ମଧ୍ୟପ୍ରଦେଶ ୧୮/୦୬: ମଧ୍ୟପ୍ରଦେଶ ନୀମଚ ଜିଲ୍ଲାର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଗାଁରେ ଏକ ଚା’ ଦୋକାନ ଖୋଲିଛନ୍ତି । ଦୋକାନର ନାଁ ରଖିଛନ୍ତି ‘୪୯୮ଏ ଟି କାଫେ’ । ଏହା ସାଧାରଣ ଚା’ ଦୋକାନ ଭଳି ନୁହେଁ, ବରଂ ଅଭିନବ ବିରୋଧର ପ୍ରତୀକ । ଜାବଦ ବାସିନ୍ଦା କୃଷ୍ଣ କୁମାର ଧାକଡ଼ କହିଛନ୍ତି, ତାଙ୍କ ବିରୋଧରେ ପତ୍ନୀ କରିଥିବା ମିଛ ଘରୋଇ ହିଂସା ଅଭିଯୋଗ ବିରୋଧରେ ସେ ଏହି ପଦକ୍ଷେପ ନେଇଛନ୍ତି ।
କୃଷ୍ଣ କୁମାର ୨୦୧୮ରେ ରାଜସ୍ଥାନର ଅନ୍ତା ଟାଉନ୍ର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଉଭୟ ମିଶି ମହୁମାଛି ପାଳନ ଶିଖିଲେ ଏବଂ ମହୁ ବ୍ୟବସାୟ ଆରମ୍ଭ କଲେ । ଅନେକ ବେକାର ମହିଳାଙ୍କୁ ସେମାନେ କାମ ଦେଲେ, ଯାହା ଦ୍ୱାରା ମହିଳା ସଶକ୍ତୀକରଣକୁ ବଳ ମିଳିଲା । ୨୦୨୧ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦମ୍ପତିଙ୍କ ବ୍ୟବସାୟର ଉଦ୍ଘାଟନ କରି ତାଙ୍କ କାମକୁ ପ୍ରଶଂସା କରିଥିଲେ । ଆଖପାଖ ଅଞ୍ଚଳରେ ଦମ୍ପତିଙ୍କ ମହୁର ଚାହିଦା ବଢ଼ିଲା । କୃଷ୍ଣ କୁମାର ପତ୍ନୀଙ୍କ ନାଁରେ ଏହି ବ୍ୟବସାୟକୁ ପଞ୍ଜୀକୃତ କରିଥିଲେ । ଇତିମଧ୍ୟରେ ସେ ୟୁପିଏସ୍ସି ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ । ଅକ୍ଟୋବର ୨୦୨୨ରେ ତାଙ୍କ ପତ୍ନୀ ହଠାତ୍ ବାପଘରକୁ ଯାଇ ଆଉ ଫେରିଲେ ନାହିଁ । କିଛି ମାସ ପରେ ସେ ଧାରା ୪୯୮ଏ (ଘରୋଇ ହିଂସା ଓ ଯୌତୁକ ନିର୍ଯାତନା) ଓ ୧୨୫ (ଭରଣପୋଷଣ) ଅନୁସାରେ ମାମଲା ରୁଜୁ କଲେ ।
କୃଷ୍ଣ କୁମାର କହନ୍ତି, ଏ ସମସ୍ତ ଅଭିଯୋଗ ମିଛ । ବ୍ୟବସାୟର ମାଲିକାନା ଅଧିକାର ପତ୍ନୀଙ୍କ ନାଁରେ ଥିବାରୁ ସେ ଏହାର ଫାଇଦା ଉଠାଇଲେ ଏବଂ ତାଙ୍କଠୁ ସବୁକିଛି ଛଡ଼ାଇ ନେଲେ । ଆଇନଗତ ବିବାଦ ଓ ମାନସିକ ଚିନ୍ତା ଯୋଗୁ କୃଷ୍ଣ କୁମାର ୟୁପିଏସ୍ସି ପ୍ରସ୍ତୁତି ମଧ୍ୟ ଛାଡ଼ିଦେଲେ । ଅନେକ ଥର ଆତ୍ମହତ୍ୟା ବିଚାର ତାଙ୍କ ମନକୁ ଆସିଲା, କିନ୍ତୁ ବୃଦ୍ଧା ମା’ଙ୍କ ସାହାରାରେ ସେ ସାହସ ବାନ୍ଧିଲେ । ଏହାପରେ ୨୨୦ କିମି ଯାତ୍ରା କରି କୃଷ୍ଣ କୁମାର ଅନ୍ତାରେ ପହଞ୍ଚି ସେଠାରେ ଚା’ ଦୋକାନ ଖୋଲିଲେ । ଦୋକାନରେ ବିବାହ ବରମାଳା ଓ ବର ପଗଡ଼ିକୁ ସଜାଇଲେ, ଯାହା ତାଙ୍କ ଭାଙ୍ଗିଯାଇଥିବା ବୈବାହିକ ସମ୍ପର୍କର ପ୍ରତୀକ । ଦୋକାନ ଉଦ୍ଘାଟନ ଦିନ ହାତରେ ହାତକଡ଼ି ପକାଇ ସେ ଚା’ ପ୍ରସ୍ତୁତ କଲେ, ଯାହା ତାଙ୍କ ଆଇନଗତ ସମସ୍ୟାର ପ୍ରତୀକ ଥିଲା । ଦୋକାନରେ ସ୍ଲୋଗାନ୍ ରହିଛି ‘ଜବ୍ ତକ୍ ନହିଁ ମିଲ୍ତା ନ୍ୟାୟ, ତବ୍ ତକ୍ ଉବଲତି ରହେଗି ଚାୟ ।’ ତାଙ୍କ କହିବା ଅନୁସାରେ, ଅନେକ ସମୟରେ ଧାରା ୪୯୮ଏର ଦୁରୁପଯୋଗ ହେଉଛି । ଫଳରେ ନିର୍ଦ୍ଦୋଷ ପୁରୁଷ ଫସିଯାଉଛନ୍ତି । ଏ ନେଇ ସଚେତନତା ସୃଷ୍ଟି ତାଙ୍କର ଉଦ୍ଦେଶ୍ୟ ।