ନୂଆଦିଲ୍ଲୀ ୦୮/୦୨ : ଭାରତ ଓ ଆମେରିକା ମଧ୍ୟରେ ବହୁପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିକୁ ନେଇ ଶୁକ୍ରବାର ଏକ ଅନ୍ତରୀଣ ରୂପରେଖ ଘୋଷଣା ହୋଇଛି । ଏଥିସହିତ ଆମେରିକା ବାଣିଜ୍ୟ କାର୍ଯ୍ୟାଳୟ (ୟୁଏସଟିଆର୍) ପକ୍ଷରୁ ଭାରତୀୟ ମାନଚିତ୍ର ଜାରି କରାଯାଇଛି । ଏହି ମାନଚିତ୍ରକୁ ନେଇ ହଇଚଇ ସୃଷ୍ଟି ହୋଇଛି । ବିଶେଷକରି ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ୍ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ସାଜିଛି ।
ଆମେରିକା ଜାରି କରିଥିବା ଏହି ଭାରତୀୟ ମାନଚିତ୍ରରେ ସମଗ୍ର ଜମ୍ମୁକାଶ୍ମୀର କ୍ଷେତ୍ର ରହିଛି । ବଡ଼ କଥା ହେଉଛି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଏବଂ ଅକ୍ସାଇ ଚୀନ୍ (ଚୀନ୍ କବ୍ଜା ରେ ଥିବା ଅଞ୍ଚଳ) କୁ ଭାରତର ଅଂଶ ଭାବେ ଏଥିରେ ପ୍ରଦର୍ଶନ କରାଯାଇଛି । ଏହି ମାନଚିତ୍ର ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି । ପୂର୍ବରୁ ଆମେରିକା ଯେଉଁ ନକ୍ସା ଜାରି କରିଥିଲା, ସେଥିରେ ପିଓକେକୁ ପୃଥକ୍ ଭାବେ ଦେଖାଇଥିଲା ।
ଅନ୍ତର୍ଜାତୀୟ ମଞ୍ଚ ଓ ପାଶ୍ଚାତ୍ୟ ଦେଶଗୁଡ଼ିକର ସରକାରୀ ନକ୍ସାରେ ମଧ୍ୟ ବିବାଦୀୟ ଅଂଶକୁ ଭିନ୍ନ ରଙ୍ଗ କିମ୍ବା ଚିତ୍ରିତ ରେଖା ଦ୍ୱାରା ଦେଖାଯାଉଥିଲା । ଏଥର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରଶାସନ ଜାଣିଶୁଣି ଅଥବା ଅଜାଣତରେ ଏଭଳି ଏକ ନକ୍ସା ଜାରି କରିଛି, ଯାହା ଭାରତର ସୀମାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ମାନ୍ୟତା ଦେଇଛି । ଭାରତ ଆରମ୍ଭରୁ ହିଁ ଜମ୍ମୁ-କାଶ୍ମୀରକୁ ନିଜର ଅଭିନ୍ନ ଅଂଶ ଦର୍ଶାଇ ଆସୁଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ପିଓକେ ବିବାଦ ଜମ୍ମୁ-କାଶ୍ମୀର କ୍ଷେତ୍ର ସହ ଜଡ଼ିତ ସବୁଠୁ ପୁରୁଣା ବିବାଦ । ୧୯୪୭ରୁ ଏହି ବିବାଦ ଚାଲିଆସିଛି । ଏହା ଉଭୟ ଦେଶ ମଧ୍ୟରେ ଯୁଦ୍ଧ, ବିବାଦ ଓ କୂଟନୈତିକ ସଂଘର୍ଷର କାରଣ ସାଜିଆସିଛି । ସେହିଭଳି ଅକ୍ସାଇ ଚୀନ୍ ଲଦାଖସ୍ଥିତ ଲେହ ଜିଲ୍ଲାର ଅଂଶ ବୋଲି ଭାରତ ଦାବି କରିଆସୁଛି । ୧୯୫୯ ପରଠାରୁ ଏହି କ୍ଷେତ୍ରକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଲାଗିରହିଛି । ଅକ୍ସାଇ ଚୀନ୍ ଜିନଜିଆଙ୍ଗର ଅଂଶ ବୋଲି ଚୀନ୍ କହୁଛି ।
ଆହୁରି ପଢ଼ନ୍ତୁ...ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ; କହିଲେ,ବିଶ୍ୱାସ ହିଁ ବର୍ତ୍ତମାନ ଭାରତର ସବୁଠୁ ଶକ୍ତିଶାଳୀ ମୁଦ୍ରାରେ ପରିଣତ ହୋଇଛି
‘ଏକ୍ସ’ରେ ଏହି ମାନଚିତ୍ରକୁ ପୋଷ୍ଟ କରି ଆମେରିକାର ବାଣିଜ୍ୟ ପ୍ରତିନିଧି ଲେଖିଛନ୍ତି, ‘ଟ୍ରି ନଟ୍ସ ଓ ଶୁଖିଲା ଖାଦ୍ୟଶସ୍ୟଠାରୁ ଲାଲ ଜୱାର ଓ ତାଜା ତଥା ପ୍ରକ୍ରିୟାକୃତ ଫଳ ପର୍ଯ୍ୟନ୍ତ, ଏଣିକି ଆମେରିକା-ଭାରତ ରାଜିନାମା ଆମେରିକୀୟ ଉତ୍ପାଦଗୁଡ଼ିକ ଲାଗି ନୂଆ ବଜାର ସୃଷ୍ଟି କରିବ । ସୂଚନାଥାଉ କି ବର୍ଷ ପ୍ରାରମ୍ଭରେ ଟ୍ରମ୍ପ୍ ପ୍ରଶାସନ ଭାରତୀୟ ଉତ୍ପାଦ ଉପରେ ୫୦% ଟାରିଫ୍ ଲାଗୁ କରିଥିଲା । ଏଥିରେ ରୁଷୀୟ ତୈଳ ଆମଦାନି ପାଇଁ ୨୫% ଟାରିଫ୍ ଅନ୍ତର୍ଭୁକ୍ତ ଥିଲା । ନିକଟରେ ଆମେରିକା ଏହି ୫୦% ଟାରିଫ୍ ୧୮%କୁ ହ୍ରାସ ଘଟାଇଛି । ଦୁଇଦେଶ ମଧ୍ୟରେ ନୂଆ ବାଣିଜ୍ୟ ଚୁକ୍ତି ମାର୍ଚ୍ଚରେ ଔପଚାରିକ ଭାବେ ସ୍ୱାକ୍ଷରିତ ହେବାକୁ ଯାଉଛି । ଏବେ ଏହାର ରୂପରେଖକୁ ଚୂଡ଼ାନ୍ତ ରୂପ ଦିଆଯାଇଛି ।
ଆମେରିକା ତରଫରୁ ଜାରି ଏହି ମାନଚିତ୍ର ଉଭୟ ପାକିସ୍ତାନ ଓ ଚୀନ୍ ପାଇଁ ବଡ଼ ଧକ୍କା ସଦୃଶ ହୋଇଛି । ଟ୍ରମ୍ପ୍ଙ୍କୁ ପ୍ରଭାବିତ କରି କାର୍ଯ୍ୟ ହାସଲ ଲାଗି ପାକିସ୍ତାନ କୌଣସି ସୁଯୋଗ ଛାଡ଼ିନାହିଁ । ଏମିତିକି ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ୍ଙ୍କୁ ଏହା ନୋମିନେଟ୍ ବି କରିଛି । ପାକ୍ ସେନା ମୁଖ୍ୟ ଅସିମ ମୁନିର ହ୍ୱାଇଟ୍ ହାଉସ୍ ଗସ୍ତ କରି ଆମେରିକାର ନିକଟତର ହେବାକୁ ଚେଷ୍ଟା କରିଛନ୍ତି । ଭାରତ ବିରୋଧୀ ପ୍ରସଙ୍ଗରେ ସମର୍ଥନ ସାଉଁଟିବା ଲାଗି ପାକ୍ ଏଭଳି ହରକତ କରିଆସିଛି । କିନ୍ତୁ ତାହା ସବୁ ଏବେ ଭଣ୍ଡୁର ହୋଇଯାଇଥିବା ପ୍ରତୀୟମାନ ହୋଇଛି ।
ଉଲ୍ଲେଖଯୋଗ୍ୟ, ଭାରତର ବିଭାଜନ ବେଳେ ଜମ୍ମୁ-କାଶ୍ମୀର ଏକ ‘ସାମ୍ରାଜ୍ୟ’ ଥିଲା, ଯାହାର ମହାରାଜା ହରି ସିଂହ ଥିଲେ । କିନ୍ତୁ ଏଠାରେ ମୁସ୍ଲିମ୍ ବହୁମତରେ ରହିଥିଲେ । ବିଭାଜନ ନିୟମ ଅନୁସାରେ, ସାମ୍ରାଜ୍ୟ ଭାରତ କିମ୍ବା ପାକିସ୍ତାନରେ ସାମିଲ ହୋଇପାରିବ କିମ୍ବା ନିଜେ ଚାହିଁଲେ ସ୍ୱାଧୀନ ବି ରହିପାରିବ । ତେବେ ପାକିସ୍ତାନରୁ ଆସିଥିବା ମିଲିସିଆ କାଶ୍ମୀର ଉପରେ ଆକ୍ରମଣ କରିଥିଲେ । ମହାରାଜା ହରି ସିଂହ ସହାୟତା ଲାଗି ଭାରତ ସହ ଯୋଗାଯୋଗ କରିଥିଲେ । ୧୯୪୭ ଅକ୍ଟୋବର ୨୬ରେ ବିଲୟ ପତ୍ରରେ ଦସ୍ତଖତ କରିଥିଲେ, ଯାହାଦ୍ୱାରା ଜମ୍ମୁ-କାଶ୍ମୀର ଭାରତର ଅଂଶ ହୋଇଯାଇଥିଲା । ଭାରତ ସେନା ସହାୟତା ପଠାଇଥିଲା । ଯୁଦ୍ଧ ବେଳେ ପାକିସ୍ତାନ ଉକ୍ତ କ୍ଷେତ୍ରର ପଶ୍ଚିମ ଓ ଉତ୍ତର ଅଂଶ ଉପରେ କବ୍ଜା କରିଥିଲା । ଏହାକୁ ବର୍ତ୍ତମାନ ପିଓକେ କୁହାଯାଉଛି । ୧୯୪୯ରେ ଜାତିସଂଘର ମଧ୍ୟସ୍ଥତାରେ ଯୁଦ୍ଧବିରତି ହୋଇଥିଲା । ଏହାପରେ ଦୁଇଦେଶ ମଧ୍ୟରେ ନିୟନ୍ତ୍ରଣରେଖା ପ୍ରସ୍ତୁତ ହୋଇଥିଲା । ତେବେ ଭାରତ ସବୁବେଳେ ପିଓକେକୁ ନିଜ ଅଂଶ ଦର୍ଶାଉଛି । ଏହାକୁ ଯେମିତି ହେଲେ ନିଜ ପଟକୁ ଆଣିବାକୁ ବଦ୍ଧପରିକର ହୋଇଛି ।