ନୂଆଦିଲ୍ଳୀ,୨୦।୪: ହର୍ମୁଜରେ ୨ ଭାରତୀୟ ଜାହାଜ ଉପରେ ଗୁଳିମାଡ ଘଟଣା ପରେ ଭାରତୀୟ ନୌସେନା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ଭାରତୀୟ ନୌସେନା ପାର୍ସିଆନ୍ ଉପସାଗରରେ ଭାରତୀୟ ପତାକା ଥିବା ଜାହାଜ ପାଇଁ ନୂଆ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ତାକୁ ଲାରକ ଦ୍ବୀପରୁ ଦୂରରେ ରହିବା ଓ କେବଳ ନୌସେନାର ନିର୍ଦେଶରେ ସେଠାରୁ ବାହାରିବାକୁ କୁହାଯାଇଛି, ଯାହାଫଳରେ ସୁରକ୍ଷା ସୁନିଶ୍ଚିତ ହୋଇପାରିବ।
ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ନୌସେନା ହର୍ମୁଜ ପାର କରିବା ପାଇଁ ଅପେକ୍ଷା କରୁଥିବା ସବୁ ଭାରତୀୟ ଜାହାଜର ସୁରକ୍ଷାକୁ ପ୍ରାଥମିକତା ଦେଉଛି। ଏପର୍ଯ୍ୟନ୍ତ ୧୧ ଭାରତୀୟ ଜାହାଜ ହର୍ମୁଜ ପାର କରିସାରିଛି। ଶେଷ ଟ୍ୟାଙ୍କର , ‘ଦେଶ ଗାରିମା’ ୧୮ ଏପ୍ରିଲରେ ପାର କରିଥିଲା। ସେହି ଦିନ ୨ ଭାରତୀୟ ଜାହାଜ ‘ଜଗ୍ ଅର୍ନବ’ ଓ ‘ସନମାର ହେରାଲ୍ଡ’ ଉପରେ ଇରାନୀ ଗାର୍ଡ ଗୁଳିମାଡ କରିବା ପରେ ତାଙ୍କୁ ଫେରିବାକୁ ପଡିଥିଲା।‘ହର୍ମୁଜ’ ପାର କରିବା ପରେ ‘ଦେଶ ଗାରିମା’କୁ ଆରବ ସାଗରରେ ଭାରତୀୟ ନୌସେନା ଦ୍ବାରା ସୁରକ୍ଷା ପ୍ରଦାନ କରାଯାଉଛି ଓ ଏହା ୨୨ ଏପ୍ରିଲରେ ମୁମ୍ବାଇ ପହଁଞ୍ଚିବାର ଆଶା କରାଯାଉଛି। ଲାରକ ଦ୍ବୀପ ହର୍ମୁଜର ସବୁଠାରୁ ସଙ୍କୀର୍ଣ୍ଣ ବିନ୍ଦୁରେ ରହିଛି ଓ ଇରାନର ତୈଳ ଇନଫାଷ୍ଟ୍ରକଚରର ଏକ ବଡ଼ ଅଂଶ ଏଠାରେ ରହିଛି। ଇରାନର କ୍ଷେତ୍ର ପାଇଁ ଏହି ଦ୍ବୀପ ଖୁବ୍ ଗୁରୁତ୍ବପୂର୍ଣ୍ଣ, ତେଣୁ ଏହାର ଆଖାପାଖରେ ଥିବା ଜଳକ୍ଷେତ୍ରକୁ କଡା ସୁରକ୍ଷା ଭିତରେ ରଖାଯାଇଥାଏ। ହର୍ମୁଜ ବାଟ ଦେଇ ଯାଉଥିବା ଜାହାଜ ଉପରେ ବଙ୍କର ଓ ରାଡାର ସିଷ୍ଟମର ନେଟଓ୍ବର୍କ ମାଧ୍ୟମରେ କଡା ନଜର ରଖାଯାଏ। ଲାରକ ଦ୍ବୀପ ହର୍ମୁଜରେ ରହିଛି, ଯାହାକି ଇରାନ-ଆମେରିକା ସଂଘର୍ଷ ପୂର୍ବରୁ ବିଶ୍ୱ ତୈଳର ପ୍ରାୟ ୨୦% ପରିବହନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଥିଲା।
ରିପୋର୍ଟ ଅନୁସାରେ, ସେଠାରେ ବହୁ ଇରାନୀ ଆଡ୍ହା ମଧ୍ୟ ପରିଚାଳିତ ହେଉଛି। ଯାହାକି ଛୋଟ ଓ ଦ୍ରୁତ ଗତିର ଜାହାଜକୁ ଟାର୍ଗେଟ କରିବା ପାଇଁ ସକ୍ଷମ। ବର୍ତ୍ତମାନ ୧୪ ଭାରତୀୟ ଜାହାଜ ପାର୍ସିଆନ୍ ଉପସାଗରରେ ରହିଛି ଓ ହର୍ମୁଜ ପାର କରିବାର ଅପେକ୍ଷା କରୁଛି। ଭାରତୀୟ ସେନା ଏହି ଜାହାଜ ସହିତ ଲଗାତାର ଯୋଗାଯୋଗରେ ରହିଛି ଓ ତାଙ୍କୁ ଅନୁମତି ମିଳିବା ପରେ ଆଗକୁ ବଢିବାକୁ ପରାମର୍ଶ ଦିଆଯାଇଛି। ପାର୍ସିଆନ ଉପସାଗର ନିକଟରେ ଭାରତୀୟ ନୌସେନାର ୭ ଜାହାଜ ମୁତୟନ ରହିଛି ଓ ହର୍ମୁଜ ପାର କରିବା ପରେ ଭାରତୀୟ ଜାହାଜକୁ ସୁରକ୍ଷା ଦିଆଯିବ।