ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ପରିସ୍ଥିତି ପୁଣି ଥରେ ଉତ୍ତେଜନା ଆଡ଼କୁ ଗତି କରୁଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆମେରିକା ଏହାର ନାଗରିକ ମାନଙ୍କୁ ଇରାନ ନଯିବାକୁ ପରାମର୍ଶ ଦେଇଛି। ଇରାନ ଯାତ୍ରା ସମ୍ପର୍କରେ ଆମେରିକା ଏହାର ନାଗରିକ ମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ନାଗରିକ ମାନେ କୌଣସି ପରିସ୍ଥିତିରେ ଇରାନ ଯାତ୍ରା କରିବା ଉଚିତ୍ ନୁହେଁ।
ଆମେରିକାର ବୈଦେଶିକ ବିଭାଗର ବାଣିଜ୍ୟ ଦୂତାବାସ କାର୍ଯ୍ୟାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଲେଖିଛନ୍ତି କି, 'ଆମେରିକା ନାଗରିକ ମାନେ କୌଣସି କାରଣରୁ ଇରାନ ଯାତ୍ରା କରିବା ଉଚିତ୍ ନୁହେଁ। ଇରାନରେ ଥିବା ଆମେରିକୀୟ ନାଗରିକ ମାନଙ୍କୁ ଅପରାଧର କୌଣସି ପ୍ରମାଣ ବିନା ଅପହରଣ ଏବଂ ଭୁଲ ଭାବରେ ଗିରଫ କରାଯାଇଛି। ଏଥିରେ ଦ୍ୱୈତ ନାଗରିକତା (ଆମେରିକୀୟ-ଇରାନୀ) ଧାରଣ କରିଥିବା ନାଗରିକ ମାନେ ମଧ୍ୟ ଅନ୍ତର୍ଭୁକ୍ତ। କେତେକଙ୍କୁ ମିଥ୍ୟା ଅଭିଯୋଗରେ ବର୍ଷ ବର୍ଷ ଧରି ଜେଲଦଣ୍ଡ ଦିଆଯାଇଛି, ମାନସିକ ନିର୍ଯାତନା ଦିଆଯାଇଛି ଏବଂ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇଛି। କେବଳ ଆମେରିକୀୟ ପାସପୋର୍ଟ ରହିବା କିମ୍ବା ଆମେରିକା ସହିତ ସମ୍ପର୍କ ରଖିବା ଅଭିଯୋଗରେ ନାଗରିକ ମାନଙ୍କୁ ଇରାନ କର୍ତ୍ତୃପକ୍ଷ ଗିରଫ କରୁଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଟାମି ବ୍ରୁସ୍ କହିଛନ୍ତି, "ଇରାନ ଶାସନ ଦ୍ୱୈତ ନାଗରିକତାକୁ ସ୍ୱୀକୃତି ଦିଏ ନାହିଁ ଏବଂ ନିୟମିତ ଭାବରେ ଅଟକ ଆମେରିକୀୟ ନାଗରିକ ମାନଙ୍କୁ ଦୂତାବାସ ସହାୟତା ପ୍ରତ୍ୟାଖ୍ୟାନ କରେ।
ଟାମି ବ୍ରୁସ୍ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଆମେରିକା ସରକାର ଏକ ନୂତନ ୱେବସାଇଟ୍ ଲଞ୍ଚ କରୁଛନ୍ତି, ଯାହାର ଲକ୍ଷ୍ୟ ଆମେରିକୀୟ ମାନଙ୍କୁ ଇରାନ ଯାତ୍ରା ବିରୁଦ୍ଧରେ ସତର୍କ କରିବା। ଆପଣ ଏହାକୁ ଅନେକ ଭାଷାରେ ଦେଖିପାରିବେ। ଆମର ଯାତ୍ରା ପରାମର୍ଶ ମଧ୍ୟ ସେଠାରେ ଉପଲବ୍ଧ ।