ନୂଆଦିଲ୍ଲୀ, ୨୬।୮: ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ବିଜ୍ଞପ୍ତି ଜାରି କରିଛି ଆମେରିକା । ଆଉ ମାତ୍ର ଦିନକ ପରେ ଅର୍ଥାତ୍ ୨୭ ଅଗଷ୍ଟ, ୨୦୨୫ ରାତି ୧୨.୧ ମିନିଟ୍ରୁ ଏହା କାର୍ଯ୍ୟକାରୀ ହେବ । ଆମେରିକା କହିଛି ଯେ, ଭାରତ ରୁଷରୁ ତେଲ କିଣିବାରୁ ସେ ଏହି ପଦକ୍ଷେପ ନେଇଛି ।
ଟ୍ରମ୍ପ ପ୍ରଶାସନ କହିଛି ଯେ, ରୁଷରୁ ତେଲ କିଣି ଭାରତ ପରୋକ୍ଷ ଭାବେ ମସ୍କୋକୁ ୟୁକ୍ରେନ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଉଛି । ପୂର୍ବରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ ହୋଇଥିବା ବେଳେ ଏବେ ପୁଣି ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବାକୁ ଯାଉଛି । ଅର୍ଥାତ୍, ଭାରତରୁ ଆମଦାନୀ ହେଉଥିବା ଅନେକ ସାମଗ୍ରୀ ଉପରେ ମୋଟ୍ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବ । ଏହି ହାର ବ୍ରାଜିଲ ସହିତ ସମାନ ହୋଇଥିବା ବେଳେ ଅନ୍ୟାନ୍ୟ ଏସିଆ-ପ୍ରଶାନ୍ତ ମହାସାଗରୀୟ ଦେଶ ତୁଳନାରେ ବହୁତ ଅଧିକ । ଅନ୍ୟପଟେ ଔଷଧ, ସେମିକଣ୍ଡକ୍ଟର ଏବଂ ଶକ୍ତି ସମ୍ପଦ ଭଳି କିଛି କ୍ଷେତ୍ର ଏହି ଶୁଳ୍କରୁ ମୁକ୍ତ । ଭାରତର ୮୭ ବିଲିୟନ ଡଲାର ମୂଲ୍ୟର ଆମେରିକାର ରପ୍ତାନି, ଯାହା ଦେଶର GDPର ୨.୫ ପ୍ରତିଶତ । ଯାହା ଫଳରେ ବୟନଶିଳ୍ପ, ଅଳଙ୍କାର, ଚମଡ଼ା, ସାମୁଦ୍ରିକ ଉତ୍ପାଦ, ରାସାୟନିକ ପଦାର୍ଥ ଏବଂ ଅଟୋ ପାର୍ଟସ ଭଳି କ୍ଷେତ୍ରଗୁଡ଼ିକ ବିଶେଷ ଭାବରେ ପ୍ରଭାବିତ ହେବେ ।
ଆମେରିକାର ଶୁଳ୍କ ଲାଗୁ ନେଇ ଭାରତର ପ୍ରତିକ୍ରିୟା:
ଭାରତର ବୈଦେଶିକ ମନ୍ତ୍ରଣାଳୟ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ୫୦ ପ୍ରତିଶତ ଶୁଳ୍କକୁ ଅନୁଚିତ୍ ଏବଂ ଅନ୍ୟାୟ ବୋଲି କହିଛି । ମନ୍ତ୍ରଣାଳୟ କହିଛି ଯେ, ଭାରତ ତାର ଶକ୍ତିର ଆବଶ୍ୟକତା ଏବଂ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରୁଷରୁ ତେଲ ଆମଦାନୀ କରୁଛି, ଯାହାକୁ ଆମେରିକା ପୂର୍ବରୁ ବିଶ୍ୱ ଶକ୍ତି ବଜାରର ସ୍ଥିରତା ପାଇଁ ଉତ୍ସାହିତ କରିଥିଲା । ଭାରତ ସରକାର ଆମେରିକା ଉପରେ ତୁରନ୍ତ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିବା ପରିବର୍ତ୍ତେ କୂଟନୈତିକ ଆଲୋଚନା ଏବଂ ରପ୍ତାନିକାରୀଙ୍କ ପାଇଁ ପ୍ରୋତ୍ସାହନ ଭଳି ପଦକ୍ଷେପ ଉପରେ ବିଚାର କରୁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭାରତୀୟ ସାମଗ୍ରୀ ଉପରେ ଆମେରିକାର ୫୦ ପ୍ରତିଶତ ଶୁଳ୍କ ଉପରେ ତାଙ୍କର ଦୃଢ଼ ମତ ବଜାୟ ରଖିଛନ୍ତି ଏବଂ କହିଛନ୍ତି, ୱାଶିଂଟନର ଆର୍ଥିକ ଚାପ ସତ୍ତ୍ୱେ ତାଙ୍କ ସରକାର ଏ ସମସ୍ୟାର ସମାଧାନ ଖୋଜିବ । ଅହମ୍ମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଯେତେ ଚାପ ଆସୁ ନା କାହିଁକି, ଆମେ ଏହାକୁ ସହ୍ୟ କରିବା ପାଇଁ ଆମର ଶକ୍ତି ବୃଦ୍ଧି କରିବୁ । ଆଜି ଆତ୍ମନିର୍ଭର ଭାରତ ଅଭିଯାନକୁ ଗୁଜରାଟରୁ ପ୍ରଚୁର ଶକ୍ତି ମିଳୁଛି ଏବଂ ଏହା ପଛରେ ଦୁଇ ଦଶନ୍ଧିର କଠିନ ପରିଶ୍ରମ ରହିଛି ।"