ଲସ୍ ଏଞ୍ଜିଲସ୍, ୧୨/୦୧ : ରହସ୍ୟମୟ ‘ପ୍ରଳୟର ବିମାନ’କୁ ନେଇ ଏବେ ଆତଙ୍କ । ଦୀର୍ଘ ୫୧ ବର୍ଷ ପରେ ଆମେରିକାର ଆକାଶରେ ଉଡିଲା ‘ଡୁମ୍ସଡେ ପ୍ଲେନ୍’ । ଭେନେଜୁଏଲା ଉପରେ ଆକ୍ରମଣ ପରେ ଆମେରିକା ବର୍ତ୍ତମାନ ଗ୍ରୀନଲାଣ୍ଡ, କଲମ୍ବିଆ ଭଳି ଦେଶକୁ ବାରମ୍ବାର ଧମକ ଦେଉଛି । ଇରାନ୍ ସହ ମଧ୍ୟ ଏହାର ବିବାଦ ଚରମ ସୀମାରେ ପହଞ୍ଚିଛି । ଆଗକୁ ବଡ଼ ଯୁଦ୍ଧର ସୂତ୍ରପାତ ହେବା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ‘ପ୍ରଳୟର ବିମାନ’ ଉଡ଼ିବାକୁ ନେଇ ଭୟ ଘାରିଛି । ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶସ୍ଥିତ ଲସ୍ ଏଞ୍ଜିଲସ୍ ସହରରେ ଏହି ବିମାନକୁ ଦେଖିବାକୁ ମିଳିଛି । ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ।
କାହିଁକି କୁହାଯାଏ ‘ଫ୍ଲାଇଙ୍ଗ୍ ପେଣ୍ଟାଗନ୍’?
ଆମେରିକୀୟ ବାୟୁସେନାର ବୋଇଙ୍ଗ୍ ଇ-୪ବି ନାଇଟ୍ୱାଚ୍କୁ ବିଶ୍ୱବ୍ୟାପୀ ଡୁମ୍ସଡେ ପ୍ଲେନ୍ ବା ପ୍ରଳୟର ବିମାନ ଭାବେ ଜଣାଯାଏ । ଏମିତି କି ଏହାକୁ ‘ଫ୍ଲାଇଙ୍ଗ୍ ପେଣ୍ଟାଗନ୍’ ମଧ୍ୟ ଅଭିହିତ କରାଯାଏ । ଗତ ସପ୍ତାହରେ ଏହା ଲସ୍ ଏଞ୍ଜିଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା । ଏହି ବିମାନ ଏକ ଉଡ଼ନ୍ତା କମାଣ୍ଡ ସେଣ୍ଟର । ପରମାଣୁ ଆକ୍ରମଣ କିମ୍ବା କୌଣସି ବଡ଼ ରାଷ୍ଟ୍ରୀୟ ଜରୁରି ପରିସ୍ଥିତି ବେଳେ ଆମେରିକୀୟ ସରକାର ଏହାକୁ ଆକାଶରେ ପରିଚାଳନା କରିବାକୁ କ୍ଷମତା ରଖିଥାନ୍ତି । ଏହା ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍ ପଲ୍ସ (ଇଏମ୍ପି) ଓ ପରମାଣୁ ବିସ୍ଫୋରଣ ବେଳେ ସୃଷ୍ଟ ଉତ୍ତାପକୁ ସହ୍ୟ କରିବାର କ୍ଷମତା ରଖିଛି । ଏହି ବିମାନ ଲଗାତର ୬-୭ ଦିନ ପର୍ଯ୍ୟନ୍ତ ବାୟୁରେ ରହି ସଞ୍ଚାଳନ ଜାରି ରଖିପାରିବ । ଗୁରୁବାର ଏହାର ଅବତରଣ ହୋଇଥିଲା । ଏହାକୁ ଏୟାରଲାଇନ୍ ଭିଡିଓଜ୍ ଲାଇଭ୍ ସିଧା ପ୍ରସାରଣ କରିଥିଲା ।
ସୋସିଆଲ ମିଡିଆ ‘ଏକ୍ସ’ରେ ଜଣେ ୟୁଜର ଲେଖିଛନ୍ତି, ‘ପ୍ରେସିଡେନ୍ସିଆଲ୍ ଡୁମ୍ସଡେ ପ୍ଲେନ୍କୁ ଲସ୍ ଏଞ୍ଜିଲସ୍ ବିମାନବନ୍ଦରରେ ଓହ୍ଲାଉଥିବାର ଦେଖାଯାଇଛି । ଏହା ଏକ ନ୍ୟୁକ୍ଲିୟର୍-ପ୍ରୁଫ୍ ତଥା କାହାରି ଦୃଷ୍ଟିକୁ ଆସିପାରୁ ନ ଥିବା ଭାସମାନ କମାଣ୍ଡ ୟୁନିଟ୍ । ଏହା ଭଲ ସଙ୍କେତ ଦେଉନାହିଁ ।’ କିଛି ୟୁଜର ଏହାକୁ ୨୦୨୬ର ସବୁଠୁ ବଡ଼ ବିମାନ ଘଟଣା ଅଭିହିତ କରିଛନ୍ତି । ରିପୋର୍ଟ ମୁତାବକ, ଏହି ବିମାନରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗ୍ସେଥ୍ ବସିଥିଲେ । ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି ଯେ ଏହି ଉଡ଼ାଣ ପ୍ରତିରକ୍ଷା ମନ୍ତ୍ରୀଙ୍କ ‘ଆର୍ସେନଲ୍ ଅଫ୍ ଫ୍ରିଡମ୍’ ଟୁର୍ର ଅଂଶବିଶେଷ ଥିଲା । ଏଥିରେ ସେ ଦକ୍ଷିଣ କାଲିଫର୍ଣ୍ଣିଆରେ ସୈନ୍ୟ ନିଯୁକ୍ତି ଓ ଏରୋସ୍ପେସ କମ୍ପାନିଗୁଡ଼ିକୁ ଭେଟିଥିଲେ । କିନ୍ତୁ ଏଭଳି ସାଧାରଣ କାର୍ଯ୍ୟକ୍ରମରେ କାହିଁକି ଡୁମ୍ସଡେ ବିମାନ ବ୍ୟବହାର କରାଗଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ଖବରଟିକୁ ପଢନ୍ତୁ- ଗ୍ରୀନଲ୍ୟାଣ୍ଡକୁ ନେଇ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ମନୋଭାବ, କବଜା ପାଇଁ କେତେବେଳେ ବି ହୋଇପାରେ ହମଲା