ନୂଆଦିଲ୍ଲୀ, ୧୩।୩: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧର ନିଆଁ ଏବେ ସୁଦୂର ଆମେରିକାରେ ପହଞ୍ଚିଛି । ଆମେରିକାର ମିଚିଗାନରେ ଏକ ୟିହୁଦୀ ପ୍ରାର୍ଥନା ସ୍ଥଳ ଉପରେ ହୋଇଥିବା ଆତଙ୍କବାଦୀ ଶୈଳୀର ଆକ୍ରମଣ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି । ଜଣେ ଦୁର୍ବୃତ୍ତ ପ୍ରଥମେ ପ୍ରାର୍ଥନା ସ୍ଥଳ ଭିତରକୁ ଗାଡ଼ି ମଡ଼ାଇ ଦେଇଥିଲା ଏବଂ ପରେ ଆଖିବୁଜା ଗୁଳି ମାଡ଼ କରିଥିଲା । ସ୍ଥାନୀୟ ସୂଚନା ଅନୁଯାୟୀ, ମିଚିଗାନର ୱେଷ୍ଟ ବ୍ଲୁମଫିଲ୍ଡ ଟାଉନସିପ୍‌ସ୍ଥିତ 'ଟେମ୍ପଲ ଇସ୍ରାଏଲ' ସିନେଗଗ୍କୁ ଜଣେ ଦୁର୍ବୃତ୍ତ ଟାର୍ଗେଟ କରିଥିଲା । ଆକ୍ରମଣକାରୀ ନିଜ ଗାଡ଼ିକୁ ଜୋରଦାର ଭାବେ ସିନେଗଗ୍ କମ୍ପ୍ଲେକ୍ସ ଭିତରକୁ ପୁରାଇ ଦେଇଥିଲା, ଯାହା ଫଳରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଗାଡ଼ି ଧକ୍କା ହେବା ପରେ ଗୁଳି ଶବ୍ଦ ଶୁଣାଯାଇଥିଲା । ସୁରକ୍ଷା ଅଧିକାରୀମାନେ ତୁରନ୍ତ ପାଲଟା ଗୁଳି ଚାଳନା କରିବାରୁ ବନ୍ଧୁକଧାରୀ ଆକ୍ରମଣକାରୀର ମୃତ୍ୟୁ ଘଟିଛି । ସବୁଠାରୁ ଭୟାନକ କଥା ହେଉଛି, ଯାଞ୍ଚ ବେଳେ ଗାଡ଼ି ପଛପଟୁ ବିପୁଳ ପରିମାଣର ବିସ୍ଫୋରକ ମିଳିଛି ।

ଏହା ବି ପଢ଼ନ୍ତୁ... 'ଭାରତୀୟଙ୍କ ସୁରକ୍ଷା ପ୍ରାଥମିକତା, ଆମେ ଶାନ୍ତି ପକ୍ଷଧର'; ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ମାଇକ୍ ବାଉଚାର୍ଡ, ଓକଲାଣ୍ଡ କାଉଣ୍ଟି ଶେରିଫ୍ କହିଛନ୍ତି, "ଆମେ ଘଟଣାର ମୂଳ କାରଣ ଖୋଜୁଛୁ । ଏଫବିଆଇ (FBI) ନିର୍ଦ୍ଦେଶକ କାଶ ପଟେଲ ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ।"

ସୁରକ୍ଷା ବଳୟରେ ସିନେଗଗ୍ ଓ ଶିକ୍ଷାନୁଷ୍ଠାନ:

ଏହି ସିନେଗଗ୍ କମ୍ପ୍ଲେକ୍ସରେ ଏକ କିଣ୍ଡରଗାର୍ଟନ, ପ୍ରି-ସ୍କୁଲ ଏବଂ ଡେ-କେୟାର ସେଣ୍ଟର ମଧ୍ୟ ରହିଛି । ଆକ୍ରମଣ ପରେ ସେଠାରେ ଥିବା ପ୍ରାୟ ୧୨,୦୦୦ ସଦସ୍ୟ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସତର୍କତାମୂଳକ ପଦକ୍ଷେପ:

ଆଖପାଖର ସମସ୍ତ ୟିହୁଦୀ ଅନୁଷ୍ଠାନକୁ ଲକଡାଉନ୍ କରାଯାଇଛି ।

ସ୍ଥାନୀୟ ବ୍ଲୁମଫିଲ୍ଡ ହିଲ୍ସ ସ୍କୁଲଗୁଡ଼ିକୁ 'ସିକ୍ୟୋର ମୋଡ୍'ରେ ରଖାଯାଇଛି ।

ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି ।

ଗଭର୍ଣ୍ଣରଙ୍କ ନିନ୍ଦା:

ମିଚିଗାନ ଗଭର୍ଣ୍ଣର ଗ୍ରେଚେନ୍ ହ୍ୱିଟମର୍ ଏହି ଘଟଣାକୁ ନିନ୍ଦା କରି କହିଛନ୍ତି ଯେ, "ୟିହୁଦୀ ସମ୍ପ୍ରଦାୟ ବିରୋଧରେ ହିଂସା ପାଇଁ ମିଚିଗାନରେ କୌଣସି ସ୍ଥାନ ନାହିଁ । ସମସ୍ତେ ନିଜ ଧର୍ମକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାର ଅଧିକାର ରଖନ୍ତି ।" ଆଣ୍ଟି-ଡିଫେମେସନ ଲିଗ୍ ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ୟିହୁଦୀ ବିରୋଧୀ ହିଂସା ବୃଦ୍ଧି ପାଇଛି । ଏହି ଆକ୍ରମଣ ସେହି ଧାରାର ଏକ ଅଂଶ ବୋଲି ଆଶଙ୍କା କରାଯାଉଛି ।