ୱାଶିଂଟନ ୦୩/୦୩: ଆମେରିକାର ଘରୋଇ କମ୍ପାନି  ‘ଫାୟାରଫ୍ଲାଏ ଏରୋସ୍ପେସ୍‌’ ଦ୍ୱାରା  ପ୍ରକ୍ଷେପଣ ହୋଇଥିବା ମହାକାଶ ଯାନ  ‘ବ୍ଲୁ ଘୋଷ୍ଟ’ ଚନ୍ଦ୍ରପୃଷ୍ଠରେ ଅବତରଣ  କରିଛି । ସଫଳ ଅବତରଣ ନେଇ  କମ୍ପାନିର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବ୍ଲୁ  ଘୋଷ୍ଟ ଚନ୍ଦ୍ରପୃଷ୍ଠର କିଛି ଫଟୋ ମଧ୍ୟ ପଠାଇଛି, ଯାହାକୁ  କମ୍ପାନି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର  କରିଛି । ପ୍ରଥମ ଫଟୋ ଏକ ସେଲ୍‌ଫି ଥିଲା । ଦ୍ୱିତୀୟ ଘରୋଇ କମ୍ପାନି ଭାବେ ଫାୟାରଫ୍ଲାଏ ଏରୋସ୍ପେସ୍‌ ଏହି  ସଫଳତା ହାସଲ କରିଛି । 

ଜାନୁଆରୀ  ୧୫ରେ ବ୍ଲୁ ଘୋଷ୍ଟ ପୃଥିବୀ ଛାଡ଼ି ଚନ୍ଦ୍ର  ଅଭିମୁଖେ ଯାତ୍ରା କରିଥିଲା । ଆଗାମୀ  କିଛିଦିନ ମଧ୍ୟରେ ଆଉ ଏକ ଘରୋଇ  କମ୍ପାନି ‘ଇନ୍‌ଟୁଇଟିଭ୍‌ ମେସିନ୍ସ’  ଏହାର ‘ଆଥେନା’ ମହାକାଶ ଯାନକୁ  ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଅବତରଣ କରାଇବାକୁ ଲକ୍ଷ୍ୟ  ରଖିଛି । ଏହା ପୂର୍ବରୁ ଇନ୍‌ଟୁଇଟିଭ୍‌ ପ୍ରଥମ ଘରୋଇ  ସଂସ୍ଥା ଭାବେ ଚନ୍ଦ୍ରପୃଷ୍ଠରେ ଏହାର ମହାକାଶ ଯାନ ‘ଓଡେସିୟସ୍‌’ର ଅବତରଣ କରାଇଥିଲା । ଗତବର୍ଷ  ଫେବ୍ରୁଆରୀ ୨୨ରେ ଏହା ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା।