ନବରଙ୍ଗପୁର, ୯/୮ : ନବରଙ୍ଗପୁର ସଦର ତହସିଲଦାର କୈଳାଶ ଚନ୍ଦ୍ର ତ୍ରିପାଠୀ (୫୬)ଙ୍କ ଶନିବାର ସକାଳେ ହୃଦଘାତରେ ପରଲୋକ ହୋଇଛି l ଶୁକ୍ରବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିଶାଖାପାଟଣା ନିଆ ଯାଉଥିବାବେଳେ ବାଟରେ ପରଲୋକ ହୋଇଯାଇଛି l ଜଣେ ଦକ୍ଷ ଅଧିକାରୀ ଭାବେ ତାଙ୍କର ସୁନାମ ରହିଥିବା ବେଳେ ବିଭିନ୍ନ ମହଲରେ ଲୋକପ୍ରିୟ ରହିଥିଲେ ଶ୍ରୀ ତ୍ରିପାଠୀ l
ନିକଟରେ ଦେବୋତ୍ତର ଅଧିକାରୀ ଭାବେ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଓ ଶୃଙ୍ଖଳାର ସହ ରଥ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ପ୍ରଶଂସାର ପାତ୍ର ହୋଇଥିଲେ l ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ସକ୍ରିୟ ଭୂମିକା ନେଇ ସୁନାମ ଅର୍ଜନ କରିଥିଲେ ଶ୍ରୀ ତ୍ରିପାଠୀ l ତାଙ୍କ ବିୟୋଗରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ ଓ ବିଶ୍ୱଜିତ ବର୍ମନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଦେବୋତ୍ତର କମିଟି ସଭାପତି ଝାଡ଼େଶ୍ୱର ଖାଡ଼ଙ୍ଗା, ରାଜ ପୁରୋହିତ ନରସିଂହ ତ୍ରିପାଠୀ, ଓଡିଶା ରାଜସ୍ବ ଅମଲା ସଂଘ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିବାସହ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l