ଉତ୍ତର ପ୍ରଦେଶ, ୨୦।୪: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ଅଡ଼ୁଆ ପୁଣି ବଢ଼ିବାରେ ଲାଗିଛି । ଡବଲ୍ ପ୍ୟାନ୍ କାର୍ଡ ମାମଲାରେ ଶୁଣାଣି କରି ରାମପୁରର ଏମ୍‌ପି-ଏମ୍‌ଏଲ୍‌ଏ ସେସନ୍ସ କୋର୍ଟ ଆଜମ ଖାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏହାସହ ନିମ୍ନ ଅଦାଲତ ପୂର୍ବରୁ ଶୁଣାଇଥିବା ୭ ବର୍ଷର ଜେଲ୍ ଦଣ୍ଡାଦେଶକୁ ମଧ୍ୟ ବଳବତ୍ତର ରଖିଛନ୍ତି କୋର୍ଟ । ବିଜେପି ନେତା ଆକାଶ ସକ୍ସେନା ୨୦୧୯ ମସିହାରେ ଏହି ମାମଲା ଦାୟର କରିଥିଲେ । ଅଭିଯୋଗ ଅନୁଯାୟୀ, ଅବଦୁଲ୍ଲା ଆଜମ ଜାଲ୍ ଦସ୍ତାବିଜ ବ୍ୟବହାର କରି ଦୁଇଟି ଭିନ୍ନ ଜନ୍ମ ତାରିଖ ଥିବା ଦୁଇଟି ପ୍ୟାନ୍ କାର୍ଡ ପ୍ରସ୍ତୁତ କରିଥିଲେ । ସରକାରୀ ବ୍ୟବସ୍ଥାକୁ ପ୍ରତାରିତ କରି ଏହି କାର୍ଯ୍ୟ କରାଯାଇଥିବା ଦର୍ଶାଇ କୋର୍ଟରେ ପ୍ରମାଣ ଉପସ୍ଥାପନ କରାଯାଇଥିଲା ।

ଏହା ବି ପଢ଼ନ୍ତୁ... Chennai Metro Rail : ଏବେ ମେଟ୍ରୋରେ ଜୋରରେ କଥା ହେଲେ ଲାଗିବ ଜୋରିମନା , ଦେଇ ପାରନ୍ତି ୫୦୦ଟଙ୍କା ପର୍ଯ୍ୟନ୍ତ ଫାଇନ୍ ... ଜାଣି ନିଅନ୍ତୁ ନିୟମ

କୋର୍ଟଙ୍କ କଡ଼ା ଆଭିମୁଖ୍ୟ:  

ଦଣ୍ଡାଦେଶ: ପୂର୍ବରୁ ଏମପି-ଏମଏଲଏ ମାଜିଷ୍ଟ୍ରେଟ୍ କୋର୍ଟ ଆଜମ ଖାନ, ପୁଅ ଅବଦୁଲ୍ଲା ଏବଂ ପତ୍ନୀ ତଞ୍ଜିମ ଫାତିମାଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷର ଜେଲ୍ ଦଣ୍ଡ ଏବଂ ୫୦-୫୦ ହଜାର ଟଙ୍କାର ଜରିମାନା ଶୁଣାଇଥିଲେ ।

ଅପିଲ୍ ଖାରଜ: ଏହି ଦଣ୍ଡାଦେଶ ବିରୋଧରେ ଆଜମ ଖାନ ୨୫ ନଭେମ୍ବର ୨୦୨୫ରେ ସେସନ୍ସ କୋର୍ଟରେ ଏକ ଅପିଲ୍ ଦାୟର କରିଥିଲେ । ଦୀର୍ଘ ଦିନର ଯୁକ୍ତିତର୍କ ପରେ କୋର୍ଟ ଏହି ଆବେଦନରେ କୌଣସି ସତ୍ୟତା ନଥିବା ଦର୍ଶାଇ ଏହାକୁ ଖାରଜ କରିଦେଇଛନ୍ତି ।

​​​​​​​

ବର୍ତ୍ତମାନ ଆଜମ ଖାନ ଏବଂ ଅବଦୁଲ୍ଲା ଆଜମ ରାମପୁର ଜିଲ୍ଲା ଜେଲରେ ବନ୍ଦୀ ଅଛନ୍ତି । ଏହି ରାୟ ପରେ ଉତ୍ତର ପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ସମାଜବାଦୀ ପାର୍ଟି ପାଇଁ ଏହା ଏକ ବଡ଼ ଧକ୍କା ବୋଲି କୁହାଯାଉଥିବା ବେଳେ, ବିଜେପି ନେତା ଆକାଶ ସକ୍ସେନା ଏହାକୁ "ସତ୍ୟର ବିଜୟ" ବୋଲି ଅଭିହିତ କରିଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ଦର୍ଶାଉଛି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ଜାଲିଆତି କ୍ଷେତ୍ରରେ କୌଣସି କୋହଳ ମନୋଭାବ ଗ୍ରହଣ କରାଯିବ ନାହିଁ ।