ଉତ୍ତର ପ୍ରଦେଶ, ୨୩।୧: ୧୦ ମିନିଟ୍ ପାଇଁ ପୂରା ଉତ୍ତରପ୍ରଦେଶ ସମ୍ପୂର୍ଣ୍ଣ ଅନ୍ଧାରରେ ରହିବ । ସୁରକ୍ଷା ପ୍ରସ୍ତୁତି ପରୀକ୍ଷା କରିବାକୁ ଆଜି ଉତ୍ତର ପ୍ରଦେଶର ୭୫ଟି ଜିଲ୍ଲାରେ ଏକ ବ୍ଲାକଆଉଟ୍ ମକ୍ ଡ୍ରିଲ୍ କରାଯାଉଛି । ଏହି ମକ୍ ଡ୍ରିଲ୍ ସନ୍ଧ୍ୟା ୬ଟା ରୁ ସନ୍ଧ୍ୟା ୬ଟା ୧୦ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ, ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟବ୍ୟାପୀ ସାଇରନ୍ ବାଜିବ ଏବଂ ଅସ୍ଥାୟୀ ଭାବେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ । ଏହି ମକ୍ ଡ୍ରିଲ୍ ବାୟୁସେନା ଆକ୍ରମଣ କିମ୍ବା ଯୁଦ୍ଧ ଭଳି ଜରୁରୀକାଳୀନ ପରିସ୍ଥିତିର ପ୍ରସ୍ତୁତିର ଏକ ଅଂଶ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ, ସିଭିଲ୍ ଡିଫେନ୍ସ, ପୋଲିସ, ଏସ୍ଡିଆରଏଫ୍, ଏନଡିଆରଏଫ୍, ଅଗ୍ନିଶମ ବାହିନୀ ଏବଂ ସ୍ୱାସ୍ଥ୍ୟ ବିଭାଗର ଦଳଗୁଡ଼ିକ ଏହି ଅଭ୍ୟାସରେ ଅଂଶଗ୍ରହଣ କରିବେ । ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ବ୍ଲାକଆଉଟ୍ ଅଭ୍ୟାସ ସହିତ ଜରୁରୀକାଳୀନ ଉଦ୍ଧାର ପ୍ରକ୍ରିୟା ମଧ୍ୟ ପ୍ରଦର୍ଶନ କରାଯିବ ।
ବ୍ଲାକଆଉଟ୍ ସମୟରେ କ'ଣ କରିବେ ଉତ୍ତରପ୍ରଦେଶବାସୀ ?
ବ୍ଲାକଆଉଟ୍ ସମୟରେ ଲୋକେ ଘରର ସବୁ ଲାଇଟ୍ ବନ୍ଦ କରିବେ ଓ ଘରେ ରହିବେ । କୌଣସି ଲୋକ ମୋବାଇଲ୍ ଫୋନ୍, ଟର୍ଚ୍ଚ ଏବଂ ଟର୍ଚ୍ଚଲାଇଟ୍ ବ୍ୟବହାର କରିବେ ନାହିଁ । ଆବଶ୍ୟକ ନ ପଡ଼ିଲେ କେହି ବାହାରକୁ ଯିବେ ନାହିଁ । ଏହି ସମୟରେ ଧୂମ୍ରପାନ ପରିହାର କରିବେ । ଏହି ବ୍ଲାକଆଉଟ୍ ସମୟରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି । ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହା କେବଳ ଏକ ମକ୍ ଡ୍ରିଲ୍, ପ୍ରକୃତ ଜରୁରୀକାଳୀନ ପରିସ୍ଥିତି ନୁହେଁ । ଭବିଷ୍ୟତରେ ସଙ୍କଟ ସମୟରେ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନାଗରିକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ମକ୍ ଡ୍ରିଲ୍ ସମୟରେ, ସିଭିଲ୍ ଡିଫେନ୍ସ, ପୁଲିସ, ଏସଡିଆରଏଫ୍ ଏବଂ ଏନଡିଆରଏଫ ଦଳ ମିଳିତ ଭାବେ ଅଭ୍ୟାସ କରିବେ । ଅଗ୍ନିଶମ ବାହିନୀ ଏବଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଅଭ୍ୟାସ କରିବେ । ଏହା ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର ସେବା କେତେ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିପାରିବ ତାହା ମୂଲ୍ୟାଙ୍କନ କରିବ ।
ରାଜଧାନୀ ଲକ୍ଷ୍ନୌରେ ପ୍ରମୁଖ ସରକାରୀ କୋଠା, ସମ୍ବେଦନଶୀଳ ଅଞ୍ଚଳ ଏବଂ ଘନ ଜନବସତି ଅଞ୍ଚଳ ନିକଟରେ ବିଶେଷ ସତର୍କତା ଅବଲମ୍ବନ କରାଯିବ । ସାଇରନ୍ ଶୁଣିବା ପରେ, ଉତ୍ତରପେରଦେଶ ବାସିନ୍ଦାମାନେ ସେମାନଙ୍କ ଘର ଏବଂ ଦୋକାନର ଲାଇଟ୍ ବନ୍ଦ କରିବେ, ଆବଶ୍ୟକ ନଥିଲେ ବାହାରକୁ ଯିବା ଏବଂ ପ୍ରଶାସନ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ପାଳନ କରିବେ ବୋଲି ପ୍ରଶାସନ କହିଛନ୍ତି ।
ଆହୁରି ପଢ଼ନ୍ତୁ... ଗଣତନ୍ତ୍ର ଦିବସ ପରେଡ୍ ୨୦୨୬: କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ‘ସମୃଦ୍ଧିର ମନ୍ତ୍ର-ଆତ୍ମନିର୍ଭର ଭାରତ’