ନୂଆଦିଲ୍ଲୀ, ୦୧/୦୪: ବିଶ୍ୱର ପ୍ରମୁଖ ଜଳମାର୍ଗ ହୋର୍ମୁଜ ପ୍ରଣାଳୀ ଖୋଲୁ କି ନ ଖୋଲୁ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଉପରେ ବିଚାର କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ସମ୍ପର୍କରେ ସେ ତାଙ୍କ ପ୍ରଶାସନର ଶୀର୍ଷ ଅଧିକାରୀ ଓ ପରାମର୍ଶଦାତାଙ୍କ ସହ ବିଚାର ଆଲୋଚନା କରୁଛନ୍ତି । ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ଆଜି ଏଭଳି ଖବର ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ ଟ୍ରମ୍ପ ଓ ତାଙ୍କର ସହଯୋଗୀଙ୍କ କହିବାକଥା ହୋର୍ମୁଜ ଉପରେ ଆମେରିକା ନିର୍ଭରଶୀଳ ନୁହେଁ । ଏହି ଜଳମାର୍ଗ ଦେଇ ଆମେରିକା ତୈଳ କିମ୍ବା ଗ୍ୟାସ୍ ଆଣୁନାହିଁ । ଏହା ଖୋଲୁ କି ନଖୋଲୁ ସେଥିରେ ଆମେରିକାର କିଛି ନାହିଁ । କିନ୍ତୁ ଆମେରିକା ଯଦି ବଳପୂର୍ବକ ହୋର୍ମୁଜ ଖୋଲିବାକୁ ଉଦ୍ୟମ କରିବ ତେବେ ଯୁଦ୍ଧ ଆହୁରି ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ । ଇରାନ ଯୁଦ୍ଧକୁ ୪ରୁ ୬ ସପ୍ତାହ ଭିତରେ ଶେଷ କରିବା ଲାଗି ପୂର୍ବରୁ ଟ୍ରମ୍ପ ସମୟ ଧାର୍ଯ୍ୟ କରିଥିଲେ । ଏହି ସମୟରେ ଇରାନର ସମସ୍ତ ମିସାଇଲ୍ କ୍ଷମତା ଓ ନୌସେନାକୁ ଧ୍ୱସ୍ତ କରିବାକୁ ରଣନୀତି ବନାଇଥିଲେ । ଯୁଦ୍ଧ ଇତିମଧ୍ୟରେ ୪ ସପ୍ତାହ ଅତିକ୍ରମ କରି ପଞ୍ଚମ ସପ୍ତାହରେ ପହଞ୍ଚିଛି । କିନ୍ତୁ ଯାହା ଲାଗୁଛି ଏହି ସମୟ ସୀମା ଭିତରେ ଇରାନ ଯୁଦ୍ଧ ଶେଷ ହେବ ନାହିଁ । ସେପଟେ ହୋର୍ମୁଜ ଖୋଲିବାକୁ ପ୍ରୟାସ କଲେ ଯୁଦ୍ଧ ଆହୁରି ଆଗକୁ ବଢ଼ିପାରେ । ତଥାପି ଟ୍ରମ୍ପ ପ୍ରଶାସନ ପାଖରେ ସୈନ୍ୟ ଅଭିଯାନ ବିକଳ୍ପ ରହିଛି । କିନ୍ତୁ ଏହା ପ୍ରାଥମିକତା ନୁହେଁ । ଏଭଳି ସମୟରେ ହ୍ୱାଇଟ୍ ହାଉସ୍‌ର ପ୍ରେସ ସଚିବ କାରୋଲିନ ଲେଭିଟ୍ କହିଛନ୍ତି ହୋର୍ମୁଜ ଜଳମାର୍ଗକୁ ସ୍ୱାଭାବିକ କରିବା ଦିଗରେ ଆମେରିକା କାର୍ଯ୍ୟ କରୁଛି ।

ଟ୍ରମ୍ପଙ୍କ ଅନୁସାରେ ଇରାନର ମିସାଇଲ କ୍ଷମତା ଓ ନୌଶକ୍ତିକୁ ଧ୍ୱଂସ କରିବା ହେଉଛି ଯୁଦ୍ଧର ଉଦ୍ଦେଶ୍ୟ । ୬ ସପ୍ତାହ ଭିତରେ ଏହି ଲକ୍ଷ୍ୟ ହାସଲ ହେଲେ ଯୁଦ୍ଧ ବନ୍ଦ ହୋଇଯିବ । ଟ୍ରମ୍ପ ନିଜକୁ ବିଜୟୀ ବୋଲି ଘୋଷଣା କରିବେ । ହୋର୍ମୁଜ ଖୋଲିବା ନ ଖୋଲିବା ସହ ତାଙ୍କର କିଛି ଯାଏଆସେ ନାହିଁ । ତେବେ ଏହି ଜଳମାର୍ଗ ଖୋଲିବା ଲାଗି ଇରାନ ଉପରେ କୂଟନୈତିକ ଚାପ ପକାଯିବ । ୟୁରୋପୀୟ ଓ ଉପସାଗରୀୟ ଦେଶ ସହାୟତାରେ ଏହି କାର୍ଯ୍ୟ କରାଯିବ । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ହୋର୍ମୁଜ ଦେଇ ଯାଉଥିବା ୮୪ ପ୍ରତିଶତ ତେଲ ଏସିଆ ବଜାରକୁ ଯାଉଛି । ତେଣୁ ଏହାକୁ ଖୋଲିବାର ଦାୟିତ୍ୱ ଏସିଆ ଓ ୟୁରୋପର ହେବା ଉଚିତ । ତେବେ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ଯୋଗୁ ହୋର୍ମୁଜ ଉପରେ ଇରାନର ଦବ୍‌ଦବା ଆହୁରି ଅଧିକ ହୋଇଯିବ । ଇରାନ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଜ କବ୍ଜାକୁ ନେବ । ଏହାକୁ ପୁଣିଥରେ ଖୋଲିବା ଲାଗି କୂଟନୈତିକ ପ୍ରୟାସ କରିବାକୁ ପଡିବ । ଟ୍ରମ୍ପ ଲଗାତାର ଇରାନକୁ ଧମକ ଦେଇ କହୁଛନ୍ତି ଯେ ହୋର୍ମୁଜ ନ ଖୋଲିଲେ ଆକ୍ରମଣ ଜୋର୍ଦାର କରାଯିବ । କିନ୍ତୁ ହୋର୍ମୁଜ ପ୍ରଣାଳୀକୁ ବିନା ମୁକ୍ତ କରି ପଛକୁ ହଟିବା ନିଷ୍ପତ୍ତି ଟ୍ରମ୍ପଙ୍କ ବଡ ୟୁ-ଟର୍ଣ୍ଣ ବୋଲି କୁହାଯାଉଛି । ଗତ ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ସେନାର ଆକ୍ରମଣ ପରେ ଇରାନ ହୋର୍ମୁଜକୁ ବନ୍ଦ କରିଦେଇଛି । ଫଳରେ ସମଗ୍ର ବିଶ୍ୱରେ ଇନ୍ଧନ ସଙ୍କଟ ସୃଷ୍ଟିହୋଇଛି ।

ଆହୁରି ପଢନ୍ତୁ...ବିଶ୍ୱରେ ଠପ୍ ହୋଇପାରେ ଇଣ୍ଟରନେଟ୍, ହୋର୍ମୁଜରେ ବିଛା ଯାଇଥିବା କେବଲ ନଷ୍ଟ ହେବା ଆଶଙ୍କା