ନୂଆଦିଲ୍ଲୀ, ୩୧/୧ : ଟିମ ଇଣ୍ଡିଆର ପ୍ରତିଭାବାନ ଓପନର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଲଗାତାର ଫ୍ଲପ୍ ହେଉଛନ୍ତି । ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ୪ଟି ଯାକ ମ୍ୟାଚରେ ତାଙ୍କ ବ୍ୟାଟ ଚାଲିନଥିବାବେଳେ ସମାଲୋଚନାର ଶିକାର ହେଉଛନ୍ତି । ଆଜି ହୋମ ଗ୍ରାଉଣ୍ଡରେ ମ୍ୟାଚ ଖେଳିବେ ସଞ୍ଜୁ । ଫ୍ୟାନ୍ସ ତାଙ୍କଠାରୁ ଶେଷ ଟି-୨୦ରେ ବଡ଼ ସ୍କୋର ଆଶା ରଖିଛନ୍ତି । ତେବେ ସଞ୍ଜୁଙ୍କୁ ବହୁ କ୍ରିକେଟ ବିଶେଷଜ୍ଞମାନେ ସମାଲୋଚନା କରୁଥିବାବେଳେ ତାଙ୍କୁ ଦଳରେ ସ୍ଥାନ ନଦେବାକୁ ମଧ୍ୟ କୁହାଯାଉଛି । ଏଭଳି ଏକ ସମୟରେ ସୁରେଶ ରାଇନା ସଞ୍ଜୁଙ୍କ ସପକ୍ଷରେ ନିଜର ମତ ରଖିଛନ୍ତି ।

ରାଇନା ସଞ୍ଜୁଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଯାଇ ସୂର୍ଯ୍ୟକୁମାରଙ୍କ ଉଦାହରଣ ଦେଇଛନ୍ତି । କହିଛନ୍ତି କି, ଗତବର୍ଷ ସ୍କାଏଙ୍କ ବ୍ୟାଟ୍ ଚାଲିନଥିଲା । ମାତ୍ର ଏବେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇଛନ୍ତି । ଠିକ ସେହିପରି ସାମସନଙ୍କ ପାଖରେ ବହୁ ଦକ୍ଷତା ରହିଛି । ଯାହାକୁ ଟିମ ଇଣ୍ଡିଆ ବ୍ୟବହାର କରିବା ଜରୁରୀ । ସୂର୍ଯ୍ୟ ଯେତେବେଳେ ଗୋଟିଏ ବର୍ଷ ଫ୍ଲପ୍ ହୋଇଥିଲେ ସେତେବେଳେ କୋଚ ଏବଂ ମ୍ୟାନେଜମେଣ୍ଟ ତାଙ୍କୁ ସମର୍ଥନ କରିଥିଲା । ଏଣୁ ସଞ୍ଜୁଙ୍କ କ୍ଷେତ୍ରରେ ମଦ୍ୟ ସେଭଳି ସମର୍ଥନ କରାଯାଉ ବୋଳି ଯୁକ୍ତି ବାଢ଼ିଛନ୍ତି ରାଇନା । ତାଙ୍କୁ ଗୋଯିଏ ବଡ଼ ପାଳି ଆବଶ୍ୟକ । ଜଣେ ଭଲ ଖେଳାଳିଙ୍କ ପଛରେ ତାଙ୍କ କୋଚ ଏବଂ ମ୍ୟାନେଜମେଣ୍ଟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ଏଣୁ ସଞ୍ଜୁଙ୍କ ଭଳି ପ୍ରତିଭାଙ୍କୁ ସମର୍ଥନ କରିବା ଦରକାର । ଯାହାଦ୍ବାରା ସେ ପୁରୁଣା ଫର୍ମକୁ ଫେରି ପାଇବେ । ଆଗକୁ ଟି-୨୦ ବିଶ୍ବକପରେ ମଧ୍ୟ ଏହା ଦଳ ପାଇଁ ବଡ଼ ଭୂମିକା ଗ୍ରହଣ କରିବ ।

ଏହାସହ ପଢ଼ନ୍ତୁ : ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଜାଣନ୍ତୁ କଣ ରହିଛି ସୂର୍ଯ୍ୟବଂଶୀଙ୍କ ରେକର୍ଡ