି ଭିତ୍ତିରେ ଜମି ଅଧିଗ୍ରହଣ କରାଯିବ ବୋଲି ସେ କହିଥିଲେ।ବୈଠକର ନିଷ୍ପତ୍ତି ଅନୁଯାୟୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀର ଜଣେ ଉଚ୍ଚ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଲୋକଙ୍କ ସହିତ ଆଲୋଚନା ଜରିଆରେ ସବୁ ସମସ୍ୟାର ସମାଧାନ କରାଯିବ।

ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ କୁମାରସ୍ବାମୀ ଉଭୟଙ୍କୁ ଧନ୍ୟବାଦ ଦେଇଥିଲେ। ବୈଠକରେ ରାଉରକେଲାରେ ଏୟାରପୋର୍ଟ ସ୍ଥାପନ ପାଇଁ ଜମି ଯୋଗାଣ ଏବଂ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, କେନ୍ଦ୍ର ଇସ୍ପାତ ସଚିବ ସନ୍ଦୀପ୍ ପୋଣ୍ଡରିକ୍, ସେଲରର ଚେୟାରମ୍ୟାନ ଅମରେନ୍ଦୁ ପ୍ରକାଶ ଏବଂ ସେଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।