ନୂଆଦିଲ୍ଲୀ, ୨୦।୨: ବିଶ୍ୱ ରାଜନୀତିରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା । ଜେନେଭାରେ ଶୁକ୍ରବାର ଏହି ବୈଠକ ଆୟୋଜନ ହୋଇଛି । ଓମାନର ମଧ୍ୟସ୍ଥତାରେ ହେବାକୁ ଥିବା ଏହି ବୈଠକରେ ପରମାଣୁ କାର୍ଯ୍ୟକ୍ରମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଇରାନ ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚି ନିଜ ପ୍ରତିନିଧି ଦଳ ସହ ଜେନେଭାରେ ପହଞ୍ଚି ସାରିଛନ୍ତି । ଅନ୍ୟପଟେ ଆମେରିକା ପକ୍ଷରୁ ମଧ୍ୟପ୍ରାଚ୍ୟ ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜେରେଡ୍ କୁଶନର୍ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଏହି ବୈଠକରେ ପରୋକ୍ଷ ଭାବେ ସାମିଲ ରହିବେ ।

ଏହା ବି ପଢ଼ନ୍ତୁ... ଇରାନ ବିରୋଧରେ ଟ୍ରମ୍ପଙ୍କ 'ଟୁ ଫେଜ୍ ପ୍ଲାନ୍' ! ଖାମେନେଇଙ୍କ ହାତରେ ୧୦ ଦିନ, ପ୍ରଥମେ ଏୟାରଷ୍ଟ୍ରାଇକ୍ ନମାନିଲେ...

କେଉଁ ସବୁ ପ୍ରସଙ୍ଗରେ ହେବ ଆଲୋଚନା ?

ଏହି ବୈଠକରେ କେବଳ ପରମାଣୁ କାର୍ଯ୍ୟକ୍ରମ ନୁହେଁ, ବରଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନଜର ରହିବ:

ପରମାଣୁ ଓ ମିସାଇଲ: ଆମେରିକା ପରମାଣୁ କାର୍ଯ୍ୟକ୍ରମ ସହ ମିସାଇଲ ଭଣ୍ଡାର ଉପରେ ମଧ୍ୟ ଆଲୋଚନା କରିବାକୁ ଚାହୁଁଛି ।

ଅର୍ଥନୈତିକ କଟକଣା: ଇରାନ ଚାହୁଁଛି ଯେ ତା’ ଉପରୁ ଆର୍ଥିକ ପ୍ରତିବନ୍ଧକ ହଟାଯାଉ ଏବଂ ତେଲ, ଗ୍ୟାସ୍ ଓ ଖଣି କ୍ଷେତ୍ରରେ ବିଦେଶୀ ନିବେଶ ପାଇଁ ଅନୁମତି ମିଳୁ ।

ଆଞ୍ଚଳିକ ସହଯୋଗ: ମଧ୍ୟପ୍ରାଚ୍ୟରେ ଶାନ୍ତି ରକ୍ଷା ପାଇଁ ଆଲୋଚନା ହେବ ।

ଚରମ ସୀମାରେ ଉତ୍ତେଜନା: ଯୁଦ୍ଧ ପ୍ରସ୍ତୁତିରେ ଉଭୟ ଦେଶ

ଆଲୋଚନା ଚାଲିଥିଲେ ମଧ୍ୟ ଉଭୟ ଦେଶ ସୀମାରେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି ।

ଆମେରିକା ମଧ୍ୟପ୍ରାଚ୍ୟରେ ଦ୍ୱିତୀୟ ଏୟାରକ୍ରାଫ୍ଟ କ୍ୟାରିୟର୍ ମୁତୟନ କରିଛି । ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ବୁଝାମଣା ନ କରେ, ତେବେ ପରିଣାମ ଭୟଙ୍କର ହେବ । ସେ B-2 ବମ୍ୱର ବିମାନର ଉଦାହରଣ ଦେଇ ଇରାନକୁ ଧମକ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ହର୍ମୁଜ ଷ୍ଟ୍ରେଟ୍ରେ ସମରାଭ୍ୟାସ ଆରମ୍ଭ କରିଛି । ଯଦି ଆମେରିକା ଆକ୍ରମଣ କରେ, ତେବେ ହର୍ମୁଜ ଷ୍ଟ୍ରେଟ୍ ବନ୍ଦ କରିବା ସହ ଆମେରିକୀୟ ଶିବିର ଉପରେ ଆକ୍ରମଣ କରାଯିବ ବୋଲି ଇରାନ ଚେତାବନୀ ଦେଇଛି । ଏବେ ପ୍ରଶ୍ନ ଉଠୁଛି ଉଭୟ ଦେଶ ମଧ୍ୟରେ ଏହି ଆଲୋଚନା ସଫଳ ହେବ କି ? ଆମେରିକା ଚାହୁଁଛି ଇରାନ ୟୁରାନିୟମ ସମୃଦ୍ଧିକରଣ ସମ୍ପୂର୍ଣ୍ଣ ବନ୍ଦ କରୁ । କିନ୍ତୁ, ଇରାନ ନିଜର ମିସାଇଲ କ୍ଷମତା ଉପରେ କୌଣସି ଆଲୋଚନା କରିବାକୁ ମନା କରିଦେଇଛି । ଏଭଳି ସ୍ଥିତିରେ ଏହି ବୈଠକ କେତେଦୂର ସଫଳ ହେଉଛି, ତାହା ଉପରେ ସାରା ବିଶ୍ୱର ନଜର ରହିଛି ।